ଭୁବନେଶ୍ୱର, ୨୩/୧୧: ଶୀତ ପଡିବା ପରେ ଅଧିକାଂଶ ଲୋକ ଥଣ୍ଡା, ଜ୍ୱର ଓ କାଶରେ ଆକ୍ରାନ୍ତ ହୋଇଥାନ୍ତି । ବିଶେଷ କରି ଛୋଟ ପିଲା ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏସବୁ ରୋଗର ଘରୋଇ ଉପଚାର କରାଯାଇ ପାରିବ । ଏହାର ଘରୋଇ ଉପଚାର ପାଇଁ ତୁଳସୀ ସର୍ବୋତ୍ତମ । ତୁଳସୀର ବ୍ୟବହାର କରି ଆପଣ ଏନେକ ରୋଗରୁ ମୁକ୍ତି ପାଇ ପାରିବେ ।

ଶୀତ ଦିନରେ ଥଣ୍ଡା ବଢ଼ିବା ସହ ବଢ଼ିବାରେ ଲାଗିଛି, ଜ୍ୱର ଓ ଥଣ୍ଡା ରୋଗୀଙ୍କ ସଂଖ୍ୟା । ଏଥିରୁ ମୁକ୍ତି ପାଇଁ ରୋଗୀ ଏଲୋପାଥିକ୍ ଔଷଧ ଆଣି ଖାଉଛନ୍ତି । କାଶରୁ ମୁକ୍ତି ପାଇବା ପାଇଁ କଫ୍ ସିରପ ଖାଉଛନ୍ତି । ହେଲେ, ବାଡିରେ ଥିବା ତୁଳସୀ ପତ୍ର, ଅଁଳା, ଘିକୁଆଁରୀ, ତେଜପତ୍ର ଭଳି ଔଷଧିୟ ଗଛକୁ ଗୁରୁତ୍ୱ ଦେଇନଥାଉ । କିନ୍ତୁ ଏସବୁର ବ୍ୟବହାର ଦ୍ୱାରା ଥଣ୍ଡା, ଜ୍ୱର, କାଶ ଭଳି ରୋଗରୁ ଅନେକ ମାତ୍ରାରେ ଉପଶମ ମିଳିଥାଏ । ତୁଳସୀ ପତ୍ରର ରସ ବ୍ୟବହାର କରିବା ଦ୍ୱାରା, ରୋଗୀର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଯାହା ଫଳରେ ଥଣ୍ଡା, ଜ୍ୱର, କାଶ ନିୟନ୍ତ୍ରଣରେ ରହିଥାଏ ।

ଏହା ସହ ଆପଣ ତୁଳସୀ, ଅଦା, ତେଜପତ୍ର, ଲବଙ୍ଗ ଏବଂ ମହୁ ଇତ୍ୟାଦିରେ ଚା ମଧ୍ୟ ପ୍ରସ୍ତୁତ କରି ପିଇ ପାରିବେ । ଏହା ଆପଣଙ୍କ ଶରୀରକୁ ଆରାମ ଦେବା ସହ ଥଣ୍ଡା ଜ୍ୱରରୁ ମଧ୍ୟ ଉପଶମ ଦେଇଥାଏ । କେବଳ ସେତିକି ନୁହେଁ, ଏହା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇଥାଏ ।