ଚନ୍ଦନେଶ୍ୱର,୦୫/୦୪: ଭୋଗରାଇର ତାଳସାରୀ  ବେଳାଭୂମିରେ ଗତ ରବିବାର ଅପରାହ୍ନରେ ପଶ୍ଚିମବଙ୍ଗର  ଚଳଚ୍ଚିତ୍ର ଅଭିନେତା ରାହୁଲ ଅରୁଣୋଦୟ ବାନାର୍ଜୀଙ୍କ ସଲିଳ ସମାଧି ଘଟିଥିଲା । ଘଟଣାକୁ ୬ ଦିନ ବିତିବାକୁ ବସିଥିବା  ବେଳେ ଶନିବାର ବିଳମ୍ବିତ ରାତିରେ ତାଳସାରୀ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସ୍ତ୍ରୀ ପ୍ରିୟଙ୍କା । ତାଳସାରୀ ବେଳାଭୂମିରେ ସୁଟିଂ ବେଳେ  ଅସାବଧାନତାବଶତଃ ପଶ୍ଚିମବଙ୍ଗର ସୁନାମଧନ୍ୟ ନାୟକ ଶ୍ରୀ ବାନାର୍ଜୀଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଖବର ଚଳଚ୍ଚିତ୍ର  ଜଗତରେ ଶୋକର ଛାୟା ଖେଳିଯାଇଥିଲା । ପଶ୍ଚିମବଙ୍ଗ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଶୋକ ପ୍ରକାଶ କରିଥିଲେ ।  

ଶନିବାର ମୃତକଙ୍କ ସ୍ତ୍ରୀ ପ୍ରିୟଙ୍କା ସରକାରଙ୍କ ସହ ଅଭିନେତା  ସୌରଭ ଚାଟ୍ଟାର୍ଜୀ, ରିତୁପର୍ଣ୍ଣା ସେନଗୁପ୍ତ, ପ୍ରସନ୍ନଜିତ  ଚାଟାର୍ଜୀଙ୍କ ସମେତ ୧୦ରୁ ଅଧିକ ସିରିଏଲ ଏବଂ ଚଳଚ୍ଚିତ୍ର ଜଗତର ନାୟକ, ନାୟିକାଙ୍କ ସମେତ ବାଲେଶ୍ୱରର ଅତିରିକ୍ତ  ଏସପି ଦିବ୍ୟଜ୍ୟୋତି ଦାଶ, ଜଳେଶ୍ୱର ଏସଡିପିଓ ସୁବ୍ରତ  କୁମାର ବେହେରା, ତାଳସାରୀ ସାମୁଦ୍ରିକ ଥାନା ଅଧିକାରୀ  ଶ୍ରବଣ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

​​​​​​​

ସୂଚନା  ଥାଉ କି, ପଶ୍ଚିମବଙ୍ଗର ଏକ ସଂସ୍ଥା ପକ୍ଷରୁ ରବିବାର  ଅପରାହ୍ନରେ "ଭୋଲେ ବାବା ପାରକରେଗା’ ନାମକ ଟେଲି  ଫିଲ୍‌ମ ସୁଟିଂ ହେଉଥିଲା । ସମୁଦ୍ରରେ ବୋଟ ଉପରେ  ସୁଟିଂ ସମୟରେ ହିରୋ ହିରୋଇନଙ୍କ ଗୋଡ଼ ଖସିଯିବାରୁ  ଉଭୟେ ପାଣିରେ ପଡ଼ିଯାଇଥିଲେ । ନାୟିକାଙ୍କୁ ତୁରନ୍ତ  ଉଦ୍ଧାର କରାଯାଇଥିବା ବେଳେ ରାହୁଲଙ୍କୁ କିଛି ସମୟ ପରେ ପାଣିରୁ ଉଦ୍ଧାର କରି ଦୀଘା ହସ୍ପିଟାଲକୁ ନିଆଯାଇଥିଲା ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ଅଧିକ ପଢ଼ନ୍ତୁ :-  ତୁମର ଫିଜିକ୍ସରେ କମ୍ ମାର୍କ ଅଛି... ବଢ଼ାଇବାକୁ ଚାହଁଛ କି ? ଏହି ଫୋନ୍‌ ପେ’ ନମ୍ବରରେ ୫ ହଜାର ପଠାଅ...