ନୂଆଦିଲ୍ଲୀ,୦୮/୧୧: ଆଜିକାଲି ସର୍ବସାଧାରଣ ସ୍ଥାନ ଯଥା- କଫି ସପ୍, ପାର୍କ କିମ୍ବା ସୋସାଇଟିରେ ଯୁବଗୋଷ୍ଠୀଙ୍କୁ ଭଜନ ଗାଉଥିବା ଦେଖିବାକୁ ମିଳୁଛି । ଗିଟାର ଓ ଆଧୁନିକ ବାଦ୍ୟଯନ୍ତ୍ର ସହିତ ନୂଆ ପିଢ଼ିର ଯୁବକଯୁବତୀଙ୍କୁ ଭକ୍ତିରସରେ ତଲ୍ଲୀନ ଥିବା ଦେଖାଯାଉଛି । ହନୁମାନ ଚାଳିସା ଓ ହରେ ରାମ-ହରେ କୃଷ୍ଣ ଭଜନ ଗାଉଥିବା ଜେନ୍-ଜି(ନୂଆ ପିଢ଼ି)ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
କଲେଜ କ୍ୟାଣ୍ଟିନ୍ ଓ ହଷ୍ଟେଲଠୁ ନେଇ ଖାଲି ହଲ୍କୁ ବୁକ୍ କରି ସେମାନେ ଭଜନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଏହାର ନାମ ଦିଆଯାଇଛି ‘ଭଜନ କ୍ଲବିଙ୍ଗ୍’ । ଭଜନ କ୍ଲବିଙ୍ଗ୍ ସମୟରେ ଯୁବକଯୁବତୀଙ୍କୁ ଭକ୍ତି ଗୀତରେ ଝୁମୁଥିବା ଓ ତାଳି ବଜାଉଥିବା ଦେଖିବାକୁ ମିଳୁଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଜେନ୍-ଜି । ଭଜନକୁ ଆଧୁନିକ ମ୍ୟୁଜିକ୍ ବିଟ୍ ସହ ମିଶାଇ ଗାନ କରାଯାଉଛି । ଇନ୍ଷ୍ଟାଗ୍ରାମ୍ରେ ବ୍ୟାକ୍ଷ୍ଟେଜ୍ସିବ୍ଲିଙ୍ଗ୍ସ ନାମକ ହ୍ୟାଣ୍ଡେ୍ଲରୁ ଏକ ଭଜନ କ୍ଲବିଙ୍ଗ୍ର ଭିଡିଓ ଶେୟାର କରାଯାଇଛି । ଏଥିରେ ଏକ ବଡ଼ ହଲ୍ରେ ମଞ୍ଚ ଉପରେ ଏକ ଯୁବ ଗ୍ରୁପ୍ ଗିଟାର ଓ ଡ୍ରମ୍ ସହିତ ହାତରେ ମାଇକ ଧରି ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରୀ... ଭଜନ ଗାଉଥିବା ଦେଖିବାକୁ ମିଳିଛି । ସେମାନଙ୍କ ସହିତ ହଲ୍ରେ ବସିଥିବା ଶତାଧିକ ଯୁବକଯୁବତୀ ତାଳି ବଜାଇ ଭଜନକୁ ଦୋହରାଉଛନ୍ତି । ଭିଡିଓକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ଲେଖିଛନ୍ତି ‘ଜେନେରେସନ୍ ଇଜ୍ ହିଲିଂ’ । ଅନେକ ୟୁଜର୍ ହରେ କୃଷ୍ଣ ଲେଖି ପ୍ରତିକ୍ରିୟା ଦେଇଛନ୍ତି ।