ନୂଆଦିଲ୍ଲୀ,୧୯/୦୮: ଏସିଆ କପ୍ ପାଇଁ ୧୫ ଜଣିଆ ଭାରତୀୟ ସ୍କ୍ୱାଡ ଘୋଷଣା ହୋଇଛି । ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକରଙ୍କ ନେତୃତ୍ୱରେ ଗଠିତ କମିଟି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଚୟନ କରିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଦଳ ଘୋଷଣା ହୋଇଛି । ଟେଷ୍ଟ ଅଧିନାୟକ ଶୁବମନ ଗିଲଙ୍କୁ ଦଳରେ ସ୍ଥାନ ମିଳିଛି । ଖାଲି ସେତିକି ନୁହେଁ ତାଙ୍କୁ ଉପ- ଅଧିନାୟକ କରାଯାଇଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମହମ୍ମଦ ସିରାଜଙ୍କ ଭଲ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଦଳରେ ସାମିଲ କରାଯାଇ ନାହିଁ । ସେହିପରି ଶ୍ରେୟାସ ଆୟରଙ୍କୁ ବି ଦଳରେ ସୁଯୋଗ ମିଳିନାହିଁ । ତାଙ୍କୁ ପୁଣି ଅଣଦେଖା କରାଯାଇଛି ।

ଉପ-ଅଧିନାୟକରେ ପରିବର୍ତ୍ତନ-ସୂର୍ଯ୍ୟକୁମାର ଯାଦବ ଅଧିନାୟକ ହେବା ପରେ, ଟିମ୍ ଇଣ୍ଡିଆ ଏ ପର୍ଯ୍ୟନ୍ତ କୌଣସି ଟି-୨୦ ସିରିଜ ହାରିନାହିଁ । ସେ ଏସିଆ କପରେ ମଧ୍ୟ ଅଧିନାୟକତ୍ୱ କରିବେ । ଶୁବମନ ଗିଲଙ୍କୁ ଉପ-ଅଧିନାୟକ ଭାବରେ ଦାୟିତ୍ୱ ଦିଆଯାଇଛି । ଜୁଲାଇ ୨୦୨୪ରେ ଶ୍ରୀଲଙ୍କା ବିପକ୍ଷ ସିରିଜ ପରେ ଗିଲ୍ କୌଣସି ଟି-୨୦ ସିରିଜ ଖେଳି ନାହାନ୍ତି । ତେଣୁ ସେ ପ୍ରାୟ ୧୩ ମାସ ପରେ ଟି-୨୦ ଦଳକୁ ଫେରିଛନ୍ତି ।

ଆୟରଙ୍କୁ ଅଣଦେଖା- ଶ୍ରେୟାସ ଆୟର ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ସର୍ବାଧିକ ରନ ସ୍କୋରର ଥିଲେ । ସେ ଟୁର୍ଣ୍ଣାମେଣ୍ଟରେ ମୋଟ ୨୪୩ ରନ୍‌ କରିଥିଲେ । ୨୦୨୫ ଆଇପିଏଲ୍‌ରେ ଅଧିନାୟକ ଭାବରେ ପଞ୍ଜାବକୁ ଫାଇନାଲରେ ପହଞ୍ଚାଇଥିଲେ । ଯେତେବେଳେ ବ୍ୟକ୍ତିଗତ ଭାବରେ ସେ ୬୦୪ ରନ୍‌ କରିଥିଲେ। ଏତେ ଭଲ ପ୍ରଦର୍ଶନ ସତ୍ତ୍ବେ ତାଙ୍କୁ ଏସିଆ କପ୍‌ ଦଳରେ ସାମିଲ କରାଯାଇନାହିଁ । ସେହିପରି ମହମ୍ମଦ ସିରାଜଙ୍କୁ ମଧ୍ୟ ବାଦ ଦିଆଯାଇଛି ।

ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ- ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ ଗିଲ (ଉପଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ କିପର), ଯଶପ୍ରୀତ ବୁମ୍‌ରା, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ସଞ୍ଜୁ ସାମସନ (ୱିକେଟ କିପର), ହର୍ଷିତ ରାଣା, ରିଙ୍କୁ ସିଂ

ଅଧିକ ପଢନ୍ତୁ...‘ଶୁବମନ ଗିଲ୍‌ ହଠାତ୍ କେଉଁଠୁ ଆସିଗଲେ ?’ ଏସିଆ କପ୍ ଦଳରେ ଟେଷ୍ଟ ଅଧିନାୟକଙ୍କ ଚୟନ ବିରୋଧରେ କ୍ରିସ୍ ଶ୍ରୀକାନ୍ତ

ସେପ୍ଟେମ୍ବର ୯ରୁ ଆରମ୍ଭ ହେବ ପୁରୁଷ ଏସିଆ କପ୍‌ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ସେପ୍ଟେମ୍ବର ୨୮ ଯାଏ ଚାଲିବ । ଟି-୨୦ ଫର୍ମାଟରେ ଖେଳାଯିବ ମ୍ୟାଚ । ମୋଟ ୮ଟି ଦଳ ରହିଛନ୍ତି । ଦଳକୁ ଦୁଇଟି ଗ୍ରୁପରେ ବାଣ୍ଟ କରାଯାଇଛି । ଗ୍ରୁପ ଏରେ ପାରମ୍ପରିକ ପ୍ରତିନ୍ଦ୍ପନ୍ଦୀ ଭାରତ- ପାକିସ୍ତାନ ସମେତ ଓମାନ ଓ ୟୁଏଇ ରହିଛନ୍ତି । ଗ୍ରୁପ ବିରେ ଆଫଗାନିସ୍ତାନ, ବାଂଲାଦେଶ, ହକଂକଙ୍ଗ ଓ ଶ୍ରୀଲଙ୍କା ରହିଛନ୍ତି । ସେପ୍ଟେମ୍ବର ୧୪ରେ ଭାରତ-ପାକିସ୍ତାନ ମ୍ୟାଚ ଦୁବାଇରେ ଖେଳାଯିବ ।