ନୂଆଦିଲ୍ଲୀ ୨୮/୦୩: ଅରବପତି ଜେଫ୍‌ ବେଜୋସ ଓ ଲରେନ୍‌ ସାଂଚେଜ୍‌ଙ୍କ ବିବାହ ଏବେ ଖବରରେ । ଭେନିସ୍‌ରେ ଉଭୟଙ୍କ ବିଳାସପୂର୍ଣ୍ଣ ବିବାହ ଅନୁଷ୍ଠିତ ହେବ । ଅଦ୍ୟାବଧି ନିର୍ମିତ ସବୁଠୁ ବଡ଼ ମାଷ୍ଟେଡ୍‌ ଜାହାଜ ‘କୋରୁ’ରେ ଉଭୟ ବିବାହ କରିବେ, ଯାହାର ମୂଲ୍ୟ ୫୦୦ ମିଲିଅନ ଡଲାର ଅର୍ଥାତ୍‌ ହାରାହାରି ୪୩ କୋଟି । ଏହି ଜାହାଜରେ ଲରେନ୍‌ ସାଂଚେଜ୍‌ଙ୍କୁ ବେଜୋସ୍‌ ପ୍ରେମ ନିବେଦନ କରିଥିଲେ । ଏବେ ସେହି ଜାହାଜରେ ଉଭୟ ବିବାହ କରିବାକୁ ଯାଉଛନ୍ତି । ଆସନ୍ତା ଜୁନ୍‌ ମାସରେ ବିବାହ ହେବ, ଯେଉଁଥିରେ ଏ-ଲିଷ୍ଟର୍‌ ହଲିଉଡ୍‌, ଉଦ୍ୟୋଗ ଓ ରାଜନୈତିକ ବ୍ୟକ୍ତିତ୍ୱ ଯୋଗ ଦେବେ । 

ଏହି ଯୋଡ଼ି ୨୦୧୯ରେ ସେମାନଙ୍କ ସମ୍ପର୍କକୁ ସାର୍ବଜନୀନ କରିଥିଲେ ଏବଂ ୨୦୨୩ରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା । ଡେଲି ମେଲ୍‌ର ରିପୋର୍ଟ ଅନୁସାରେ, ବେଜୋସ ଓ ସାଂଚେଜ୍‌ ଏହି ବିଶାଳକାୟ ଜାହାଜକୁ ଭେନିସ୍‌ରେ କେବଳ ଏକ ୱାଟର୍‌ ଟାକ୍ସି ଭାବେ ବ୍ୟବହାର କରିବେ । କାରଣ ୪୧୫ ଫୁଟ ଲମ୍ବା ଏହି ଜାହାଜ ଗ୍ରାଣ୍ଡ୍‌ କେନାଲରେ ବାଧା ଉତ୍ପନ୍ନ କରିବ । ୪ ଦିନିଆ ବିବାହ ଉତ୍ସବ ପାଇଁ ଉଭୟ ଭେନିସ୍‌ର ସର୍ବଶ୍ରେଷ୍ଠ ହୋଟେଲ- ଦ ଗ୍ରିଟି ପ୍ୟାଲେସ୍‌ ଓ ଅମନ ଭେନିସ୍‌କୁ ଚୟନ କରିଛନ୍ତି ।

ବିଲ୍‌ ଗେଟ୍ସଙ୍କ ଭଳି ଅନେକ ଅରବପତିଙ୍କୁ ଏହି ବିଳାସବହୁଳ ଉତ୍ସବକୁ ଆମନ୍ତ୍ରଣ କରାଯାଇଛି । ହଲିଉଡ୍‌ ଅଭିନେତା- ପ୍ରଯୋଜକ ଲିଓନାର୍ଡୋ ଡିକାପ୍ରିଓ, ଇଭା ଲଙ୍ଗୋରିଆ, କେଟି ପେରୀ ଓ ଅର୍ଲାଣ୍ଡୋ ବ୍ଲୁମ୍‌ ମଧ୍ୟ ଅତିଥି ତାଲିକାରେ ଅଛନ୍ତି । ଇଭାଙ୍କା ଟ୍ରମ୍ପ୍‌ଙ୍କୁ ବିବାହକୁ ନିମନ୍ତ୍ରଣ କରାଯାଇଛି । ସେହିପରି କିମ୍‌ କାର୍ଦାଶିୟାଁ, କ୍ରିସ୍‌ ଜେନର୍‌ ଏବଂ ଓପ୍ରା ୱିନ୍‌ଫ୍ରେ, ଗେଲ୍‌ କିଙ୍ଗ୍‌ ଓ ଜୁଏଲ ମଧ୍ୟ ସାମିଲ ହୋଇପାରନ୍ତି । ଜେଫ୍‌ ବେଜୋସ ୧୯୯୩ ମସିହାରେ ମ୍ୟାକ୍‌କେନ୍‌ଜି ସ୍କଟ୍‌ଙ୍କୁ ବିବାହ କରିଥିଲେ । ଏହି ବିବାହରୁ ଉଭୟଙ୍କର ୩ ପୁଅ ଅଛନ୍ତି । ଜଣେ ଝିଅକୁ ସେମାନେ ପୋଷ୍ୟ କରିଥିଲେ । ୨୦୧୯ରେ ଉଭୟଙ୍କର ବିଚ୍ଛେଦ ହୋଇଥିଲା ।