ବ୍ରହ୍ମପୁର, ୨୯/୦୩: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ  (ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ  ବ୍ରହ୍ମପୁର ମଣ୍ଡଳ କାରାଗାରକୁ "ଇଟ୍‌ ରାଇଟ୍‌ କ୍ୟାମ୍ପସ୍‌' ମାନ୍ୟତା ମିଳିଛି ।  ଦେଶରେ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଶହେଟି ଜେଲ୍‌କୁ ଏହି ମାନ୍ୟତା  ଦିଆଯାଇଥିବା ବେଳେ ଓଡ଼ିଶାର ପ୍ରଥମ କାରାଗାର ଭାବେ ବ୍ରହ୍ମପୁର ଜେଲ୍‌ ସାମିଲ ହୋଇଛି । ୧୬୨ ବର୍ଷ ପୁରୁଣା  ବ୍ରହ୍ମପୁର ଜେଲ୍‌କୁ ତିନି ତାରକା ରେଟିଂ  ସହିତ ୨୪ ମାର୍ଚ୍ଚ ୨୦୨୫ରୁ ୨୩ ମାର୍ଚ୍ଚ  ୨୦୨୭ ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ବୈଧ  ଏହି ମାନ୍ୟତା ମିଳିଛି । 

ଜେଲ୍‌ ସିନିୟର  ସୁପରିଣ୍ଟେଣ୍ଡେଣ୍ଟ୍‌ ଧୀରେନ୍ଦ୍ରନାଥ ବାରିକ କହିଛନ୍ତି- ଜେଲ କର୍ତ୍ତୃପକ୍ଷ, କଏଦୀ,  କର୍ମଚାରୀ ସମସ୍ତଙ୍କ ପ୍ରଚେଷ୍ଟାରେ  ରାଜ୍ୟର ପ୍ରଥମ ଜେଲ୍‌ ଭାବେ ଏହି  ମାନ୍ୟତା ମିଳିଛି ।  ବ୍ରହ୍ମପୁର କାରାଗାରରେ ପ୍ରତିଦିନ  ଏଫ୍‌ଏସ୍‌ଏସ୍‌ଏଆଇର କଠୋର  ସୁରକ୍ଷା ନିୟମକୁ ଅନୁସରଣ କରି  ଦୈନିକ ହଜାରେ କଏଦୀଙ୍କ ପାଇଁ  ଖାଦ୍ୟ ପ୍ରସ୍ତୁତି ଏବଂ ପରିବେଷଣ ସହ  ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛନ୍ତି ଜେଲ  କର୍ତ୍ତୃପକ୍ଷ । ଖାଦ୍ୟ ସୁରକ୍ଷା ଦିଗରେ  ପ୍ରତିବଦ୍ଧତା ସ୍ୱରୂପ ୫୦ ଜଣ ଜେଲ୍‌ କର୍ମଚାରୀ ଓ କଏଦୀ ସଫଳତାର ସହ  ଏଫ୍‌ଏସ୍‌ଏସ୍‌ଏଆଇର ତାଲିମ ଏବଂ ପ୍ରମାଣପତ୍ର (ଏଫ୍‌ଓଏସ୍‌ଟିଏସି)  କାର୍ଯ୍ୟକ୍ରମ ସାରିଛନ୍ତି । ଏହା  ସେମାନଙ୍କୁ ମୌଳିକ କ୍ୟାଟରିଂ  ବା ଖାଦ୍ୟ ପ୍ରସ୍ତୁତି ଓ ବିତରଣ  ଅଭ୍ୟାସରେ ଅତ୍ୟାବଶ୍ୟକ ଜ୍ଞାନ  ଏବଂ ଦକ୍ଷତା ପ୍ରଦାନ କରିଛି । "ଇଟ୍‌  ରାଇଟ୍‌ କ୍ୟାମ୍ପସ୍‌' ପଦକ୍ଷେପର  ଉଦ୍ଦେଶ୍ୟ କାର୍ଯ୍ୟସ୍ଥଳୀ, ଶିକ୍ଷାନୁଷ୍ଠାନ  ଏବଂ ଡାକ୍ତରଖାନା ସମେତ ବିଭିନ୍ନ  ଆନୁଷ୍ଠାନିକ ବ୍ୟବସ୍ଥାରେ ଖାଦ୍ୟ ସୁରକ୍ଷା  ଏବଂ କଲ୍ୟାଣର ସଂସ୍କୃତିକୁ ପ୍ରୋତ୍ସାହିତ  କରିବା । 

ବ୍ରହ୍ମପୁର କାରାଗାର ଏହାର  କଠୋର ମୂଲ୍ୟାଙ୍କନ ମାନଦଣ୍ଡ  ପାଳନ କରି ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ  କରିଛି । ଏକ ପାନେଲଭୁକ୍ତ ଏଜେନ୍‌ସି ଦ୍ୱାରା ପରିଚାଳିତ ବ୍ୟାପକ ଅଡିଟ୍‌  ମୌଳିକ ସ୍ୱଚ୍ଛତା, ଖାଦ୍ୟ ପ୍ରସ୍ତୁତି  ଅଭ୍ୟାସ ଏବଂ ସରକାରଙ୍କ ଦ୍ୱାରା  ନିର୍ଦ୍ଧାରିତ ଖାଦ୍ୟ ସାରଣୀ ଅନୁଯାୟୀ ପୁଷ୍ଟିକର ଖାଦ୍ୟର ବ୍ୟବସ୍ଥା ସମେତ  ଅତ୍ୟାବଶ୍ୟକ ପରିମାପକ ସହିତ  ଜେଲର ଅନୁପାଳନକୁ ମୂଲ୍ୟାଙ୍କନ  କରିଥିଲା । ଗତ ଫେବ୍ରୁଆରୀ ମାସରେ ଏଫ୍‌ଏସ୍‌ଏସ୍‌ଏଆଇର ୩  ଜଣିଆ ଟିମ୍‌ ଆସିଥିଲା । କାରାଗାର  ପରିସରରେ ବିଭିନ୍ନ ବ୍ୟବସ୍ଥା ସହ  ନିଜସ୍ୱ ମସଲା, ଅଟା ଓ ଅନ୍ୟାନ୍ୟ  ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି କରାଯାଉଥବା  କୋଠରୀ ବୁଲି ଦେଖିଥିଲା ।