ସକାଳେ ସୂର୍ଯ୍ୟ ଉଦୟ ସହ ବ୍ୟାୟାମ କରିବା ବେଶ୍ ଲାଭଦାୟକ । ପୁରୁଣାକାଳିଆ ବୟସ୍କ ଲୋକମାନେ ପ୍ରାୟତଃ ସୂର୍ଯ୍ୟୋଦୟ ସହ ହିଁ ବ୍ୟାୟାମ କରିଥାନ୍ତି । ଏମ୍ଡିପିଆଇର ଅଧ୍ୟୟନ ପାଇଁ ଅଧିକ ଓଜନ ଥିବା ବୟସ୍କ ଲୋକମାନଙ୍କୁ ସକାଳେ ଓ ସଂଧ୍ୟାରେ ବ୍ୟାୟାମ କରିବାକୁ ୨ ଭାଗରେ ବଣ୍ଟା ଯାଇଥିଲା । ଉଭୟ ଗ୍ରୁପର ଲୋକମାନେ ବ୍ୟାୟାମ କରିବା ଦ୍ୱାରା ଶକ୍ତି ବଢିଥିଲା । କିନ୍ତୁ ସକାଳେ ବ୍ୟାୟାମ କରୁଥିବା ଲୋକଙ୍କଠାରେ ଅଧିକ ଶକ୍ତି ଆସୁଥିବାର ଦେଖାଯାଇଥିଲା । ଏହି ଗବେଷଣାରୁ ଜଣାପଡିଛି ଯେ ସଂଧ୍ୟା ଅପେକ୍ଷା ସକାଳେ ବ୍ୟାୟାମ କରୁଥିବା ଲୋକଙ୍କଠାରେ ଶକ୍ତି ଅଧିକ ଆସିଥାଏ ଅର୍ଥାତ୍ ସକାଳେ ବ୍ୟାୟାମ କରିବା ଦ୍ୱାରା ଅନେକ ଫାଇଦା ହୋଇଥାଏ । ଯେପରିକି-

ଓଜନ କମିବା: ସକାଳେ ବ୍ୟାୟାମ କରିବା ଦ୍ୱାରା ମେଟାବଲିଜିମ୍ ବଢିବା ସହ ଅଧିକ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । ଏହି ସମୟରେ ବ୍ରିକ୍ସ ୱାର୍କ, ଜଗିଂ, ସ୍କିପିଂ ପରି ବ୍ୟାୟାମ କରିବା ଦ୍ୱାରା ଓଜନ କମିବାରେ ସହଯୋଗ ମିଳିଥାଏ । ଏହି ବ୍ୟାୟାମ କରିବା ପରେ ଏକ ଗ୍ଲାସ୍ ହାଲ୍କା ଉଷୁମ ପାଣି ପିଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ ।

ଷ୍ଟ୍ରେସ୍ କମ୍ ହୁଏ: ସକାଳ ସୂର୍ଯ୍ୟ ଆସିବା ସହ ବ୍ୟାୟାମ କରିବା ଦ୍ୱାରା ସକାରାତ୍ମକତା ସହ ଦିନର ଆରମ୍ଭ ହୋଇଥାଏ । ଏହାଦ୍ୱାରା ଭାବନାତ୍ମକ ସନ୍ତୁଳନ ରହିବା ସହ ଚିନ୍ତା କମିଥାଏ । ଚିନ୍ତା କମ୍ କରିବା ପାଇଁ ସକାଳେ ଭ୍ରାମରୀ ପ୍ରାଣାୟାମ, ଅନୁଲୋମ-ବିଲୋମ ବ୍ରିକ୍ସ ୱାର୍କ ଓ ତାଡାସନ ଆଦି କରିପାରିବେ ।

ହୃଦଘାତରୁ ସୁରକ୍ଷା ମିଳେ: ସକାଳ ସୂର୍ଯ୍ୟକିରଣ ଆସିବା ସହ ବ୍ୟାୟାମ କରିବା ଦ୍ୱାରା ରକ୍ତ ସଞ୍ଚାଳନ ତୀବ୍ର ହେବା ସହ ରକ୍ତଚାପ ନିୟନ୍ତ୍ରିତ ରହିଥାଏ । ଫଳରେ ହୃଦ୍ଘାତର ଆଶଙ୍କା କମ୍ ରହିଥାଏ ।

ନିଦର ଗୁଣବତ୍ତା ବଢିଥାଏ: ସକାଳେ ବ୍ୟାୟାମ କରିବା ଦ୍ୱାରା ଶରୀରର ବାୟୋଲୋଜିକାଲ୍ କ୍ଲକ୍ ଠିକ୍ ରହିଥାଏ । ଶୀଘ୍ର ଉଠି କାମ କରିବା ଦ୍ୱାରା ଠିକ୍ ସମୟରେ କାମ ସରିଥାଏ । ଫଳରେ ଏହାର ସକାରାତ୍ମକ ପ୍ରଭାବ ଶରୀର ଉପରେ ପଡିଥାଏ । ତେଣୁ ରାତିରେ ଭଲ ନିଦ ହେବା ସହ ଅନିଦ୍ରାଜନିତ ସମସ୍ୟା ଦୂର ହୁଏ ।

ଫୋକସ୍ ବଢେ: ସକାଳୁ ବ୍ୟାୟାମ କରିବା ଦ୍ୱାରା ଶରୀରକୁ ଅମ୍ଲଜାନ ସପ୍ଲାଇ ବଢିଥାଏ । ଫଳରେ ବ୍ୟକ୍ତିର ଫୋକସ୍ ବଢିଥାଏ । ଫୋକସ୍ ବଢିବା ପାଇଁ ବୃକ୍ଷାସନ ଓ କପାଳଭାତି କରିପାରିବେ ।