ପୁରୀ ୧୮/୨ : ଆଜି ପ୍ରତିପ୍ରଦ ତିଥି ବେଣ୍ଟ। ବିଳାସ ପ୍ରିୟ କାଳିଆ ସାଆନ୍ତଙ୍କ ଅନେକ ବିଳାସ ମଧ୍ୟରେ ମୃଗୟା ବିଳାସ ଅନ୍ୟତମ । ତେବେ ଅନ୍ୟ ଅନେକ ରୀତି ନୀତି ପରି ବେଣ୍ଟ ନୀତି ପାଇଁ ବି ରତ୍ନ ସିଂହାସନ ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ଦାରୁ ବିଗ୍ରହ ନଯାଇ ତାଙ୍କ ବଦଳରେ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ ବା ଶ୍ରୀରାମ ଯାଇଥାନ୍ତି। ବର୍ଷରେ ଥରେ ନୁହେଁ ବରଂ ସାତ ଥର ଏହି ନୀତି ହୋଇଥାଏ । ବେଣ୍ଟ ନୀତି ଅନୁଷ୍ଠିତ ହେଉଥିବା ତିଥି ଗୁଡିକ ହେଲା : ବସନ୍ତ ପଞ୍ଚମୀ , ଫାଲଗୁନ ଶୁକ୍ଳ ପତିପ୍ରଦ , ଫାଲଗୁନ ଶୁକ୍ଳ ପକ୍ଷ ଚତୁର୍ଥୀ , ଅଷ୍ଟମୀ ଓ ଦ୍ଵାଦଶୀ, ଚୈତ୍ର ପ୍ରତିପଦ ଓ ଚୈତ୍ର ନବମୀ (ରାମ ନବମୀ) । କେବଳ ବସନ୍ତ ପଞ୍ଚମୀ ଓ ଚୈତ୍ର ନବମୀ ( ରାମ ନବମୀ ) ରାତ୍ରି ବେଣ୍ଟ ହୋଇଥାଏ ।
ଶ୍ରୀରାମ ଯେହେତୁ କ୍ଷତ୍ରିୟ ଥିଲେ ଏବଂ ଶିକାର କ୍ଷତ୍ରିୟର ଏକ କର୍ମ ମଧ୍ୟ ତେଣୁ ଚଳନ୍ତି ପ୍ରତିମା ଶ୍ରୀରାମ ମହାପ୍ରଭୁଙ୍କ ପ୍ରତିନିଧି ଭାବେ ବେଣ୍ଟ ନୀତି ପାଇଁ ବିଜେ ହୁଅନ୍ତି। ଶ୍ରୀ ମନ୍ଦିରରେ ଶ୍ରୀ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ବଢ଼ିବା ପରେ ଦକ୍ଷିଣି ଘରୁ ଶ୍ରୀ ରାମଚନ୍ଦ୍ର ରତ୍ନ ସିଂହାସନକୁ ବିଜେ ହୁଅନ୍ତି ଓ ଶ୍ରୀ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ହାନ୍ଦୁଳରେ ବିଜେ ହୋଇ ମହାଜନ ସେବାୟତଙ୍କ ଦ୍ବାର ଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ବେଣ୍ଟ ପୁଷ୍କରିଣୀ ନିକଟକୁ ବିଜେ ହୁଅନ୍ତି। ସେଠାରେ ଭିତରଚ୍ଛ ସେବକ ତୀର ଓ କମାଣ ଶ୍ରୀଅଙ୍ଗରେ ଲଗାଇ ଦେବା ପରେ ଦଳ ବେହେରା (ଲେଙ୍କା ସେବାୟତ) ପଇଡ଼ରେ ବେଣ୍ଟ ବିନ୍ଧିଥାନ୍ତି ସେଠାରେ ରଖାଯାଇଥିବା ୬ଟା ପଇଡ଼ ମଧ୍ୟରୁ ୫ଟାରେ ତୀର ମାରିଥାନ୍ତି ଓ ଗୋଟିଏ ଅକ୍ଷତ ଅବସ୍ଥାରେ ସାଙ୍ଗରେ ନେଇ ଆସିଥାନ୍ତି। ତା ପରେ ରାମଚନ୍ଦ୍ରଙ୍କୁ ପଞ୍ଚାମୃତରେ ମହାସ୍ନାନ, ବେଶ, ପଞ୍ଚ ଉପଚାର ରେ ଶୀତଳ ଭୋଗ, ବନ୍ଦାପନା ହୁଏ। ବେଣ୍ଟ ନୀତି ସମାପନ ପରେ ବଡ଼ଦେଉଳ ପ୍ରତ୍ଯାବର୍ତ୍ତନ କରନ୍ତି ଓ ପରେ ମହାସ୍ନାନ ହୋଇ ପୁନଃ ଦକ୍ଷିଣଘରେ ବିଜେ କରନ୍ତି।