କଟକ,୧୨/୦୭: ରୁଷ୍‌ର ରାଜଧାନୀ  ମସ୍କୋଠାରେ ଆୟୋଜିତ ଭାରତ ଉତ୍ସବ-୨୦୨୫ରେ  କଟକ ତାରକସିର ଚମକ ଦେଖିବାକୁ ମିଳିଛି। ସାରା ଭାରତରୁ ମନୋନୀତ ଶ୍ରେଷ୍ଠ ୫ଟି ହସ୍ତଶିଳ୍ପ  ସାମଗ୍ରୀ ଏଠାରେ ପ୍ରଦର୍ଶିତ ହୋଇଛି । ଏଥିରେ  ସ୍ଥାନ ପାଇଛି କଟକର ରୁପା ତାରକସି । ତାରକସିକୁ  ସେଠାକୁ ନେଇ ଯାଇଛନ୍ତି କଟକର ପ୍ରସିଦ୍ଧ କାରିଗର  ପଙ୍କଜ କୁମାର ସାହୁ । ତାରକସିକୁ ଜିଆଇ ମାନ୍ୟତା  ମିଳିବା ପରେ ଏଭଳି ଏକ ବିଶ୍ୱସ୍ତରୀୟ ମଞ୍ଚରେ  ଏହି ସାମଗ୍ରୀ ପ୍ରଦର୍ଶିତ ହେବା କଟକ ପାଇଁ  ଗୌରବ ଆଣିଛି । ପଙ୍କଜଙ୍କ ଘର କାଫଲାବଜାର  ଅଞ୍ଚଳରେ ହୋଇଥିବାବେଳେ ପୂର୍ବରୁ ସେ ବହୁ  ଜାତୀୟ ଓ ଅନ୍ତର୍ଜାତୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ଭାଗ  ନେଇସାରିଛନ୍ତି । ଅତୀତରେ ଓଡ଼ିଶାରେ ଅନୁଷ୍ଠିତ ହକି ବିଶ୍ୱକପ୍‌ରେ ଖେଳାଳି ଓ ଅତିଥିମାନଙ୍କୁ  ଦିଆଯାଇଥିବା ତାରକସି ସ୍ମାରକୀ ତିଆରି କରି ଶ୍ରୀ  ସାହୁ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଥିଲେ ।  

ମସ୍କୋରେ ଥିବା ଭାରତୀୟ ଦୂତାବାସ ଓ ରୁଷ  ସରକାରଙ୍କ ସହଯୋଗରେ ଭାରତ ଉତ୍ସବ-୨୦୨୫  ଆୟୋଜନ ହେଉଛି । ଗତ ୫ତାରିଖରୁ ଆରମ୍ଭ  ହୋଇଥିବା ଏହି ଉତ୍ସବ ୧୩ ତାରିଖ ପର୍ଯ୍ୟନ୍ତ  ଚାଲିବ । ଭାରତ-ରୁଷ୍‌ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ  ମଜଭୁତ୍‌ କରୁଥିବା ଏହି ଉତ୍ସବକୁ ରୁଷରେ ଥିବା  ଭାରତର ରାଷ୍ଟ୍ରଦୂତ ବିନୟ କୁମାର ଏବଂ ମସ୍କୋ  ସହର ପର୍ଯ୍ୟଟନ କମିଟିର ଉପାଧ୍ୟକ୍ଷ ବୁଲାଟ  ନୁରମୁଖାନୋଭ ମିଳିତ ଭାବରେ ଉଦଘାଟନ  କରିଥିଲେ । 

ହସ୍ତଶିଳ୍ପ ପାଇଁ ରପ୍ତାନି ପ୍ରୋତ୍ସାହନ  ପରିଷଦ (ଇପିସିଏଚ୍‌) ଏବଂ ବିକାଶ କମିସନର  (ହସ୍ତଶିଳ୍ପ) କାର୍ଯ୍ୟାଳୟ ସହଯୋଗରେ ଭାରତର ସ୍ୱତନ୍ତ୍ର ହସ୍ତଶିଳ୍ପକୁ ପ୍ରତିନିଧିତ୍ୱ କରୁଥିବା ପାଞ୍ଚ ଜଣ  ମାଷ୍ଟର କାରିଗର ଏଥିରେ ଅଂଶଗ୍ରହଣ କରିଛନ୍ତି । ଧାତୁ ଶିଳ୍ପ, ମଧୁବନୀ ଚିତ୍ରକଳା, ପଶ୍ମିନା ବୟନ,  କାଠ ଖୋଦନ ଏବଂ ରୁପା ତାରକସି ଅଳଙ୍କାରର  ଲାଇଭ୍‌ ପ୍ରଦର୍ଶନ କରାଯାଉଛି । ଯାହା ଦର୍ଶକମାନଙ୍କ  ଆଗରେ ଭାରତୀୟ କାରିଗରିର ଉତ୍କର୍ଷ ପ୍ରତିପାଦନ  କରୁଛି । ପ୍ରଦର୍ଶନୀକୁ ଆସୁଥିବା ଅଧିକାଂଶ ବ୍ୟକ୍ତି  କଟକ ରୁପା ତାରକସି କାର୍ଯ୍ୟକୁ ଦେଖି ବିମୋହିତ  ହେଉଛନ୍ତି । ତାରକସିର ସୂକ୍ଷ୍ମ କଳାକୌଶଳକୁ  ଲୋକେ ପସନ୍ଦ କରୁଛନ୍ତି । ପଙ୍କଜ କୁମାର ସାହୁ  ମଧ୍ୟ ସ୍ୱଦେଶୀ ବେଶରେ ବାନ୍ଧ କୁର୍ତ୍ତା ପିନ୍ଧି ତାରକସି  କାରିଗରି ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।