ମୁମ୍ବାଇ,୦୬/୦୯: ମାୟାନଗରୀ ମୁମ୍ବାଇରେ ଏକ ହାଇପ୍ରୋଫାଇଲ୍ ସେକ୍ସ ର୍ୟାକେଟ୍ର ହୋଇଛି ପର୍ଦ୍ଦାଫାସ । ସ୍ଥାନୀୟ କାଶିମିରାସ୍ଥିତ ମୁମ୍ବାଇ-ଅହମ୍ମଦାବାଦ ରାଜପଥ କଡ଼ରେ ଥିବା ଏକ ମଲ୍ରୁ ର୍ୟାକେଟ୍ର ରାଣୀ ମହୁମାଛି ତଥା ବେଙ୍ଗଲୀ ଅଭିନେତ୍ରୀ ଅନୁଷ୍କା ମୋନୀ ମୋହନ ଦାସ ଓରଫ ମୁନ୍ ଦାସଙ୍କୁ ଗିରଫ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ଜଣେ ଟିଭି ଅଭିନେତ୍ରୀ ଏବଂ ଜଣେ ବଙ୍ଗଳା ଫିଲ୍ମ ଅଭିନେତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଏହାପରେ ସେମାନଙ୍କୁ ସୁରକ୍ଷିତ ଆଶ୍ରୟ ଗୃହ ପଠାଯାଇଛି । ଘଟଣାରେ ଅନ୍ୟ ୨୦ ଜଣଙ୍କୁ ବି ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ବାର୍ ମାଲିକ, ମ୍ୟାନେଜର ଏବଂ ୱେଟର ରହିଛନ୍ତି । ଏହି ଘଟଣା ମୁମ୍ବାଇରେ ଚର୍ଚ୍ଚାର ବିଷୟ ପାଲଟିଛି ।
୪୧ ବର୍ଷୀୟା ଅଭିନେତ୍ରୀ ଅନୁଷ୍କା ମୋନୀ ହିଁ ଏହି ର୍ୟାକେଟ୍ ଚଳାଉଥିଲେ । ଅଭିନୟ ଜଗତରେ ନାଁ କମେଇବା ଆଶା ନେଇ ଆସୁଥିବା ଯୁବତୀଙ୍କୁ ସେ ଲୋଭ ଦେଖାଇ ଏଥିରେ ଲଗାଉଥିଲେ । ଯୁବତୀମାନେ ର୍ୟାକେଟ୍ରେ ସାମିଲ ହୋଇ ହାଇପ୍ରୋଫାଇଲ୍ ଗ୍ରାହକଙ୍କ ଶଯ୍ୟାସଙ୍ଗିନୀ ସାଜୁଥିଲେ । ପୁଲିସକୁ ଏ ନେଇ ସୂଚନା ମିଳିବା ପରେ ତନାଘନା ଆରମ୍ଭ ହୋଇଥିଲା ।
ପୁଲିସ ପ୍ରଥମେ ଦୁଇଜଣଙ୍କୁ ମିଛରେ ଗ୍ରାହକ କରି ଅନୁଷ୍କା ମୋନୀଙ୍କ ସହ ଯୋଗାଯୋଗ କରିବାକୁ କହିଥିଲା । ସେମାନେ ଯୋଗାଯୋଗ କରିବା ପରେ ଅନୁଷ୍କା ମୋନୀ ସେମାନଙ୍କୁ କାଶିମିରାଠାରେ ଥିବା ମଲ୍କୁ ଯିବାକୁ କହିଥିଲେ । ସେମାନେ ଯାଇ ପହଞ୍ଚିଥିଲେ । ସେମାନଙ୍କଠାରୁ ଟଙ୍କା ନେଉଥିବା ବେଳେ ଅନୁଷ୍କା ମୋନୀଙ୍କୁ ପୁଲିସ ଧରିଥିଲା । ଏହି ସମୟରେ ଦୁଇଜଣ ଯୁବତୀଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା । ଡାକ୍ତରୀମାଇନା ପରେ ଉଭୟଙ୍କୁ ଆଶ୍ରୟ ଗୃହ ପଠାଯାଇଥିଲା ।
ଅନୁଷ୍କାଙ୍କ ବିରୋଧରେ ବିଏନ୍ଏସ୍ ଧାରା ୧୪୩(୩)ରେ ମାମଲା ରୁଜୁ ହୋଇଥିବା ସହକାରୀ ପୁଲିସ କମିଶନର ମଦନ ବଲ୍ଲାଲ କହିଛନ୍ତି । ଅନୁଷ୍କାଙ୍କୁ ବିଚାର ବିଭାଗୀୟ ହାଜତ ପଠାଯାଇଛି । ର୍ୟାକେଟ୍ରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଚଢ଼ଉ ଜାରି ରହିଛି । ବେଙ୍ଗଲୀ ଅଭିନେତ୍ରୀ ଅନୁଷ୍କା ମୋନୀ ବଙ୍ଗଳା ଚଳଚ୍ଚିତ୍ର ‘ଲୋଫର’ରେ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏଥିସହ ସେ ବିଭିନ୍ନ ବିଜ୍ଞାପନରେ ନଜର ଆସିଛନ୍ତି ।