ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଖରା, ଗୁଳୁଗୁଳି ଯୋଗୁଁ ବଢ଼ୁଛି ବିୟର୍‌ ବେପାର: ଗତବର୍ଷ ପିଇଥିଲେ କୋଟିଏ ୩୧ ଲକ୍ଷ ଲିଟର, ଏବର୍ଷ ବି ୪୦ ଲକ୍ଷ ଲିଟର ପିଇସାରିଲେଣି

Published By : Prameya | April 28, 2025 9:58 AM

କଟକ,୨୮/୦୪: ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ଦିନ  ତାପମାତ୍ରା ପ୍ରାୟ ୫୦ ଡିଗ୍ରୀ ଭଳି ଅନୁଭୂତ  ହେଉଛି । ଆଉ କଲବଲ କରୁଥିବା  ଏହି ଟାଣ ଖରା ପାଇଁ ହଠାତ୍‌ ମଦ  ଦୋକାନରେ ‘ବିୟର୍‌’ ବିକ୍ରି ବଢ଼ିଯାଇଛି ।  ଚିଲ୍‌ଡ୍‌ ବା ଥଣ୍ଡା ବିୟର୍‌ ପିଇବାକୁ ସବୁ ମଦ ଦୋକାନରେ ଗହଳି ବାର୍‌ରେ  ବସିବାକୁ ଜାଗା ମିଳୁନି । କଟକ ସହର  ଓ ଏହାର ଆଖପାଖରେ ଚାହିଦା ଅଧିକ  ଥିବାରୁ ଡିପୋରେ ମଧ୍ୟ ପର୍ଯ୍ୟାପ୍ତ  ଷ୍ଟକ୍‌ ରଖାଯାଉଛି । ଅବକାରୀ ବିଭାଗ  ତଥ୍ୟ କହୁଛି, ମାର୍ଚ୍ଚ ମାସରୁ ଖରା ବଢ଼ିବା ପରେ ଇତିମଧ୍ୟରେ କଟକରେ  ପ୍ରାୟ ୪୦ ଲକ୍ଷ ଲିଟର ବିୟର୍‌ ବିକ୍ରି ହୋଇଗଲାଣି । ଖାଲି ସେତିକି ନୁହେଁ,  ଗତ ଆର୍ଥିକ ବର୍ଷରେ କଟକ ଜିଲ୍ଲାରେ  ରେକର୍ଡ ପରିମାଣର ୧ କୋଟି ୩୧  ଲକ୍ଷ ଲିଟର ବିୟର୍‌ ପିଇଛନ୍ତି ଲୋକେ ।    

ଗତ ଆର୍ଥିକ ବର୍ଷ ୨୦୨୪- ୨୫ରେ ସାଧାରଣ ନିର୍ବାଚନ ହୋଇଥିଲା ।  ଖରାରେ ଅର୍ଥାତ୍‌ ଏପ୍ରିଲ୍‌ ଓ ମେ’ ମାସରେ  ଜିଲ୍ଲାରେ ନିର୍ବାଚନୀ ହାୱା ବହୁଥିଲା ।  ତେଣୁ ଉକ୍ତ ଦୁଇ ମାସରେ ପ୍ରାୟ ୩୦  ଲକ୍ଷ ଲିଟର ବିୟର୍‌ କଟକ ଜିଲ୍ଲାରେ  ବିକ୍ରି ହୋଇଥିଲା । ତେବେ ଚଳିତ ବର୍ଷ  ହେଉଥିବା ଖରାଠାରୁ ଗତବର୍ଷ ସାମାନ୍ୟ  କମ୍‌ ଥିଲା । ତଥାପି ନିର୍ବାଚନ ବେଳେ  ଲୋକ ଚଳପ୍ରଚଳ ଅଧିକ ଥିବାରୁ ବିୟର୍‌  ବିକ୍ରିର ମାତ୍ରା ମଧ୍ୟ ଅଧିକ ରହିଥିବା  କୁହାଯାଉଛି । ପରେ ମେ’ ଓ ଜୁନ୍‌ରେ  ମଧ୍ୟ ପ୍ରାୟ ୩୨ ଲକ୍ଷ ଲିଟର ବିୟର୍‌ ବିକ୍ରି  ହୋଇଥିଲା । ଆଉ ଅବକାରୀ ବିଭାଗର  ଆର୍ଥିକ ବର୍ଷ ତଥ୍ୟ କହୁଛି, ୨୦୨୪  ଏପ୍ରିଲ୍‌ ୧ ତାରିଖରୁ ୨୦୨୫ ମାର୍ଚ୍ଚ ୩୧  ତାରିଖ ମଧ୍ୟରେ ୧ କୋଟି ୩୧ ଲକ୍ଷ  ୩୮ ହଜାର ୪୦୬ ଲିଟର ବିୟର୍‌ ବିକ୍ରି  ହୋଇଛି । ଏହାକୁ ବୋତଲ ଓ ଟିଣ  କେନ୍‌ରେ ହିସାବ କଲେ ପ୍ରାୟ ୨ କୋଟି  ବୋତଲ ଓ ଟିଣ ପ୍ୟାକ୍‌ ବିକ୍ରି ହୋଇଥିବା  ଅବକାରୀ ବିଭାଗ ସୂଚନା ଦେଇଛି ।    

