ନୂଆଦିଲ୍ଲୀ,୨୯/୦୫: ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ ନେଇ ଜର୍ମାନୀ ଆଗ୍ରହ ପ୍ରକାଶ କରି ୨୦୩୬, ୨୦୪୦ କିମ୍ବା  ୨୦୪୪ କ୍ରୀଡ଼ା ପାଇଁ ଅଫିସିଆଲ ଭାବେ ଆଇଓସି (ଅନ୍ତର୍ଜାତୀୟ ଅଲିମ୍ପିକ୍ସ  କମିଟି) ନିକଟରେ ବିଡ୍‌ ଦାଖଲ କରିଛି । ବର୍ଲିନ ଆୟୋଜକ ସହର ରହିଛି ।  ଦେଶର ବିଭିନ୍ନ ରାଜ୍ୟରେ ଯେଉଁ ସବୁ କ୍ରୀଡ଼ା ଭେନ୍ୟୁ ରହିଛି ତାହାର ପୁନରୁଦ୍ଧାର କରି କ୍ରୀଡ଼ା ଆୟୋଜନ କରିବା ନେଇ ଜର୍ମାନୀ ଯୋଜନା ରଖିଛି । 

ସଂସ୍କରଣକୁ ସଂସ୍କରଣ ଅଲିମ୍ପିକ୍ସ  କ୍ରୀଡ଼ା ଆୟୋଜନ ବେଶ ବ୍ୟୟବହୁଳ  ହେଉଛି । ଏହାକୁ ଦୃଷ୍ଟିରେ ରଖି ବର୍ଲିନ  ବିଡ୍‌ରେ ଉପରୋକ୍ତ ପ୍ରସ୍ତାବ ଦେଇଛି ।  ଶେଷ ଥର ୧୯୩୬ରେ ବର୍ଲିନରେ  ଅଲିମ୍ପିକ୍ସ ଆୟୋଜିତ ହୋଇଥିଲା ।  ତେଣୁ ୧୦୦ ବର୍ଷ ପୂର୍ତ୍ତିକୁ ଲକ୍ଷ୍ୟରେ ରଖି ଜର୍ମାନୀ କ୍ରୀଡ଼ା ଆୟୋଜନ ନେଇ ଆଗ୍ରହ  ପ୍ରକାଶ କରିଛି । ଯଦି ୨୦୩୬ ସଂସ୍କରଣ  ଆୟୋଜନ ଅଧିକାର ନମିଳେ, ତେବେ  ୨୦୪୦ କିମ୍ବା ୨୦୪୪ କ୍ରୀଡ଼ା ଆୟୋଜନ  ନେଇ ଆଗ୍ରହୀ ରହିଛି ।  

ପୂର୍ବରୁ ୨୦୨୨ ଶୀତକାଳୀନ କ୍ରୀଡ଼ା  ଏବଂ ୨୦୨୪ କ୍ରୀଡ଼ା ଆୟୋଜନ ନେଇ  ଜର୍ମାନୀ ବିଡ୍‌ ଦାଖଲ କରିଥିଲା, କିନ୍ତୁ  ଆୟୋଜନ ଅଧିକାର ପାଇବାରେ ବିଫଳ  ରହିଥିଲା । ବର୍ଲିନ ସମେତ ଅନ୍ୟ ରାଜ୍ୟ  ଗୁଡ଼ିକର ଜନସାଧାରଣ କ୍ରୀଡ଼ା ଆୟୋଜନ  ସପକ୍ଷରେ ନାହାନ୍ତି । ଯଦିଓ କିଛି ସମର୍ଥନ  କରୁଛନ୍ତି । ଯେଉଁମାନେ ବିରୋଧ କରୁଛନ୍ତି  ସେମାନଙ୍କ ଯୁକ୍ତି ଯେ, ଯେଉଁ ଅର୍ଥ ଅଲିମ୍ପିକ୍ସ  ଆୟୋଜନ ପାଇଁ ଖର୍ଚ୍ଚ ହେବ ତାହା ଦେଶରେ  କ୍ରୀଡ଼ାର ଉନ୍ନତି ପାଇଁ ବ୍ୟବହାର କରାଯାଉ ।