ବ୍ରହ୍ମପୁର, ୦୯/୦୬(ପ୍ରହଲ୍ଲାଦ ସାହୁ): ମୃତଦେହଟିଏ ଦେଖିଲେ ସାଧାରଣତଃ ଛାତି ଦବି ଯାଏ । ହୁଏତ ଜଣେ ପୁଲିସ କର୍ମଚାରୀଙ୍କ ପାଇଁ ଏହା ଦେହସୁଆ । ହେଲେ ଯେତେବେଳେ ରେଳଧାରଣାରେ ଦୁର୍ଘଟଣା ବା ଆତ୍ମହତ୍ୟା ଜନିତ ଖଣ୍ଡବିଖଣ୍ଡିତ ଶବ ମିଳେ, ପୁଲିସ କର୍ମଚାରୀ ବି ଉଠାଇବାକୁ ପଛଘୁଞ୍ଚା ଦିଅନ୍ତି । ଆଉ ସେତେବେଳେ ଖୋଜାପଡ଼େ ସଞ୍ଜୟଙ୍କୁ ।
ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଢିପ ସାହିର ସଞ୍ଜୟ ନାୟକ, ବୟସ ୪୪ ବର୍ଷ । ଦଶ ବର୍ଷ ହେଲା ଏହିଭଳି ଆବଶ୍ୟକତାରେ, ଦିନ ହେଉ ବା ରାତି- ସେ ପୁଲିସର ସହାୟତା କରି ଆସୁଛନ୍ତି । ସଂଖ୍ୟା ମନେ ନ ଥିଲେ ମଧ୍ୟ ୧୦ ବର୍ଷ ଭିତରେ ପ୍ରାୟ ଏକ ହଜାର ଶବ ଉଠାଇଥିବା କହନ୍ତି ସଞ୍ଜୟ । କେବଳ ରେଳ ଧାରଣା ନୁହେଁ, ସହରର ଅନ୍ୟ ପୁଲିସ ଥାନାରୁ ବି ତାଙ୍କ ପାଖକୁ ଡକରା ଆସେ । ଅପରିଚିତ ଶବ ସଂସ୍କାରରେ ମଧ୍ୟ ତାଙ୍କ ସକ୍ରିୟ ଭୂମିକା ଥାଏ ।
ବାପା ଗୋପାଳ ନାୟକ ମ୍ୟୁନିସିପାଲଟି ଅବସରପ୍ରାପ୍ତ କର୍ମଚାରୀ । ୩ ଭାଇ ଓ ଜଣେ ଭଉଣୀ । ବଡ଼ ଭାଇଙ୍କର ମୃତ୍ୟୁ ହୋଇଛି । ସଞ୍ଜୟଙ୍କ ସମେତ ଅନ୍ୟ ସମସ୍ତେ ସଫେଇ କର୍ମଚାରୀ । ସଞ୍ଜୟ ବିବାହିତ, ତାଙ୍କର ଦୁଇ ପୁଅ । ମୁଁ ଏ କାମ କରେ ବୋଲି ଭାଇ ଚାହୁଁ ନ ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବୁଝି ଯାଇଥିଲେ ବୋଲି କହନ୍ତି ସଞ୍ଜୟ । କାମ ଆରମ୍ଭ ଦିନ ମନେ ପକାଇ ସେ କହନ୍ତି, ୨୦୧୫ କି ୨୦୧୬ ହେବ । ଜଣେ ପରିଚିତ ଆମ୍ବୁଲାନ୍ସ ଡ୍ରାଇଭର କହିଥିଲେ ଯେ, ଏମ୍କେ ସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଏଫ୍ଏମ୍ଟିକୁ ଗୋଟେ ଶବ ଆଣିବାର ଅଛି । ଶବ ବୋହିପାରିବୁ କି ପଚାରିଥିଲେ । ତାଙ୍କର ପାଟିରୁ କଥା ସରିନି ଆମ୍ବୁଲାନ୍ସରେ ବସି ଯାଇଥିଲି । କହିଥିଲି, ମଣିଷ ଶବକୁ ମଣିଷ କାହିଁକି ବୋହି ପାରିବନି । ତେବେ ବ୍ରହ୍ମପୁର ରେଳ ଷ୍ଟେସନ୍ ୪ ନମ୍ବର ପ୍ଲାଟଫର୍ମ ନିକଟରେ ଏକ ଖଣ୍ଡବିଖଣ୍ଡିତ ଶବ ଦେଖି ଟିକେ ଭୟ ଲାଗିଥିଲା ।