ଏପରିକି ଅଲମ୍ପିକ୍‌ ଖେଳରେ  ସୁଇମିଂ ବା ପହଁରା ପାଇଁ ତିଆରି  କରାଯାଉଥିବା ବଡ଼ ସୁଇମିଂ ପୁଲ୍‌ର  ପାଣି ଧରିବା କ୍ଷମତା ପ୍ରାୟ ୨୫ ଲକ୍ଷ  ଲିଟର । ଅର୍ଥାତ୍‌ ଗତ ଆର୍ଥିକ ବର୍ଷରେ  ବିକ୍ରି ହୋଇଥିବା ବିୟର୍‌କୁ ଢାଳିଥିଲେ  ଏଭଳି ୫ଟି ବଡ଼ ସୁଇମିଂ ପୁଲ୍‌ ଭର୍ତ୍ତି  ହୋଇ ଆହୁରି ବଳିଥାନ୍ତା । ଅନ୍ୟପଟେ  ଚଳିତ ଗ୍ରୀଷ୍ମ ଋତୁ ଆରମ୍ଭ ହେବା  ଅର୍ଥାତ୍‌ ଗଲା ମାର୍ଚ୍ଚ ମାସରୁ ଏବେ  ଶେଷ ହେବାକୁ ବସିଥିବା ଏପ୍ରିଲ୍‌ ମାସ  ଭିତରେ କଟକରେ ପ୍ରାୟ ୪୦ ଲକ୍ଷ  ଲିଟର ବିୟର୍‌ ବିକ୍ରି ହୋଇସାରିଲାଣି ।  ମାର୍ଚ୍ଚ ମାସରେ ୧୫ରୁ ୧୬ ଲକ୍ଷ ଲିଟର  ବିୟର୍‌ ବିକ୍ରି ହୋଇଥିବା ବେଳେ ଚଳିତ  ଏପ୍ରିଲ୍‌ରେ ପ୍ରାୟ ୨୪ରୁ ୨୫ ଲକ୍ଷ ଲିଟର  ବିୟର୍‌ ବିକ୍ରି ହୋଇଛି । ଖରା ବଢ଼ିବାରୁ  ବିୟର୍‌ ବିକ୍ରି ଓ କାରବାର ବଢ଼ୁଥିବା  ଅବକାରୀ ବିଭାଗ କହୁଛି । ଏନେଇ  ନିର୍ଗୁଣ୍ଡି ପାଖ ସରକାରୀ ଡିପୋରେ  ପର୍ଯ୍ୟାପ୍ତ ବିୟର୍‌ ଷ୍ଟକ୍‌ ରହିଛି । ପ୍ରତିଦିନ  ନୂଆ ଷ୍ଟକ୍‌ ଆସି ଭର୍ତ୍ତି ହେଉଛି ।  

କଟକ ଜିଲ୍ଲାରେ ଏବେ ୧୧୮ଟି  ଠିପି ବନ୍ଦ ମଦ ଦୋକାନ ଅଛି । ଅର୍ଥାତ୍‌  ଯେଉଁ ଦୋକାନରୁ କେବଳ ମଦ କିଣି  ନେଇ ଅନ୍ୟତ୍ର ପିଇହେବ । ସେହିପରି  ୮୦ଟି ଠିପି ଖୋଲା ମଦ ଦୋକାନ ବା  ବାର୍‌ ରହିଛି । ଯେଉଁଠୁ ମଦ କିଣିବା  ପରେ ସେହିଠାରେ ପିଇହେବ । ତେଣୁ  ପ୍ରାୟ ୨ ଶହ ମଦ କାଉଣ୍ଟର୍‌ ପାଇଁ  ପ୍ରତିଦିନ ଏବେ ୧ ଲକ୍ଷ ଲିଟରରୁ  ଅଧିକ ବିୟର୍‌ ଆବଶ୍ୟକ ହେଉଛି ।  ଆଉ ଏହି ଡିମାଣ୍ଡ୍‌ ପୂରଣ ପାଇଁ ପ୍ୟାକିଂ  କମ୍ପାନିରେ ମଧ୍ୟ ଦୁଇ ସିଫ୍ଟରେ କାମ  ହେଉଥିବା ଅବକାରୀ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି । ଆଗକୁ ଖରା ଆଉ  ଦୁଇ ମାସ ରହିଛି । ତେଣୁ ବର୍ତ୍ତମାନ  ଭଳି ଏହି ଦୁଇ ମାସରେ ମଧ୍ୟ ସମାନ  ସ୍ଥିତି ଲାଗି ରହିବା ଆଶା କରାଯାଉଛି  ବୋଲି ଅବକାରୀ ଅଧୀକ୍ଷକ କରୁଣା  ଶଙ୍କର ତିୱାରୀ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.