ନୂଆଦିଲ୍ଲୀ,୧୦/୧୧:  ବିଜେପି କାର୍ଯ୍ୟାଳୟ ଭିତରେ ନେତାଙ୍କ ମୃତଦେହ ଉଦ୍ଧାର। ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗାନା ଜିଲ୍ଲାର ଉସ୍ଥିରୁ ସାମ୍ନାକୁ ଆସିଛି ଏଭଳି କିଛି ଆଶ୍ଚର୍ଯ୍ୟଜନକ ମାମଲା। ଏହି ମାମଲାରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ତେବେ ମୃତ ବିଜେପି ନେତା ପୃଥ୍ୱୀରାଜ ନସ୍କର ବୋଲି ଜଣାପଡିଛି। 

ତେବେ ସେ ଦଳର ସୋସିଆଲ ମିଡିଆ ଆକାଉଣ୍ଟ ପରିଚାଳନା କରୁଥିଲେ। ଶୁକ୍ରବାର ରାତିରେ ତାଙ୍କ ମୃତଦେହ ପାର୍ଟି ଅଫିସରେ ମିଳିଥିଲା। ତାଙ୍କ ପରିବାର ଲୋକଙ୍କ କହିବା କଥା ସେ ନଭେମ୍ବର ୫ ତାରିଖରୁ ନିଖୋଜ ଥିଲେ। ସେପଟେ ଏହି ଘଟଣାକୁ ନେଇ ତୃଣମୂଳ କଂଗ୍ରେସକୁ ଘେରିଛି ବିଜେପି। ତେବେ ପୋଲିସ କହିଛି ଯେ ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି ଏବଂ ହତ୍ୟାର କାରଣ ଜାଣିବା ପାଇଁ ଉଦ୍ୟମ ଚାଲିଛି। ଗିରଫ ମହିଳା ଜଣକ ପୃଥ୍ୱୀରାଜ ନସ୍କରଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରିଥିଲେ ବୋଲି ସ୍ୱୀକାର କରିଛି। ଏହି କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି। ତେବେ କାହିଁକି ତାଙ୍କୁ ହତ୍ୟା କରାଗଲା ଏହି ମାମଲାରେ ଆଉ କିଏ ସାମିଲ ଅଛନ୍ତି ନା ନାହିଁ ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଏହାପୂର୍ବରୁ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ତୃଣମୂଳ କଂଗ୍ରେସର ଜଣେ ସ୍ଥାନୀୟ ନେତାଙ୍କୁ ମଧ୍ୟ ପିଟିପିଟି ହତ୍ୟା କରାଯାଇଥିଲା। ରାତିରେ ସେ ଘରକୁ ଫେରୁଥିବା ବେଳେ ବୋଲପୁର ସହର ନିକଟ ପାରଲଡଙ୍ଗା ଠାରେ କିଛି ଲୋକେ ୪୦ ବର୍ଷିୟ ସମୀର ଥାଣ୍ଡରଙ୍କ ଉପରକୁ ଆକ୍ରମଣ କରିଥିଲେ।