ନୂଆଦିଲ୍ଲୀ,୧୯।୫: ପୁରା ଗାଜା ଦଖଲ କରିବାର ଯୋଜନା କରୁଛି ଇସ୍ରାଏଲ। ଏନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସୋମବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗାଜାର ପୁରା ଅଞ୍ଚଳକୁ ନିୟନ୍ତ୍ରଣରେ ନେବାର ଅଛି, କାରଣ ସେନା ଯୁଦ୍ଧଗ୍ରସ୍ତ କ୍ଷେତ୍ରର ଅଭିଯାନକୁ ଆଗକୁ ବଢାଇଛି। ଟେଲିଗ୍ରାମ୍ରେ ପୋଷ୍ଟ କରିଥିବା ଭିଡିଓରେ ନେତାନ୍ୟାହୁ କହିଚନ୍ତି, ଲଢେଇ ତୀବ୍ର ରହିଛି ଓ ଆମେ ପ୍ରଗତି କରୁଛୁ। ଆମେ ପୁରା ଗାଜା ପଟି କୁ ଦଖଲ କରିନେବୁ।’ ଏହା ଭିତରେ ଇସ୍ରାଏଲୀ ସେନା ଗାଜାର ଅନ୍ୟ ବଡ଼ ସହର ଖାନ୍ ୟୁନିସ୍ ଓ ଆଖପାଖର ଅଞ୍ଚଳକୁ ଖାଲି କରିବାକୁ ନିର୍ଦେଶ ଦେଇଛି। ସାମରିକ ମୁଖପାତ୍ର ଅଭିଚାୟ ଅନ୍ଦ୍ରାଇ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ନିର୍ଦେଶ ଦେଇଛନ୍ତି ଯେ, ପୁରା ଅଞ୍ଚଳ ବିପଦଜନକ ଯୁଦ୍ଧ କ୍ଷେତ୍ର ବୋଲି ମନେକରାଯିବ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏହା ସ୍ବୀକାର କରିଛନ୍ତି ଯେ, ସେ ଗାଜାକୁ ସହାୟତା ଦେବାର ନିଷ୍ପତ୍ତି ସହଯୋଗୀଙ୍କ ଚାପ କାରଣରୁ ନିଆଯାଇଛି। ସେ କହିଛନ୍ତି, ଇସ୍ରାଏଲର ସହଯୋଗୀ ଭୋକିଲା ଲୋକଙ୍କ ଫଟୋକୁ ଦେଖି ଚିନ୍ତା ପ୍ରକାଶ କରିଛନ୍ତି। ନେତନ୍ୟାହୁ କହିଛନ୍ତି, ଦୁନିଆରେ ଇସ୍ରାଏଲର ସବୁଠାରୁ ବଡ଼ ବନ୍ଧୁ କହିଛି, ଆମେ ଏହି ଜିନିଷକୁ ବରଦାସ୍ତ କରିବୁନି। ଆମେ ଆପଣଙ୍କର ସମର୍ଥନ କରିପାରିବୁନି। ତେଣୁ ଜିତିବା ପାଇଁ ଆମକୁ ଯେ କୌଣସି ଭାବରେ ସମସ୍ୟାର ସମାଧାନ କରିବାକୁ ହେବ।’ ସେ କହିଛନ୍ତି, ଯେଉଁ ସହାୟତା ଦିଆଯିବ ତାହା ନ୍ୟୁନତମ ରହିବ। ତେବେ ସେ ଏହା ସ୍ପଷ୍ଟ କରିନାହାନ୍ତି ଯେ, ଏହି ସହାୟତା କେବେଠାରୁ ମିଳିବ।
ଇସ୍ରାଏଲ ସେନା ରବିବାର ଗାଜା ପଟିରେ ବ୍ୟାପକ ସ୍ତରରେ ନୂଆ ସାମରିକ ଅଭିଯାନ ଆରମ୍ଭ କରିବାର ଘୋଷଣା କରିଥିଲା। ଇସ୍ରାଏଲ ପକ୍ଷରୁ ୨୦ ଲକ୍ଷରୁ ଅଧିକ ଲୋକଙ୍କ ଜନସଂଖୃା ଥିବା ପାଲେଷ୍ଟାଇନ୍ରେ ଆକ୍ରମଣ ଆରମ୍ଭ କରିବାର ଦିନକ ପରେ ଏହି ବୟାନ ଆସିଛି। ଏଠାରେ ହମାସ ନିଜ ସର୍ତ୍ତରେ ନୂଆ ଅସ୍ତ୍ରବିରତି ଚୁକ୍ତି ପାଇଁ ଚାପ ପକାଇବାକୁ ଇସ୍ରାଏଲର ନୂତନ ପ୍ରୟାସ। ଇସ୍ରାଏଲ ସେନା ନିଜର ବୟାନରେ କହିଛି, ସେନା ଗତ ସପ୍ତାହ ବହୁ ଯୋଦ୍ଧାଙ୍କୁ ମାରିଥିଲା ଓ ୬୭୦ରୁ ଅଧିକ ଲକ୍ଷ୍ୟକୁ ଟାର୍ଗେଟ କରିଥିଲା। ଗାଜାର ସ୍ବାସ୍ଥ୍ୟକର୍ମୀଙ୍କ କହିବା ଅନୁସାରେ, ଏହି ନୂଆ ହମଲାରେ ଶତାଧିକ ଲୋକ ନିହତ ହୋଇଥିଲେ।