ଭୁବନେଶ୍ୱର,୦୭/୧୨: ଭରତପୁର ଥାନାରେ ହଙ୍ଗାମା ଘଟଣାରେ ଶୁକ୍ରବାର ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ କମିଶନଙ୍କ ନେତୃତ୍ୱରେ ତଦନ୍ତ କମିଶନ ଶୁଣାଣି ଆରମ୍ଭ ହୋଇଛି । କିନ୍ତୁ ପୂର୍ବରୁ ଭାଇରାଲ୍ ହୋଇଥିବା କିଛି ଭିଡିଓ ଶୁଣାଣି ବେଳେ କଣ୍ଟା ସାଜିଛି । ଠିକଣା ସମୟରେ କ୍ରାଇମ୍ବ୍ରାଞ୍ଚ ଏସବୁ ଭିଡିଓର ସତ୍ୟାସତ୍ୟ ଦାଖଲ କରିପାରି ନାହିଁ । ତେଣୁ ଆସନ୍ତା ୮ ପରିବର୍ତ୍ତେ ୧୮ ତାରିଖରେ ଆଗାମୀ ଶୁଣାଣି ଧାର୍ଯ୍ୟ କରାଯାଇଛି । ଘଟଣାର କିଛିଦିନ ପରେ ଭରତପୁର ଥାନା ଭିତରୁ କିଛି ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ସେନାଧିକାରୀଙ୍କ ବାନ୍ଧବୀ ଥାନାରେ ହଙ୍ଗାମା କରୁଥିବାର ଏକାଧିକ ଦୃଶ୍ୟ ଥିଲା । ଏହାଛଡ଼ା ଏକ ଘରୋଇ ହସ୍ପିଟାଲ, ଗଣ୍ଡଗୋଳ ସ୍ଥଳ ଓ ପବ୍ ଭିତରୁ ମଧ୍ୟ ବେଶ୍ କିଛି ଭିଡିଓ ଭାଇରାଲ ହୋଇଥିଲା ।
ଏସବୁ ଭାଇରାଲ ଭିଡିଓ ଗୁଡିକ ସତ ନା ଏହାକୁ ଏଡିଟିଂ କରାଯାଇ ତଦନ୍ତକୁ ଦିଗହରା କରାଯାଇଛି, ତାକୁ ନେଇ ପ୍ରଶ୍ନ ଉଠିଥିଲା । ତେଣୁ ଏ ସବୁ ଭିଡିଓର ସତ୍ୟାସତ୍ୟ ପ୍ରମାଣିତ କରିବାକୁ କ୍ରାଇମ୍ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ କମିଶନ । ଶୁକ୍ରବାର ସୁଦ୍ଧା ଏହି ତଥ୍ୟ ଦେବାକୁ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ କ୍ରାଇମ୍ବ୍ରାଞ୍ଚ ଏହା ଦାଖଲ କରିପାରିନି । ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାରରୁ ଏଥିସଂକ୍ରାନ୍ତୀୟ ରିପୋର୍ଟ ମିଳିନଥିବାରୁ କମିଶନଙ୍କ ନିକଟରେ ତଥ୍ୟ ଦାଖଲ ହୋଇପାରିନଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ଆସନ୍ତା ୧୧ ତାରିଖରେ ଏହି ତଥ୍ୟ ଦାଖଲ କରାଯିବ ।
କମିଶନଙ୍କ ନିକଟରେ ସମୁଦାୟ ୫୨୫ଟି ସତ୍ୟପାଠ ଦାଖଲ ହୋଇଥିଲା । ସେଥିରୁ ୪୫ଟି ସତ୍ୟପାଠକୁ ଶୁଣାଣି ପାଇଁ ଚୟନ କରାଯାଇଛି । ସେଥିରେ ୫ ପୁଲିସ ଅଧିକାରୀଙ୍କ ସମେତ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଅଛନ୍ତି । ଶୁକ୍ରବାର ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ (ସର୍କିଟ୍ ହାଉସ୍)ରେ ସମସ୍ତ ପକ୍ଷଙ୍କ ଓକିଲ ଉପସ୍ଥିତ ଥିଲେ । ସେମାନଙ୍କୁ ଏହି ୪୫ଜଣ ସାକ୍ଷୀଙ୍କ ଫାଇଲ୍ ଦିଆଯାଇଛି । ଆଗାମୀ ଦିନରେ ସମସ୍ତ ପକ୍ଷ ସେମାନଙ୍କ ସାକ୍ଷୀ ତାଲିକା ଦେବାକୁ କୁହାଯାଇଛି । ଆଗାମୀ ଶୁଣାଣି ବେଳେ ୫ ପୁଲିସ ଅଧିକାରୀ ସେନାଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଜେରା କରାଯିବ । ତଦନ୍ତ କମିଶନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ନଭେମ୍ବର ୧୯ ତାରିଖରେ ଜଷ୍ଟିସ୍ ଶ୍ରୀ ଦାଶ ନିଜେ ଭରତପୁର ଥାନାକୁ ଯାଇ ଘଟଣାକ୍ରମ ବିଷୟରେ ପଚାରି ବୁଝିଥିଲେ । ସେଦିନ ଥାନାରେ କ’ଣ ଘଟିଥିଲା? ସେନାଧିକାରୀ ଓ ତାଙ୍କ ବାନ୍ଧବୀ ଟିକିନିଖି କରି ବର୍ଣ୍ଣନା କରିଥିଲେ।