ରାୟଗଡ଼ା, ୧୯/୦୨ : ଗାଁକୁ ଘାରିଛି ଭୂତ ଭୟ। ସଞ୍ଜ ନଇଁଲେ ଗାଁ ମୁଣ୍ଡରେ ଥିବା ଗଛରୁ ବାହାରୁଛି ଧୂଆଁ। ବିଳମ୍ଵିତ ରାତିରେ ଶୁଭୁଛି ବିକଟାଳ ଶବ୍ଦ। ଭୂତପ୍ରେତ ଭୟରେ ଗାଁ ଲୋକଙ୍କର ହଜିଛି ନିଦ। ଆତଙ୍କିତ ଅବସ୍ଥାରେ ରାତି କାଟୁଛନ୍ତି ଗ୍ରାମବାସୀ। ଅଧିକାଂଶ ଲୋକଙ୍କ ଘରେ ଜଳୁନି ଚୁଲି। କେତେବେଳେ କାହା ଦେହରେ ଆତ୍ମା ଲାଗିବ କହି ହେବନି। ଗତ ୫ ମାସ ଭିତରେ ଗଲାଣି ୫ ମୁଣ୍ଡ। ରାୟଗଡ଼ା ଜିଲ୍ଲାର ମାରିଗୁଡ଼ା ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। 

ରାୟଗଡ଼ା ସହରଠାରୁ ମାତ୍ର ୨ କିମି ଦୂର ମାରିଗୁଡ଼ା ଗାଁ। ଗତ ୫ ମାସ ଭିତରେ ଗାଁରେ ୫ ଜଣଙ୍କ ମୃତ୍ୟ ହୋଇଛି। ସେମାନଙ୍କ ଆତ୍ମା ଗାଁ ଭିତରେ ବୁଲିଛି । ଯାହାକି ଲୋକଙ୍କ ନିଦ ହଜାଇ ଦେଇଛି । ଭୂତ ଆଉ ପ୍ରେତାତ୍ମାକୁ ନେଇ ଲୋକ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଗତ ତିନିଦିନ ହେଲା ଅଧିକାଂଶ ଲୋକଙ୍କ ଘରେ ଠିକ୍‌ରେ ଚୁଲି ଜଳୁନି। ଗ୍ରାମବାସୀ କହିଛନ୍ତି, ଗତ ପାଞ୍ଚ ମାସ ମଧ୍ୟରେ ଗାଁର କାଣ୍ଟି ତାଡ଼ିଙ୍ଗି, ବାବୁ ମାଣ୍ଡାଙ୍ଗି, କାମ୍ବଲା କିଲକା, ପୁଲାମେ ମାଣ୍ଡାଙ୍ଗି ଓ ପୁଲ ମାଣ୍ଡାଙ୍ଗିଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ଆତ୍ମା କେତେବେଳେ କାହା ଦେହରେ ଲାଗୁଛି । ଲୋକ ଭୟ ଓ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗାଁର ଯୁବକମାନେ ଠେଙ୍ଗାବାଡ଼ି ଧରି ରାତି ଅନିଦ୍ରା ହେଉଛନ୍ତି । ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଏତେ ଭରିରହିଛି ଯେ ବାହାର ଲୋକଙ୍କୁ ଗାଁକୁ ନଆସିବା ପାଇଁ କହୁଛନ୍ତି । 

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଁକୁ ଲାଗି ନାଗାବଳୀ ନଦୀ ପ୍ରବାହିତ ହେଉଛି। ନଦୀରେ ଏବେ ଆଡ଼ିବନ୍ଧ ନିର୍ମାଣ ଚାଲିଛି। ଲୋକଙ୍କ ବିଶ୍ୱାସ ଗାଁ ବାନ୍ଧିବାକୁ ପୂର୍ବପୁରୁଷମାନେ ନଦୀ ନିକଟରେ ପୂଜାର୍ଚ୍ଚନା କରି ଔଷଧ ପୋତିଥିଲେ । ଏବେ ଜେସିବି ଲଗାଇ ଆଡ଼ିବନ୍ଧ ନିର୍ମାଣ ଚାଲିଥିବା ବେଳେ ଉକ୍ତ ସ୍ଥାନକୁ ସଂପୂର୍ଣ୍ଣ ଭଙ୍ଗାଯାଉଛି । ଫଳରେ ପ୍ରେତାତ୍ମା ଗୁଡ଼ିକ ବୁଲିବା ସହ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛନ୍ତି । ଗାଁ ବନ୍ଧିବାକୁ ହେଲେ ଦିଶାରୀ ପୂଜାର ଆବଶ୍ୟକତା ରହିଛି । ଗାଁରେ ପୂଜା କରିବାକୁ ଏକ ପୂଜାରୀ ମଧ୍ୟ ଠିକ୍‌ କରିଛନ୍ତି । ଜାନୀ ଦିଶାରୀ ପୂଜା ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଗ୍ରାମବାସୀ ବୈଠକ କରି ନିଷ୍ପତ୍ତି ଅନୁଯାୟୀ ଟଙ୍କା ସଂଗ୍ରହ କରାଯାଉଛି । ତେବେ ଏହି ଆଦିବାସୀ ସମ୍ପ୍ରଦାୟଙ୍କୁ ସଚେତନ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- ମୃତ୍ୟୁ ପୂର୍ବରୁ ହାତ ଠାରି ଡାକିଲେ, ହେଲେ ସେ ବୁଝିଲେ ନାହିଁ...