ନୂଆଦିଲ୍ଲୀ,୦୩/୧୨; କଣ ଟିମ୍ ଇଣ୍ଡିଆରେ କିଛି ଗଡ଼ବଡ଼ ଅଛି କି ? କୋଚ୍ ଗୌତମ-ରୋହିତ-କୋହଲିଙ୍କ ମଧ୍ୟରେ ସମ୍ପର୍କ ଗମ୍ଭୀର ଅଛି କି ? କଣ ଗମ୍ଭୀର ବନାମ ରୋହିତ-କୋହଲି ସ୍ଥିତି ଉପୁଜିଛି କି ? ସୋସିଆଲ ମିଡିଆଠୁ ନେଇ ଫ୍ୟାନ୍ସଙ୍କ ମନରେ ଏମିତି ପ୍ରଶ୍ନ ଭରି ରହିଛି । ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବ ଭାରତୀୟ ଦଳର ଦୁଇ ଭେଟେରାନ ତାରକା ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ । ୩ ଜଣଙ୍କ ବ୍ୟକ୍ତିଗତ ସମ୍ପର୍କ ଆଦୌ ଭଲ ନାହିଁ । ଚାଲିଛି ଶୀତଳ ଯୁଦ୍ଧ । ଯାହା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ଜଳଜଳ ହୋଇ ଦେଖାଯାଉଥିଲା । ଏହାକୁ ନେଇ ବିସିସିଆଇ ଚିନ୍ତାରେ ରହିଛି । ଆଜି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଜରୁରୀ ବୈଠକ ବସିବ ।

ପ୍ରଥମ ଦିନିକିଆ ବିଜୟ ଉତ୍ସବରେ ସାମିଲ ହୋଇନଥିଲେ ଶତକୀୟ ପାଳି ଖେଳିଥିବା ବିରାଟ କୋହଲି । ଭାରତୀୟ ଦଳର ବିଜୟ ପରେ ବାରମ୍ବାର ଡାକିବା ପରେ ବି ସେଲିବ୍ରେସନରେ ସାମିଲ ହୋଇନଥିଲେ ବିରାଟ କୋହଲି । ଏହା ସହିତ ରୋହିତ- ଗମ୍ଭୀରଙ୍କ ମଧ୍ୟରେ ହୋଟେଲ ଲବିରେ କିଛି ବିଷୟକୁ ନେଇ ଢେର ସମୟ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଥିଲା । କୋହଲି ଏହି ଚର୍ଚ୍ଚାରେ ସାମିଲ ହୋଇନଥିଲେ । ୩ ଜଣଙ୍କ ମଧ୍ୟରେ ସମନ୍ୱୟ ନଥିବା ସୂଚନା ମଧ୍ୟ ମିଳିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦ୍ରାବିଡଙ୍କଠୁ ଗମ୍ଭୀର ଦାୟିତ୍ୱ ନେବା ପରେ ସବୁକିଛି ଠିକ ଥିଲା । ହେଲେ ଅଷ୍ଟ୍ରେଲିଆ ଗସ୍ତ ପରେ ସବୁକିଛି ବଦଳିଗଲା । ଗମ୍ଭୀର ଦଳରେ ଯୁବ ଖେଳାଳିଙ୍କୁ ରଖିବାକୁ ଚାହୁଁଥିଲେ । ରୋହିତ-କୋହଲି ହଠାତ୍ ଟେଷ୍ଟରୁ ଅବସର ନେବା ସ୍ଥିତିକୁ ଆହୁରି ଜଟିଳ କରିଥିଲା । ସେହିଠାରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏ ସବୁକୁ ନେଇ ବିସିସିଆଇ କ୍ଷୁବ୍ଧ ରହିଛି । କୋହଲି-ରୋହିତଙ୍କ ପ୍ରଶଂସକ ଗମ୍ଭୀରଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି ଯାହା ବିସିସିଆଇକୁ ଚିନ୍ତାରେ ପକାଇଛି ।

ବିରାଟ କୋହଲି ଓ ରୋହିତଙ୍କ ଭବିଷ୍ୟତକୁ ନେଇ ବିସିସିଆଇ ଆଜି ରାୟପୁରରେ ଟିମ୍ ମ୍ୟାନେଜମେଣ୍ଟ ସହିତ ଜରୁରୀ ବୈଠକ କରିବ । ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ଦୁଇ ମହାରଥୀ ବିରାଟ-ରୋହିତଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ଆଭାସ ବିସିସିଆଇକୁ ମିଳିଛି । ଏହା ସହିତ ଦକ୍ଷିଣ ଆଫ୍ରିକାଠୁ ୨-୦ରେ ଟେଷ୍ଟ ହାରିବା ପରେ ବୋର୍ଡ ଖୁସି ନାହିଁ । ଦଳ ଚୟନ ସହ ଡ୍ରେସିଂ ରୁମ ଭିତରେ ସବୁ କିଛି ଠିକଠାକ କରିବାକୁ ବୁଧବାର ହେବାକୁ ଥିବା ଦ୍ବିତୀୟ ଦିନିକିଆ ପୂର୍ବରୁ ଏକ ଜରୁରୀ ବୈଠକ ଡାକିଛି ବିସିସିଆଇ ।  ମିଟିଂରେ ବୋର୍ଡ ଗମ୍ଭୀର ଏବଂ ଅଗରକରଙ୍କୁ ଟେଷ୍ଟ କ୍ରିକେଟ ରଣନୀତି, ଟିମ୍ ଚୟନ ଏବଂ ମ୍ୟାନେଜମେଣ୍ଟର ସିନିୟର ଖେଳାଳିଙ୍କ ସହ ସମ୍ପର୍କକୁ ସ୍ପଷ୍ଟୀକରଣ ମାଗିବେ । ଏହା ସହିତ ଦଳରେ ବାରମ୍ବାର ଅଦଳ ବଦଳ ପରିବର୍ତ୍ତେ ସ୍ଥିରତା ରଖିବା ଦିଗରେ ଆଲୋଚନା ହେବ ।