ଶବକୁ ଆମ୍ବୁଲାନ୍ସରେ ରଖିଥିଲି । କିଛିଦିନ ଏଭଳି କାମ କରିବା ପରେ ଆଉ ଭୟ ରହିଲା ନାହିଁ । କେବଳ ଜିଆର୍ପି ଥାନା ନୁହେଁ, ସଞ୍ଜୟଙ୍କୁ ବ୍ରହ୍ମପୁର ସହରର ଅଧିକାଂଶ ଥାନାରେ ଖୋଜାପଡ଼େ । ଦିନ ହେଉ କି ରାତି । ଆଉ ସଙ୍ଗେସଙ୍ଗେ ତାଙ୍କୁ ପହଞ୍ଚିବାକୁ ହୁଏ । କାରଣ ସେ ଗଲେ ହିଁ ଶବ ଉଠିବ । ଥାନା ଅଞ୍ଚଳରେ ଶବ ଉଦ୍ଧାର ସମୟରେ ସଞ୍ଜୟକୁ ସାଙ୍ଗରେ ନେଇଥାଏ ପୁଲିସ । ଖଣ୍ଡବିଖଣ୍ଡିତ ହେଉ କି ଗଳିତ ଶବ କିଛି ବିଚାର ନ କରି ସଞ୍ଜୟ କାମରେ ଲାଗିଯାଆନ୍ତି । ଯେଉଁ ଶବର ପରିଚୟ ନ ମିଳେ ସଂସ୍କାର ବି କରନ୍ତି । ଏଥିପାଇଁ ତାଙ୍କୁ କିଛି ପାରିଶ୍ରମିକ ମିଳେ ।
ନିୟମିତ ଏଭଳି କାର୍ଯ୍ୟ କରୁଥିବା ସଞ୍ଜୟ ନିଜ ସମ୍ପର୍କରେ କହୁକହୁ ଭାବପ୍ରବଣ ହୋଇଯାଇଥିଲେ । କହିଲେ, ୪ ବର୍ଷ ପୂର୍ବର କଥା । ଛତ୍ରପୁର ରିକାପଲ୍ଲୀ ପାଖ ଟ୍ରେନ୍ ଲାଇନ୍ରେ ଜଣେ ମହିଳାଙ୍କ ଶବ ମିଳିଥିଲା । ବ୍ରହ୍ମପୁର ଜିଆର୍ପି ମୋତେ ନେଇ ଯାଇଥିଲେ । ଶବଟି ଖଣ୍ଡବିଖଣ୍ଡ ହୋଇଯାଇଥିଲା । ମୋତେ ଜଣେ ଅଫିସର କହିଥିଲେ ଶବ ଉପରେ କପଡ଼ା ଘୋଡ଼ାଇବା ପାଇଁ । ମହିଳାଙ୍କ ଗର୍ଭରେ ଛୁଆ ବି ଥିଲା । ମୁଁ ଶବକୁ ଦେଖି କାନ୍ଦିଥିଲି । ମଣିଷ କାହିଁକି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନିଏ ବୋଲି ବାଷ୍ପରୁଦ୍ଧ କଣ୍ଠରେ କହିଥିଲେ ସଞ୍ଜୟ ।
ଅଧିକ ପଢ଼ନ୍ତୁ :- ମେଧାବୀ ମାନସଙ୍କୁ ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ, ମା’ଙ୍କୁ ମିଳିବ ଭତ୍ତା ଓ ଆବାସ ଘର, ଆର୍ଥିକ ଅଭାବ ପାଇଁ ଚରାଉଥିଲେ ଛେଳି
ସେହିଭଳି ଦୁଇବର୍ଷ ପୂର୍ବର ଏକ ଅନୁଭୂତି ସମ୍ପର୍କରେ ସେ କହିଥିଲେ ଯେ, ଏମ୍କେସିଜିରୁ ଆମ୍ବୁଲାନ୍ସରେ ସୁନ୍ଦରଗଡ଼ ଯାଉଥିଲା ଏକ ଶବ । ମୃତକଙ୍କ ସମ୍ପର୍କୀୟ ଡ୍ରାଇଭର ସହ ଆଗରେ ବସିଲେ । ମୁଁ ଶବ ପାଖରେ । ରାସ୍ତାରେ ଘୁମେଇ ଘୁମେଇ ଶବ ପାଖରେ ଶୋଇଯାଇଛି । ବିଳମ୍ବିତ ରାତିରେ ନିଦ ଭାଙ୍ଗିଲାବେଳକୁ ମୁଁ ଦେଖେ- ମୋ ମୁହଁ ତା ମୁହଁ ପାଖରେ ଲାଗି ରହିଛି । ଟିକେ ଡରିଯାଇଥିଲି । ସଞ୍ଜୟ ଏକ ଘରୋଇ ଏଜେନ୍ସିରେ ସଫେଇ କର୍ମଚାରୀ କାମ କରନ୍ତି । ସକାଳ ୬ଟାରୁ ୧୦ଟା ଏବଂ ସନ୍ଧ୍ୟା ୬ରୁ ୯ଟା ମଧ୍ୟରେ ତାଙ୍କ ଡ୍ୟୁଟି । ଏହି ସମୟ ବାହାରେ ଜାରି ରହେ ତାଙ୍କର ଏହି ବିରଳ ସ୍ୱେଚ୍ଛାସେବା ।