ନୂଆଦିଲ୍ଲୀ,୩୦।୧୨: ବଲିଉଡ ଆକ୍ଟର ସଲମାନ ଖାନ୍‌ଙ୍କ ଫିଲ୍ମ ‘ବ୍ୟାଟଲ ଅଫ୍ ଗଲୱାନ’ର ଟିଜରକୁ ନେଇ ଖୁବ୍ ଚର୍ଚ୍ଚା। କେବଳ ଭାରତରେ ନୁହେଁ ବଂର ସୀମା ପାର ଚୀନ୍‌ରେ ବି ହଲଚଲ୍ ସୃଷ୍ଟି କରିଚି। ଗଲଓ୍ବାନରେ ଚୀନ୍ ବିଶ୍ବାସଘାତର ଜବାବରେ ବଳିଦାନ ଦେଇଥିବା କର୍ଣ୍ଣେଲ ବି.ସନ୍ତୋଷ ବାବୁଙ୍କ ଭୂମିକା ଫିଲ୍ମରେ ଦର୍ଶାଯାଇଛି। ଫିଲ୍ମଟି ୧୭ ଏପ୍ରିଲ ୨୦୨୬ରେ ସିନେମାଘରେ ରିଲିଜ୍ ହେବ। ତେବେ ଟିଜର ଦେଖି ଚୀନ୍ ଅସନ୍ତୋଷ ପ୍ରକାଶ କରିଛି। କହିଛି ଚୀନ୍ ଏବଂ ଭାରତ ମଧ୍ୟରେ ସମ୍ପର୍କ ସୁଧୁରୁଥିବା ସମୟରେ ଏହି ଫିଲ୍ମ ରଲିଜ୍ କରିବା ଭୁଲ। କେବଳ ଭାରତୀୟ ଦୃଷ୍ଟିକୋଣକୁ ଉପସ୍ଥାପନ କରି, ଏହି ଫିଲ୍ମରେ ଚୀନ୍ ବିରୋଧୀ ଭାବନା ବଢାଇପାରେ।

ଚୀନ୍‌ର ‘ଦ ଗ୍ଲୋବାଲ’ ଟାଇମ୍ସ ଏହି ମୁଭିର ଟିଜର ଉପରେ ଏକ ଲମ୍ବା ରିପୋର୍ଟ ପ୍ରକାଶିତ କରିଛି। ଗ୍ଲୋବଲ ଟାଇମ୍ସ କହିଛି, 'ବ୍ୟାଟଲ୍ ଅଫ୍ ଗଲୱାନ୍' ଫିଲ୍ମଟି ଯେତେ ନାଟକୀୟ ହେଉ ନା କାହିଁକି, ଦେଶର ସୀମାକୁ ପ୍ରଭାବିତ କରିପାରିବ ନାହିଁ।  ଚୀନ୍‌ର ସାର୍ବଭୌମତ୍ବର ରକ୍ଷା କରୁଥିବା ପିଏଲଏର ସଂକଳ୍ପକୁ ଦୋହଲାଇ ପାରିବନି। ଗ୍ଲୋବାଲ୍ ଟାଇମ୍ସ ଲେଖିଛି ସଲମାନ ଖାନ୍ ଯାହାଙ୍କୁ ଚୀନର ଦର୍ଶକ ବଜରଙ୍ଗୀ ଭାଇଜାନର ମୁଖ୍ୟ ଅଭିନେତା ଭାବରେ ଜାଣନ୍ତି, ତାଙ୍କୁ ସବୁବେଳେ ଚୀନ୍ ନେଟିଜେନମାନେ ପ୍ରାୟତଃ ଏପରି ଭୂମିକା ପାଇଁ ଚିଡ଼ାନ୍ତି ଯାହା ଅତ୍ୟଧିକ ଅତିରଞ୍ଜିତ ମନେହୁଏ। କାହାଣୀ ଖୁବ୍ ସରଳ ଥାଏ ଏବଂ ଭିଜୁଆଲ ଇଫେକ୍ଟ ଏତେ ଅତିରଞ୍ଜିତ ଯେ ଫିଲ୍ମଟି ଆର୍ଟିଫିସିଆଲ ଲାଗିଥାଏ। କିଛି ନେଟିଜାନ୍ସ ଏହି ଫିଲ୍ମର ଟିଜରର ତୁଳନା ଗେମ୍ ଅଫ୍ ଥ୍ରୋନ୍ସର ଏକ ସିନ୍ ସହ କରିଛନ୍ତି ଓ ପ୍ରଶ୍ନ ଉଠାଇଛନ୍ତି ଯେ, ଫିଲ୍ମରେ ସେହି ସିନ୍‌କୁ କପି କରାଯାଇଛି।

ଗ୍ଲୋବାଲ୍ ଟାଇମ୍ସ ଗଲୱାନ୍ ଘାଟି ସଂଘର୍ଷ ପାଇଁ ଭାରତୀୟ ସୈନିକଙ୍କୁ ଦାୟୀ କରିଛି। ହିଂସାତ୍ମକ ସଂଘର୍ଷ ପୂର୍ବରୁ ମଧ୍ୟ, ଚୀନ୍ ସୈନିକମାନେ କିଛି ବର୍ଷ ଧରି ସେଠାରେ ପାଟ୍ରୋଲିଂ କରି ସେମାନଙ୍କର କର୍ତ୍ତବ୍ୟ ପାଳନ କରୁଥିଲେ। ୬ ମଇ ୨୦୨୦ରେ ଭାରତୀୟ ସୈନ୍ୟମାନେ ରାତିରେ ଏଲଏସି ପାର କରି ଚୀନ୍ ଅଞ୍ଚଳରେ ପ୍ରବେଶ କରିଥିଲେ। ବ୍ୟାରିକେଡ୍ ନିର୍ମାଣ କରି ଚୀନ୍ ପାଟ୍ରୋଲିଂରେ ବାଧା ସୃଷ୍ଟି କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ଏବଂ ସୀମା ନିୟନ୍ତ୍ରଣ ବଜାୟ ରଖିବା ପାଇଁ ଚୀନ୍ ସୈନ୍ୟମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବାଧ୍ୟ କରାଯାଇଥିଲା। ଏପରିକି ଚଳିତ ବର୍ଷ ଅପ୍ରେଲ ମାସରେ ଭାରତୀୟ ସୈନିକ ଗଲୱାନ ଘାଟିରେ ଏଲଏସି ରେ ଏକପାଖିଆ ଓ ଲଗାତାର ସଡକ ଏବଂ ବ୍ରିଜ୍ ତିଆରି କରିଥିଲେ। ଚୀନ୍ ବହୁବାର ଏହାର ବିରୋଧ କରିଥିଲା,କିନ୍ତୁ ଭାରତ ଏଲଏସି ପାର କରିକି ଆହୁରି ଅଧିକ ଉକସାଇବା ଭଳି କାର୍ଯ୍ୟ କରିଥିଲା।

ଉଲ୍ଲେଖନୀୟ ଯେ,ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ। ଭାରତ ଆନୁଷ୍ଠାନିକ ଭାବରେ ନିଜର କ୍ଷତି ଘୋଷଣା କରିଥିଲା। ତେବେ ଚୀନ୍ ଆରମ୍ଭରୁ କୌଣସି ମୃତାହତ ନେଇ ସୂଚନା ଦେଇନଥିଲା। ପ୍ରାୟ ଆଠ ମାସ ପରେ, ଫେବୃଆରୀ ୨୦୨୧ରେ, ଚୀନ୍ ପ୍ରଥମେ ଚାରି ଜଣ ସୈନିକଙ୍କ ମୃତ୍ୟୁକୁ ସ୍ୱୀକାର କରିଥିଲା। ଫିଲ୍ମରେ କମାଣ୍ଡିଂ ଅଫିସର କର୍ଣ୍ଣେଲ ବି. ସନ୍ତୋଷ ବାବୁଙ୍କ ଭୂମିକାରେ ସଲମାନ ଅଭିୟନ କରୁଛନ୍ତି। ଏହା ପୂର୍ବରୁ ଚୀନ୍ ସାମରିକ ବିଶେଷଜ୍ଞ ସୋଙ୍ଗ ଝୋଙ୍ଗପିଙ୍ଗ ସୋମବାର ଗ୍ଲୋବାଲ୍ ଟାଇମ୍ସକୁ କହିଥିଲେ,ଭାରତ ଜାତୀୟତାବାଦୀ ଭାବନାକୁ ଉତ୍ତେଜିତ କରିବା ପାଇଁ ଚଳଚ୍ଚିତ୍ର, ବିଶେଷକରି ବଲିଉଡ୍ ଫିଳ୍ମ ବ୍ୟବହାର କରିବା ଆଶ୍ଚର୍ଯ୍ୟଜନକ ନୁହେଁ । ଏହା ଏକ ଗଭୀର ସାଂସ୍କୃତିକ ଏବଂ ରାଜନୈତିକ ପରମ୍ପରାକୁ ପ୍ରତିଫଳିତ କରେ। ସେ କହିଛନ୍ତି ଫିଲ୍ମ ଘଟଣାଗୁଡ଼ିକ ଯେତେ ନାଟକୀୟ କିମ୍ବା ଅତିରଞ୍ଜିତ ହେଉ, ଗଲୱାନ୍ ଉପତ୍ୟକା ଘଟଣାର ମୌଳିକ ତଥ୍ୟକୁ ପରିବର୍ତ୍ତନ କରିପାରିବ ନାହିଁ।

ଆହୁରି ପଢନ୍ତୁ :ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ, ବିଜେପି ନେତା କହିଲେ-ଚୀନ୍‌କୁ ଛାଡିବାକୁ ହେବ ତିବ୍ଦତ