ନୂଆଦିଲ୍ଲୀ,୩୧/୦୮:  ଆସନ୍ତାବର୍ଷ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ । ଏହା ପୂର୍ବରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ବିସିସିଆଇ ବଡ଼ ଅଫର ଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଧୋନୀଙ୍କୁ ଟିମ୍‌ ଇଣ୍ଡିଆର ମେଣ୍ଟର ଦାୟିତ୍ୱ ଦେବାକୁ ଚାହୁଁଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ପୂର୍ବ ଅଧିନାୟକ ଏମ୍‌ଏସଡି ଟି୨୦ ବିଶ୍ୱକପ ୨୦୨୧ରେ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳରେ ସୀମିତ ସମୟ ପାଇଁ ଏହି ଭୂମିକା ତୁଲାଇଥିଲେ । ରିପୋର୍ଟ ଅନୁସାରେ ଧୋନୀଙ୍କୁ ଟି-୨୦ ବିଶ୍ୱକପ ପାଇଁ ମେଣ୍ଟର କରିବାକୁ ପ୍ରସ୍ତାବ ଦିଆଯାଇଛି । ବର୍ତ୍ତମାନ ଗୌତମ ଗମ୍ଭୀର ଦଳର ମୁଖ୍ୟ କୋଚ ଥିବାକୁ ହୁଏତ ଧୋନୀ ଏହି ପ୍ରସ୍ତାବକୁ ଗ୍ରହଣ କରିନପାରନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇର ଏକ ସୂତ୍ର ଦାବି କରିଛି ଯେ ଧୋନୀଙ୍କୁ ପୁଣି ଥରେ ଟିମ୍ ଇଣ୍ଡିଆର ପରାମର୍ଶଦାତା ହେବାର ପ୍ରସ୍ତାବ ଦିଆଯାଇଛି । ବୋର୍ଡ ବିଶ୍ୱାସ କରେ ଯେ ପୂର୍ବତନ ଅଧିନାୟକଙ୍କ ମାର୍ଗଦର୍ଶନ ଭାରତୀୟ କ୍ରିକେଟରଙ୍କ ପରବର୍ତ୍ତୀ ପିଢ଼ିକୁ ତିଆରି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ତଥାପି, ଏହା କାହାକୁ ଅଛପା ନାହିଁ ଯେ ଗମ୍ଭୀର ଏବଂ ଧୋନୀଙ୍କ ସମ୍ପର୍କରେ ତିକ୍ତତା ରହିଛି । ଏପରି ପରିସ୍ଥିତିରେ, ଧୋନୀ ଏହି ପ୍ରସ୍ତାବକୁ ଗ୍ରହଣ କରିବାର ସମ୍ଭାବନା କମ୍ ।

ବିସିସିଆଇ ସୂତ୍ର କହିଛି, "ଧୋନୀଙ୍କୁ ପୁଣି ଥରେ ପରାମର୍ଶଦାତା ହେବାର ପ୍ରସ୍ତାବ ଦିଆଯାଇଛି। ୨୦୦୭ରେ ତାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ପ୍ରଥମ ଟି୨୦ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା ।  ମହେନ୍ଦ୍ର ସିଂହ ଧୋନିଙ୍କୁ ୨୦୨୧ ଟି୨୦ ବିଶ୍ୱକପ୍ ପୂର୍ବରୁ ଦଳର ପରାମର୍ଶଦାତା କରାଯାଇଥିଲା। କିନ୍ତୁ, ସେତେବେଳେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିପାରି ନଥିଲା। ଟିମ୍ ଇଣ୍ଡିଆ ୫ଟି ମ୍ୟାଚ୍ ମଧ୍ୟରୁ ୩ରେ ବିଜୟୀ ହୋଇଥିଲା । ସେହି ବର୍ଷ ଅଷ୍ଟ୍ରେଲିଆ ଟି୨୦ ବିଶ୍ୱକପ ବିଜେତା ହୋଇଥିଲା ।

କିଛି ରିପୋର୍ଟରେ ଦାବି କରିଛି ଯେ, ଧୋନୀ ଆଇପିଏଲ ୨୦୨୬ ପରେ ଅବସର ନେବେ । ଟି-୨୦ ବିଶ୍ୱକପ ୨୦୨୬ ଆରମ୍ଭ ହେବା ପାଇଁ ବହୁତ ସମୟ ବାକି ରହିଛି । ଧୋନୀ ଯଦି ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆର ମେଣ୍ଟ ହୁଅନ୍ତି ତେବେ ଯୁବ ଦଳ ପାଇଁ ବେଶ୍‌ ଲାଭଦାୟକ ହେବ । କିନ୍ତୁ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ଥିବାରୁ ଧୋନୀ ମେଣ୍ଟର ପ୍ରସ୍ତାବକୁ ଗ୍ରହଣ କରିବା ସମ୍ଭାବନା ବହୁତ କମ୍ । କାରଣ ଧୋନୀ ଓ ଗମ୍ଭୀରଙ୍କ ଅଧିକାଂଶ ଚିନ୍ତାଧାରା ମେଳ ଖାଏ ନାହିଁ ।