ହରଭଙ୍ଗା,୨୩/୧୧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମିନି ଷ୍ଟାଡିୟମଠାରେ ଭୈରବୀ ସଂସ୍କୃତି ପରିଷଦ ପକ୍ଷରୁ ୫ଦିନ ଧରି ଚାଲିଥିବା ପଞ୍ଚମ ମା’ଭୈରବୀ ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି । ପୁରୁଣାକଟକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ ହୋଇଥିଲା । ମହୋତ୍ସବ କମିଟି ସଭାପତି ଅଶୋକ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଉଦଯାପନି ସଭା ଅନୁଷ୍ଠିତ ହୋଇଥିବାବେଳେ ସନ୍ଧ୍ୟାର ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଯୋଗଦେଇଥିଲେ ।
ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗ, ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, କନ୍ଧମାଳ ସାଂସଦ ପ୍ରତିନିଧି ଯୁଗଳ କିଶୋର ସାମଲ, ଯୁବ ନେତା ତଥା ସମାଜସେବୀ ଅର୍ଜୁନ ପ୍ରଧାନ ପ୍ରମୁଖ ମଞ୍ଚସିନ ଥିଲେ । ପ୍ରଥମେ ମା’ଜଗତ ଜନନୀ ଭୈରବୀ ଓ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ସନ୍ଧ୍ୟା ଧୂପ ପରେ ସଭାପତି ଅଶୋକ ଅଗ୍ରୱାଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଡ଼. ରମେଶ ଚନ୍ଦ୍ର ତରେଣିଆ ମଞ୍ଚ ପରିଚାଳନା କରିଥିଲେ ।
ଶୁଭ୍ରଜିତ ପ୍ରଧାନ, ତୁଷାରକାନ୍ତ ସାହୁ ଓ ବିକାଶ ରଞ୍ଜନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ମହୋତ୍ସବରେ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚାରିଛକ ହାଇସ୍କୁଲର ଓଡ଼ିଶୀ, ପୁରୁଣାକଟକ ଶିଶୁ ମନ୍ଦିର ପୁଷପୁନି, ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ପ୍ରଣାମ ଅନୁଷ୍ଠାନର ଫୋକ ଡ୍ୟାନ୍ସ । ଟେଲିଭିଜନ ଅଭିନେତ୍ରୀ ସଂମାନିତାଙ୍କୁ ଦେଖିବାକୁ ମହିଳାମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ପରିଶେଷରେ ଲୋକପ୍ରିୟ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ସଙ୍ଗୀତ ଗୃପ ବିଶେଷ ଆକର୍ଷଣ ହୋଇଥିବାବେଳେ ଅନ୍ତିମ ରାତ୍ରୀକୁ ଆହୁରି ସ୍ମରଣୀୟ କରିଥିଲା । ସଙ୍ଗୀତ ତାଳେ ତାଳେ ଅତିଥି ଓ ଦର୍ଶକଙ୍କ ନାଚିବା ଦୃଶ୍ୟ ବେଶ ମନଲୋଭା ଥିଲା ।