କଳାହାଣ୍ଡି, ୧/୭ :  ଭାରତ ମୁକ୍ତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ୍ଵାମନ ମେଶ୍ରାମଙ୍କ ନେତୃତ୍ଵରେ ଆଜି ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଅବସରରେ କଳାହାଣ୍ଡି ଜିଲ୍ଲା କାଲୋପଲା ଛକରେ ଜାତୀୟ ରାଜପଥ ୨୬କୁ ଅବରୋଧ କରାଯାଇଛି । ମୂଳନିବାସି ବହୁଜନ ସମାଜର ଲୋକମାନେ ଏହି ଆନ୍ଦୋଳନରେ ସାମିଲ ହୋଇ ନିଜର ଦାବି ଗୁଡ଼ିକୁ ଦୃଢ଼ ଉପସ୍ଥାପନ କରିଛନ୍ତି ।

ଭାରତ ମୁକ୍ତି ମୋର୍ଚ୍ଚା ଓ ଅନ୍ୟାନ୍ୟ ସହଯୋଗୀ ସଂଗଠନମାନେ ଏହି ବନ୍ଦ ମାଧ୍ୟମରେ ଦାବି ଉପ୍ଥାପନ କରିଛନ୍ତି ଯେ ନିର୍ବାଚନରେ ଇଭିଏମ୍ ବନ୍ଦ କରି ବାଲଟ୍ ପେପର ପ୍ରଚଳନ କରାଯାଉ। ଜାତି ଆଧାରିତ ଜନଗଣନା କରିବା, ଓ୍ଵାକଫ୍ ଆଇନ ୨୦୨୫ରଦ୍ଦ କରିବା, ଗଞ୍ଜାମ ଧରାକୋଟରେ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ଉପରେ ଅମାନବୀୟ ଅତ୍ୟାଚାର କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ତଥା ୟୁପିରେ ପଛୁଆବର୍ଗର କଥାବାଚକ ଉପରେ ହୋଇଥିବା ଅମାନବୀୟ ଅତ୍ୟାଚାର ଓ ମଧ୍ୟ ପ୍ରଦେଶରେ ଅନୁସୂଚିତ ଜନଜାତି ଉପରେ ହୋଇଥିବା ଅମାନବୀୟ ଅତ୍ୟାଚାରକୁ ଦୃଢ଼ ନିନ୍ଦା କରାଯାଇଛି ।

ମଙ୍ଗଳବାର ସକାଳ ୮ ଟାରୁ ଆନ୍ଦୋଳନକାରୀମାନେ ଜାତୀୟ ରାଜପଥ ୨୬ରେ ରାସ୍ତା ଅବରୋଧ କରି ନିଜର ପ୍ରତିବାଦ ଜାହିର କରିଛନ୍ତି । ଏହି ଅବରୋଧ ଯୋଗୁଁ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି । ପ୍ରତିବାଦକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ନିଜର ଦାବି ଉପସ୍ଥାପନ କରୁଛନ୍ତି ଏବଂ ସରକାରଙ୍କୁ ଏହି ଦାବି ଗୁଡ଼ିକ ଶୀଘ୍ର ପୂରଣ କରିବାକୁ ଦାବି କରିଛନ୍ତି । ସ୍ଥାନୀୟ ପୋଲିସ ଓ ପ୍ରଶାସନ ଆନ୍ଦୋଳନ ସମୟରେ ନିରାପତ୍ତା ଓ ଶାନ୍ତି ବଜାୟ ରଖିବା ପାଇଁ କଡ଼ା ବ୍ୟବସ୍ଥା ଗ୍ରହଣ କରିଛନ୍ତି । କାଲୋପଲାଠାରେ କୁଶ ଶବର, କ୍ଷୀରସିନ୍ଧୁ ବୋଡ଼କିଆ, ଦୁର୍ଯୋଧନ ଜାଲ ଓ ଅନ୍ୟ କର୍ମକର୍ତ୍ତା ବନ୍ଦ ପାଳନ କରିଥିଲେ।