ଏ ସୃଷ୍ଟିରେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି । ବଡ଼ ମାଛ ସାନ ମାଛକୁ ଗିଳିଦିଏ । ବଡ଼ ସାପ ସାନ ସାପକୁ ଗିଳିଦିଏ । ସେଥିପାଇଁ ଆମେ ଭାବୁ ଯିଏ ଶ୍ରେଷ୍ଠ ସିଏ ହିଁ ବଞ୍ଚିରହିବ, ଅନ୍ୟମାନେ ଲୋପ ପାଇଯିବେ । ମାତ୍ର ସମୁଦ୍ର ଭିତରେ ତିମି ମାଛ ବି ବଞ୍ଚିରହେ, ଅନ୍ୟ ଛୋଟ ମାଛ ବି ବଞ୍ଚିରହନ୍ତି ।

ଅନେକ ସମୟରେ ଆମକୁ କୁହାଯାଇଥାଏ ଶ୍ରେଷ୍ଠ ହୁଅ । ସବୁଠୁ ଭଲ ପ୍ରଦର୍ଶନ କର । ଏପରିକି ବୈଜ୍ଞାନିକ ମେଣ୍ଡେଲ ମଧ୍ୟ କହିଲେ କେବଳ ଶ୍ରେଷ୍ଠ ହିଁ ବଞ୍ଚିରହିବ । ଅନ୍ୟମାନେ ତିଷ୍ଠିପାରିବେ ନାହିଁ । ତେଣୁ ପିଲାଟି ଦିନରୁ ଆମେ ଛୁଆଙ୍କୁ ସେଇ ଗୋଟିଏ କଥା କହୁ । ଯାହା କରୁଚ କର ଭଲ କର । ପ୍ରଥମ ହୁଅ । ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଲୋକଙ୍କର ବଞ୍ଚିବାର ଅଧିକାର ନାହିଁ । ଏ ପ୍ରକାର ପ୍ରତିଯୋଗିତା ମଣିଷକୁ ଧୀରେ ଧୀରେ ରୋବାଟ୍ରେ ପରିଣତ କରିସାରିଲାଣି । ପିଲାଟି ଜନ୍ମହେବା ଦିନରୁ ମରିବାଯାଏଁ କିଭଳି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବ, ଅନ୍ୟମାନଙ୍କୁ ପଛରେ ପକେଇ କିପରି ଆଗକୁ ମାଡ଼ିଯାଇ ପାରିବ ସେଇ ଚିନ୍ତାରେ ବ୍ୟସ୍ତ ରହୁଚି । କିନ୍ତୁ ପ୍ରକୃତରେ ଏହା କେତେ ସତ? ସତରେ କ’ଣ ଶ୍ରେଷ୍ଠମାନେ ହିଁ କେବଳ ବଞ୍ଚନ୍ତି? ଶ୍ରେଷ୍ଠମାନେ ହିଁ ଜିତନ୍ତି? ମହାଭାରତକୁ ଯିବା । କୌରବମାନେ ସଂଖ୍ୟା ଦୃଷ୍ଟିରୁ ପାଣ୍ଡବଙ୍କର ୨୦ଗୁଣା ଥିଲେ । କୌରବଙ୍କ ସପକ୍ଷରେ ଭୀଷ୍ମ, ଦ୍ରୋଣ, କର୍ଣ୍ଣ, କୃପାଚାର୍ଯ୍ୟଙ୍କ ସହ ଏଗାର ଅକ୍ଷୌହିଣୀ ସେନା ମଧ୍ୟ ଥିଲେ । କୌରବଙ୍କ ଭିତରେ ଦୁର୍ଯ୍ୟୋଧନ ଓ ଦୁଃଶାସନଙ୍କ ପରି ଶ୍ରେଷ୍ଠ ଗଦାଧରମାନେ ମଧ୍ୟ ଥିଲେ । ପାଣ୍ଡବଙ୍କ ପାଖରେ ମାତ୍ର ୭ ଅକ୍ଷୌହିଣୀ ସୈନ୍ୟବଳ ଥିଲା । ପାଣ୍ଡବଙ୍କ ମଧ୍ୟରେ ଭୀମ ଓ ଅର୍ଜୁନଙ୍କୁ ଛାଡିଦେଲେ ଅନ୍ୟମାନଙ୍କର ଯୁଦ୍ଧ ପାରଦର୍ଶିତା ସେଭଳି ଆଖିଦୃଶିଆ ନଥିଲା । କୌରବଙ୍କ ତୁଳନାରେ ପାଣ୍ଡବଙ୍କର ଶ୍ରେଷ୍ଠତ୍ୱ ନ୍ୟୁନତର ଥିଲା । ତଥାପି ସେମାନେ ଯୁଦ୍ଧରେ ବିଜୟୀ ହେଲେ । ଏବେ ଯେତେ ଆତ୍ମନିର୍ଭର ଭାରତ କଥା କୁହାଯାଉଛି ଅନେକଙ୍କ ମନରେ ଆଶଙ୍କା ରହିଛି ଭାରତୀୟ କମ୍ପାନୀମାନେ ବିଶ୍ୱବଜାରରେ ତାଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିବେ ନାହିଁ ଏବଂ ଚାଇନା ଭଳି ଦେଶମାନେ ଏ କ୍ଷେତ୍ରରେ ଅଗ୍ରଣୀ । ମାତ୍ର ଗୋଟିଏ ଚମତ୍କାର ତଥ୍ୟ ମତେ ବିହ୍ୱଳ କରିଥିଲା, ଯାହା ହେଲା ବଜାଜ୍ ଓ ଟିଭିଏସ୍ କମ୍ପାନୀଙ୍କର କାର୍ଯ୍ୟଦକ୍ଷତା । ବଜାଜ୍ ଓ ଟିଭିଏସ୍ କମ୍ପାନୀ ଭାରତରେ । ଦି’ଚକିଆ ଗାଡ଼ି ବଜାରରେ ଅଗ୍ରଣୀ । କିଛିବର୍ଷ ତଳେ ଯେତେେଳେ ଚାଇନିଜ୍ କମ୍ପାନୀମାନେ ବିଭିନ୍ନ କ୍ଷେତ୍ରରେ ତାଙ୍କ ପ୍ରଡକ୍ଟ ନେଇ ଭାରତୀୟ ବଜାରରେ ପ୍ରବେଶ କଲେ ଅନେକ ଟିଭି, କମ୍ପ୍ୟୁଟର, ମୋବାଇଲ କମ୍ପାନୀ ତାଙ୍କ ତଥାକଥିତ ଶ୍ରେଷ୍ଠତ୍ୱ ଆଗରେ ନଇଁଗଲେ । ମାତ୍ର ବଜାଜ୍ ଓ ଟିଭିଏସ୍ କମ୍ପାନୀ ତାଙ୍କୁ ମାତ୍ ଦେଇ ବଜାରରେ ତିଷ୍ଠିରହିଲେ । ଗୋଟେ ସମୟରେ ସମସ୍ତ ୟୁରୋପ ଓ ଆଫ୍ରିକା ବଜାରକୁ ଚାଇନିଜ୍ ଦି’ଚକିଆ କମ୍ପାନୀମାନେ ଦଖଲ କରିଥିଲେ । ମାତ୍ର ଆଜି ପୂରା ୟୁରୋପ ଓ ଆଫ୍ରିକାରେ ବଜାଜ୍ ଅଟୋମାବାଇଲ୍ସ ଓ ଟିଭିଏସ୍ ଏକ ଜଣାଶୁଣା ନାଁ । ଆଜି ସାରାବିଶ୍ୱରେ ବଜାଜ୍ ଅଟୋମାବାଇଲ ମାର୍କେଟରେ ଏକ ଅଗ୍ରଣୀ ସ୍ଥାନ ଦଖଲ କରିଛି । ମାତ୍ର ଦିନେ ଭାରତରେ ମଧ୍ୟ ତାକୁ ମଧ୍ୟବର୍ଗୀୟ ରୂପେ ବିବେଚନା କରାଯାଉଥିଲା । ତାର ତିଷ୍ଠିବା ପଛରେ ତାର ଶ୍ରେଷ୍ଠତ୍ୱ ଅପେକ୍ଷା ବହୁବିଧତା ଓ ଗ୍ରହଣୀୟତା ବେଶି କାମ ଦେଇଥିଲା । ଏହା ସବୁ ବର୍ଗର ଗ୍ରାହକଙ୍କୁ ଆକୃଷ୍ଟ କରିପାରିଥିଲା । ଏବେ ଦିନେ ଗୋଟେ ମୋଟିଭେସନାଲ ସ୍ପିକରଙ୍କ ଭାଷଣ ଶୁଣୁଥିଲି । ସେ କହୁଥିଲେ ୧୯୮୩ ମସିହାର ଭାରତୀୟ ଟିମ୍ ଦ୍ୱାରା ବିଶ୍ୱକପ୍ ବିଜୟୀର କାହାଣୀ । ଭାରତୀୟ ଟିମ୍ ସେତେବେଳେ ବିଶ୍ୱର ସର୍ବଶ୍ରେଷ୍ଠ ଟିମ୍ ୱେଷ୍ଟ ଇଣ୍ଡିଜ୍ ବିରୁଦ୍ଧରେ ଲଢ଼ୁଥିଲା । ଭାରତୀୟ ଟିମ୍ ଗୋଟେ ଦୁର୍ବଳ ଟିମ୍ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ଇଣ୍ଡିଜ୍ ଦଳରେ ଗ୍ରିନିଜ୍, ହେନ୍ସ, ରିଚାର୍ଡସ କ୍ଲାଇଭ୍ ଲଏଡ୍ଙ୍କ ଭଳି ବ୍ୟାଟ୍ସମ୍ୟାନ ଓ ମାର୍ଶାଲ, ହୋଲଡିଂ, ଗୋମ୍ସ, ଗାର୍ଣ୍ଣରଙ୍କ ଭଳି ବୋଲର ଥାଆନ୍ତି । ଏମାନେ ସମସ୍ତେ ସେ ସମୟର ଶ୍ରେଷ୍ଠ ଖେଳାଳି । ତାଙ୍କୁ ପଡ଼ିଆରେ ଦେଖିଲେ ଅପରପକ୍ଷ ମାନସିକ ଭାବେ ଦୁର୍ବଳ ହେଇଯାଆନ୍ତି । ମାତ୍ର ସେମାନଙ୍କ ଶ୍ରେଷ୍ଠତ୍ୱକୁ ପଦାନତ କରି ଭାରତୀୟ ଦଳ ବିଶ୍ୱକପ୍ ଜିତିଲା ଏବଂ ବିଶ୍ୱ କ୍ରିକେଟରେ ତାର ଦବ୍ଦବା ଆଜିପର୍ଯ୍ୟନ୍ତ ବଜାୟ ରଖିଆସିଚି । ସେଦିନ ଭାରତୀୟ ଦଳରେ ଖେଳାଳିମାନଙ୍କ ବ୍ୟକ୍ତିଗତ ଶ୍ରେଷ୍ଠତ୍ୱ ନୁହେଁ ବରଂ ତାଙ୍କର ବହୁମୁଖୀ ଯୁଗ୍ମ ପ୍ରଦର୍ଶନ ହିଁ ତାଙ୍କୁ ଜିତାଇଥିଲା । ଶ୍ରେଷ୍ଠ ହେବା ନିଶ୍ଚିତ ଭାବେ ଗୌରବର କଥା । ମାତ୍ର ବଞ୍ଚିରହିବାକୁ ହେଲେ ଶ୍ରେଷ୍ଠ ହେବା ସବୁବେଳେ ଜରୁରି ନୁହେଁ । ବ୍ୟକ୍ତିଗତ ଭାବେ ମୁଁ ଦେଖିଚି ଆମେ ସ୍କୁଲ ଓ କଲେଜରେ ପଢ଼ିଲାବେଳେ ଅନେକ ସାଙ୍ଗ ଯୋଉମାନେ ଶ୍ରେଣୀରେ ପ୍ରଥମ ହେଉଥିଲେ, କ୍ରୀଡ଼ାରେ ଭଲ କରୁଥିଲେ, ଭାଷଣ ଭଲ ଦଉଥିଲେ, ଯାହାଙ୍କୁ ଆମେ ଶ୍ରେଷ୍ଠ ବୋଲି ବିବେଚନା କରୁଥିଲୁ ସେମାନେ ପରବର୍ତ୍ତୀ ଜୀବନରେ କୁଆଡ଼େ ହଜିଗଲେ । ମାତ୍ର ଏମିତି କିଛି ଥିଲେ ଯୋଉମାନଙ୍କୁ କେହି କେବେ ଜାଣିନଥିଲେ, ସେମାନେ ନିଜ ନିଜ କ୍ଷେତ୍ରରେ ଉଠିଲେ, ବ୍ୟବସାୟରେ ସଫଳ ହେଲେ, ଅର୍ଥ ରୋଜଗାର କଲେ, ସମାଜରେ ପ୍ରତିଷ୍ଠିତ ବି ହେଲେ । ଏମାନେ ଯଦି ସ୍କୁଲବେଳେ ଭାବିନେଇଥାନ୍ତେ ଯେ ଆମେ କୋଉ କାମକୁ ନୁହେଁ, ଆମେ ବଞ୍ଚିରହି ଲାଭ କ’ଣ, ତେବେ ତ କଥା ସରିଥିଲା । କଥା ହଉଚି ଏ ସୃଷ୍ଟିରେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି । ବଡ଼ ମାଛ ସାନ ମାଛକୁ ଗିଳିଦିଏ । ବଡ଼ ସାପ ସାନ ସାପକୁ ଗିଳିଦିଏ । ସେଥିପାଇଁ ଆମେ ଭାବୁ ଯିଏ ଶ୍ରେଷ୍ଠ ସିଏ ହିଁ ବଞ୍ଚିରହିବ, ଅନ୍ୟମାନେ ଲୋପ ପାଇଯିବେ । ମାତ୍ର ସମୁଦ୍ର ଭିତରେ ତିମି ମାଛ ବି ବଞ୍ଚିରହେ, ଅନ୍ୟ ଛୋଟ ମାଛ ବି ବଞ୍ଚିରହନ୍ତି । ଜଙ୍ଗଲରେ ଆନାକୋଣ୍ଡା, ଅଜଗର ରହିବା ସହ ଅନ୍ୟ ଛୋଟ ଛୋଟ ସାପ ବଞ୍ଚିରହନ୍ତି । ବାଘ ଯେତେ ଖାଇଗଲେ ବି ହରିଣ ବଂଶ ଲୋପ ପାଏନା । ସେ ବଞ୍ଚିରହେ । ବଞ୍ଚିବା ପାଇଁ ଶ୍ରେଷ୍ଠତ୍ୱ ସବୁବେଳେ ଜରୁରି ନୁହେଁ । ଏଥିପାଇଁ ଲୋଡ଼ା ବଞ୍ଚି ରହିବାର କଳା । କାଳେ ସାପ ଗିଳିଦବ ବୋଲି ଏଣ୍ଡୁଅ ତାର ରଙ୍ଗ ବଦଳାଇ ବଞ୍ଚେ । ପରିସ୍ଥିତି ସହ ନିଜକୁ ଖାପଖୁଆଇ ଚଳେ ଓ ବଞ୍ଚିରହେ । କିଶୋର କୁମାର, ଲତା ମଙ୍ଗେଶକର, ରଫି ମୁକେଶ, ଆଶା ଭୋଁସଲେଙ୍କ ଭଳି ଶ୍ରେଷ୍ଠ କଣ୍ଠଶିଳ୍ପୀ ଯେତେବେଳେ ଥିଲେ ସେତେବେଳେ ତାଙ୍କ ଶ୍ରେଷ୍ଠତ୍ୱର ଛାଇ ତଳେ ମଧ୍ୟ ଆହୁରି ଅନେକ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ, କୁମାର