ବ୍ରହ୍ମପୁର, ୬।୫: ରେଶମ ସହର ବ୍ରହ୍ମପୁରର ଚର୍ଚ୍ଚିତ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କ ହତ୍ୟାକାଣ୍ଡ ଘଟଣା ଏବେ ଏକ ନୂଆ ମୋଡ଼ ନେଇଛି । ସ୍ୱାମୀଙ୍କୁ ହରାଇବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ମୁଖକୁ ଆସି ନିଜର କୋହଭରା ପ୍ରତିକ୍ରିୟା ରଖିଛନ୍ତି ମୃତ ସୁଧୀରଙ୍କ ପତ୍ନୀ ରଶ୍ମିତା ପାତ୍ର । ଏହି ହତ୍ୟାକାଣ୍ଡ ପଛରେ ପରିବାର ଭିତରର ଶତ୍ରୁତା ଓ ବ୍ୟବସାୟିକ ଈର୍ଷା ରହିଥିବା ନେଇ ସେ ସ୍ପଷ୍ଟ କରିଛନ୍ତି ।
ଝିଆରୀ-ପୁତୁରାଙ୍କୁ କ୍ଲିନଚିଟ୍, ଭାଉଜ ଓ ମାମୁଁଙ୍କୁ ଦାୟୀ କଲେ ରଶ୍ମିତା:
ହତ୍ୟାକାଣ୍ଡର ପୂରା କାହାଣୀ ବଖାଣିବା ବେଳେ ରଶ୍ମିତା ନିଜ ପୁତୁରା ଓ ଝିଆରୀ (ନିବେଦିତା)ଙ୍କୁ କ୍ଲିନଚିଟ୍ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଏହି ଦୁଇଜଣଙ୍କୁ ମୋହରା ବନାଯାଇଛି, କିନ୍ତୁ ପ୍ରକୃତ ମାଷ୍ଟରମାଇଣ୍ଡ ହେଉଛନ୍ତି ନିବେଦିତାଙ୍କ ମାଆ ବସୁନ୍ଧରା ଏବଂ ମାମୁଁ ତ୍ରିଲୋଚନ ବିଶେଶ୍ୱରରାୟ । ରଶ୍ମିତା ଅଭିଯୋଗ କରିଛନ୍ତି ଯେ, ବସୁନ୍ଧରା ଓ ତ୍ରିଲୋଚନ ଗିରଫ ହୋଇ ଜେଲ୍ ନଗଲେ ତାଙ୍କର ଏବଂ ତାଙ୍କ ପିଲାମାନଙ୍କ ଜୀବନ ପ୍ରତି ବିପଦ ରହିଛି ।
ଈର୍ଷା ଓ ପୁରୁଣା ଧମକରୁ ହତ୍ୟାକାଣ୍ଡ ?
ରଶ୍ମିତାଙ୍କ କହିବା ଅନୁସାରେ, ସୁଧୀର ସେୟାର ମାର୍କେଟରେ ପ୍ରାୟ ଅଢ଼େଇ କୋଟି ଟଙ୍କା ନିବେଶ କରିଥିଲେ । ବ୍ୟବସାୟରେ ସୁଧୀରଙ୍କ ଏହି ସଫଳତା ଓ ଉନ୍ନତିକୁ ଦେଖି ତାଙ୍କ ଭାଉଜ ବସୁନ୍ଧରା ଦୀର୍ଘ ଦିନରୁ ଈର୍ଷା ପ୍ରକାଶ କରି ଆସୁଥିଲେ । ସୁଧୀରଙ୍କ ଭାଇ ମନୋଜଙ୍କ ମୃତ୍ୟୁର ଠିକ୍ ପରଦିନ ବସୁନ୍ଧରା ସର୍ବସମ୍ମୁଖରେ ରଶ୍ମିତାଙ୍କୁ ଧମକ ଦେଇ କହିଥିଲେ, "ତୋତେ ମୁଁ କେବେ ଶାନ୍ତିରେ ରହିବାକୁ ଦେବି ନାହିଁ ।" ସେହି ଦିନର ଶତ୍ରୁତା ଆଜି ହତ୍ୟାର ରୂପ ନେଇଛି ବୋଲି ରଶ୍ମିତା କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ।
ସେହି କାଳରାତ୍ରିର ୬ ଘଣ୍ଟାର ଭୟଙ୍କର କାହାଣୀ:
ଅପହରଣ ଓ ହତ୍ୟା ଦିନର ସେହି କଷ୍ଟଦାୟକ ସ୍ମୃତିକୁ ମନେ ପକାଇ ରଶ୍ମିତା କହିଛନ୍ତି ଯେ, ଗତ ୧୫ ତାରିଖ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଅପହରଣକାରୀମାନେ ଫୋନ୍ କରି ଅନବରତ ଧମକ ଦେଉଥିଲେ । ସେମାନେ ମୁଣ୍ଡଜାମିନ ଭାବେ ୨ କୋଟି ଟଙ୍କା ଦାବି କରିଥିଲେ । ଦୀର୍ଘ ୬ ଘଣ୍ଟା ଧରି ଚାଲିଥିବା ଏହି ଟେଲିଫୋନ୍ ବାର୍ତ୍ତାଳାପ ଓ ଟଙ୍କା ପାଇଁ ଧମକ ଚମକ ଭିତରେ ହିଁ ଦୁର୍ବୃତ୍ତମାନେ ସୁଧୀରଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ।
ଏହା ବି ପଢ଼ନ୍ତୁ... Mission Vatsalya : ରାଜ୍ୟରେ ‘ମିଶନ ବାତ୍ସଲ୍ୟ’ ଦିଗହରା, ବାପା-ମା’ ଛେଉଣ୍ଡ ପିଲାଙ୍କୁ ମିଳୁନି ସହାୟତା ରାଶି
ନ୍ୟାୟ ପାଇଁ ଦାବି:
ପୁଲିସ ଏହି ଘଟଣାରେ କିଛି ଲୋକଙ୍କୁ ଅଟକ ରଖିଥିବା ବେଳେ, ମୃତକଙ୍କ ପତ୍ନୀ ରଶ୍ମିତା ସିଧାସଳଖ ଭାଉଜ ବସୁନ୍ଧରା ଓ ମାମୁଁ ତ୍ରିଲୋଚନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି । ସେମାନେ ବାହାରେ ରହିଲେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ଜୀବନ ହାନି ହେବାର ଆଶଙ୍କା ରହିଛି ବୋଲି ସେ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି । ବର୍ତ୍ତମାନ ବ୍ରହ୍ମପୁର ପୁଲିସ ରଶ୍ମିତାଙ୍କ ଏହି ପ୍ରତିକ୍ରିୟା ପରେ ତଦନ୍ତ ପ୍ରକ୍ରିୟାକୁ ଆହୁରି ଜୋରଦାର କରିଥିବା ସୂଚନା ମିଳିଛି । ପରିବାର ଭିତରର ଏହି ରକ୍ତମୁଖା ସଂଘର୍ଷ ଏବେ ସହରରେ ଆଲୋଚନାର ବିଷୟ ପାଲଟିଛି ।