ଠାକୁରମୁଣ୍ଡା,୨୬/୧୦: କରଞ୍ଜିଆରେ ବୁଲୁଛି ବାଘ ପ୍ରଚାର ହେବା ପରେ ଆଖ ପାଖ ଗ୍ରାମରେ ଖୋଳିଗଲା କୋକୁଆ ଭୟ। କୁରମୁଣ୍ଡା ରେଞ୍ଜ କାଳିଆଜିଆଣି ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲକୁ ଶିମିଳିପାଳ କୋର ଏରିଆରୁ ବୁଲୁଛି ମହାବଳ ବାଘ। ବାଘକୁ ସ୍ଥାନୀୟ ଲୋକେ ଗୁରବାର ଦିନ ଦେଖିବାକୁ ପାଇଥିବା ବୋଲି ଦାବି କରିଥିଲେ । ସେଠାରେ ବାଘ ପାଦ ଚିହ୍ନ ପଡି ରହିଛି।
ବାଘ ଆସିଥିବା ଖବର ପାଇ ଉକ୍ତ ଅଞ୍ଚଳରେ ବନ କର୍ମଚାରୀମାନେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଘଟଣାସ୍ଥଳକୁ କରଞ୍ଜିଆ ଡିଏଫଓ ବୈଦ୍ୟନାଥ ମାଝୀ, ଏସିଏଫ ପ୍ରଭାତ କୁମାର କୁଅଁର, ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ଉମାକାନ୍ତ ବେହେରା, ସାତକୋଶିଆ ରେଞ୍ଜ ଅଧିକାରୀ ରବୀନ୍ଦ୍ର ମହାନ୍ତ ସମେତ ବନବିଭାଗର କର୍ମଚାରୀମାନେ ପହଞ୍ଚି ବାଘ ର ପାଦ ଚିହ୍ନ ଦେଖିବା ସହ ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ପାଦ ଚିହ୍ନରୁ ଏହା ମହାବଳ ବାଘ ବୋଲି ଜଣାପଡ଼ିଛି । ଚାଲି ଆସିଥିବା ବାଘ କୌଣସି କ୍ଷତି କରି ନଥିବା ଜଣାପଡ଼ିଛି । ବାଘର ଗତିବିଧିକୁ ନଜର ରଖିବା ପାଇଁ ଜଙ୍ଗଲ ଭିତରେ କ୍ୟାମେରା ଲଗାଯାଇଛି ବୋଲି ବନ ବିଭାଗ କହିଛି । ତେବେ ବାଘର କୌଣସି ଉପସ୍ଥିତି ଅନ୍ୟ ଅଞ୍ଚଳରେ ସୂଚନା ମିଳିନଥିବା କିମ୍ବା କୌଣସି କ୍ୟାମେରାରେ ଆସି ନଥିବାରୁ ବାଘ ପୁଣି ଶିମିଳିପାଳ ଭିତରକୁ ଚାଲି ଯାଇଥାଇପାରେ ବୋଲି ଏସି ଏଫ ପ୍ରଭାତ କୁମାର କୁଅଁର କହିଛନ୍ତି ।