ସାନୁ, ଉଦିତ ନାରାୟଣଙ୍କ ଭଳି ବାହାରିଲେ ଓ ନିଜକୁ ପ୍ରତିଷ୍ଠିତ କଲେ । ଗାନ୍ଧୀ ନେହେରୁ, ଶାସ୍ତ୍ରୀ, ପଟେଲଙ୍କ ଭଳି ଶ୍ରେଷ୍ଠ ରାଜନୀତିଜ୍ଞଙ୍କ ଶ୍ରେଷ୍ଠତ୍ୱ ଥିବା ସତ୍ତେ୍ୱ ମଧ୍ୟ ଅନେକ ନେତା ସେ ସମୟରେ ବାହାରିଥିଲେ ଓ ଦେଶର ପ୍ରଗତି ରଥକୁ ଆଗେଇ ନେଇଥିଲେ । ବରଗଛ ତଳେ ଅନ୍ୟ ଗଛ ଉଧାଏନା ବୋଲି ଆମର ଗୋଟେ କଥା ଅଛି । ମାତ୍ର କଥା ହଉଚି, ସମାଜର ଆବଶ୍ୟକତା ସବୁବେଳେ ଶ୍ରେଷ୍ଠ ଲୋକଙ୍କ ଦ୍ୱାରା ପୂରଣ ହୋଇପାରେ ନାହିଁ । ଛୋଟ ଛୋଟ ରୋଗ ପାଇଁ କେହି ବଡ଼ ବଡ଼ ଡାକ୍ତରଖାନାକୁ ଯାଏନା । ଛୋଟ ଛୋଟ ଜିନିଷ କିଣିବାକୁ କେହି ବଡ଼ ବଡ଼ ମଲ୍କୁ ଯାଏନା । ତେଣୁ ଛୋଟ ଡାକ୍ତରଖାନା, ଛୋଟ ଡାକ୍ତର, ଛୋଟ ଦୋକାନ ଛୋଟ ଦୋକାନୀ ବି ବେଳେବେଳେ ବଡ଼ କାମର ହେଇଥାନ୍ତି! ଯିବା ଆସିବା କରିବାକୁ ସବୁବେଳେ କାର୍ ବ୍ୟବହାର କାରିହୁଏନି, ବେଳେବେଳେ ସାଇକେଲ ବା ସ୍କୁଟି ବେଶି କାମର ହେଇଥାଏ । ତେଣୁ ପରିବେଶ ଓ ପରିସ୍ଥିତିକୁ ନେଇ କାହାର ଉପଯୋଗିତା କେତେ, କିଏ ତିଷ୍ଠିବ, କିଏ ବଞ୍ଚିବ, କିଏ ଗ୍ରହଣୀୟ ହେବ, କିଏ କେତେ ଆଦର ପାଇବ ତାର ନିର୍ଦ୍ଧାରଣ ହୁଏ । ରୋହୀ ମାଛ, ଇଲିସି ମାଛ ଯେତିକି ବିକ୍ରିହୁଏ, ଚୂନାମାଛ ବି ସେତିକି ବିକ୍ରିହୁଏ । ବ୍ରାଣ୍ଡେଡ ଦୋକାନରେ ଯେତିକି ବିକ୍ରିହୁଏ, ରାସ୍ତାକଡ଼ର ଉଠାଦୋକାନୀ ଫେରିବାଲା ବି ସେତିକି ବିକ୍ରି କରନ୍ତି । ଭଲ ନାମୀ ରେଷ୍ଟୁରାଣ୍ଟକୁ ଯେତିକି ଲୋକ ଯାଆନ୍ତି ଖାଇବାକୁ, ନନା ଭାଇନା ହୋଟେଲକୁ ତାଠୁ କମ୍ ଲୋକ ଯାଆନ୍ତିନାହିଁ । ସବୁ ଲୋକ ତ ଜଗନ୍ନାଥଙ୍କ ପାଖକୁ ଦୁଃଖ ଜଣେଇବାକୁ ଯାଇପାରନ୍ତି ନାହିଁ । ତା’ ଭିତରୁ କେହିକେହି ଗ୍ରାମଦେବତୀଙ୍କୁ ବି ଦୁଃଖ ଜଣେଇ ରହିଯାଆନ୍ତି । ଜଗନ୍ନାଥଙ୍କ ମହିମା ବଢ଼ିବାରେ, ଗ୍ରାମଦେବୀଙ୍କ ମହିମା ଉଣା ହୁଏନାହିଁ । ଗ୍ରାମଦେବତୀ ସବୁଠୁ ବଡ଼ଠାକୁର ନହେଇପାରନ୍ତି । ମାତ୍ର ସ୍ଥାନୀୟ ଆବଶ୍ୟକତା ପାଇଁ ସେ ଯଥେଷ୍ଟ! ସମସ୍ତେ ସ୍ୱର୍ଗଦ୍ୱାର ଯାଇପାରନ୍ତିନି । ତେଣୁ ଗାଁ ମଶାଣି ବି ଅନେକଙ୍କର ଶେଷ ଆଶ୍ରୟ ପାଲଟିଥାଏ । ତେଣୁ ସବୁଠୁ ଭଲ ଜିନିଷଟି ମୋର ହେବ । ସବୁଠୁ ଭଲ ପ୍ରଦର୍ଶନ ମୁଁ ହିଁ କରିବି, ସମସ୍ତଙ୍କ ଆଖିରେ ମୁଁ ଶ୍ରେଷ୍ଠ ହେବି ଏ ଧାରଣାରୁ ବେଳେବେଳେ ବାହାରିବାକୁ ପଡ଼ିବ । ଏ ଦୃଷ୍ଟିକୋଣ କିଛି ନିକୃଷ୍ଟ ନୁହେଁ । କେବଳ ସମୟର ଆବଶ୍ୟକତାକୁ ନେଇ କୋଉଟା ଭଲ, କୋଉଟା ଖରାପ ତାହା ନିର୍ଦ୍ଧାରିତ ହୁଏ । ମଶାଣିରେ ଦାହ ସଂସ୍କାର ପାଇଁ ଗଲାବେଳେ କୋଟ୍ ଟାଇ ପିନ୍ଧି ଯାଇହେବନାହିଁ ଯେତେ ଶ୍ରେଷ୍ଠ ତାହା ହେଇଥାଉ ପଛେ । ସେତେବେଳେ ଧୋତି[1]ଗାମୁଛା ହିଁ ପିନ୍ଧିବାକୁ ପଡ଼ିବ, ଯେତେ ନିକୃଷ୍ଟ ତାହା ମନେ ହଉଥାଉ ପଛେ! ତେଣୁ କୋଟ୍-ଟାଇ ସଂସାରରେ ଧୋତି-ଗାମୁଛା ଯେ ତିଷ୍ଠି ରହିବନାହିଁ ଏହା ଭାବିବା ଭୁଲ୍ । ଶ୍ରେଷ୍ଠ ବା ଉନ୍ନତ ତା’ ବାଟରେ ରହିବ, ଅନୁନ୍ନତ ତା’ ବାଟରେ ରହିବ । ଯାହାର ଯୋଉଠି ଉପଯୋଗିତା ସେ ସେଠି ନିଜ ସ୍ଥାନ ଖୋଜିନେବ । ଏ ସଂସାର ସମସ୍ତଙ୍କ ପାଇଁ, କେବଳ ବୀରମାନଙ୍କ ପାଇଁ ନୁହେଁ । ସମସ୍ତେ ବଞ୍ଚିବେ । ଯେ ଯାହା ବାଟରେ ବଞ୍ଚିବେ । ନିଜ ଖୁସିକୁ ନେଇ, ନିଜ ସ୍ୱପ୍ନକୁ ନେଇ ବଞ୍ଚିବେ । ଆଉ ଜଣେ କେହି ବଡ଼ ସ୍ୱପ୍ନ ଦେଖୁଥିବ ବୋଲି, ଆମେ ଆମ ସ୍ୱପ୍ନ ଦେଖିବାର ବିଭୋର ହେବାର ଅଧିକାରତକ ବିସର୍ଜନ କରିଦେଇପାରିବା ନାହିଁ । ତେଣୁ ବଡ଼ ହେଉ ବା ଛୋଟ, ଆମ ସ୍ୱପ୍ନ ଆମ ବିଭୋରପଣକୁ ନେଇ ଆମେ ବଞ୍ଚିଶିଖିବା ଉଚିତ୍ ।