କଟକ,୨୧/୧୧: ଭୁବନେଶ୍ୱରର ଭରତପୁର ଥାନାରେ ସେନା ଅଧିକାରୀଙ୍କୁ  ଅସୌଜନ୍ୟ ବ୍ୟବହାର ଓ ତାଙ୍କ ବାନ୍ଧବୀଙ୍କୁ  ନିର୍ଯାତନା ଘଟଣାର ତଦନ୍ତ ସଂକ୍ରାନ୍ତ ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ପୁଲିସ୍‌ ପକ୍ଷରୁ ଯେଉଁ ମାମଲା ରୁଜୁ ହୋଇଥିଲା ତା’ର ତଦନ୍ତର ସ୍ଥିତି  କ’ଣ ରହିଛି ସେ ସଂପର୍କରେ ରାଜ୍ୟ ସରକାର ରିପୋର୍ଟ ଦାଖଲ କରିବେ ବୋଲି  ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ  ସିଂ ଏବଂ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ  ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ପରବର୍ତ୍ତୀ ଶୁଣାଣି ହେବ ।  

ଉଲ୍ଲେଖଯୋଗ୍ୟ ଯେ, ଗତ  ସେପ୍ଟେମ୍ବର ୧୫ ତାରିଖ ବିଳମ୍ବିତ ରାତିରେ  ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀ  ଏଫ୍‌ଆଇଆର୍‌ ଦେବା ପାଇଁ ଭରତପୁର  ଥାନାକୁ ଯାଇଥିଲେ । ସେମାନଙ୍କଠାରୁ  ଏଫ୍‌ଆଇଆର୍‌ ଗ୍ରହଣ ପରିବର୍ତ୍ତେ ପୁଲିସ୍‌  କର୍ମଚାରୀମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ବାନ୍ଧବୀଙ୍କୁ ନିର୍ଯାତନା  ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଏପରିକି ବାନ୍ଧବୀଙ୍କୁ ପୁଲିସ ଗିରଫ କରି  ଜେଲ୍‌ ମଧ୍ୟ ପଠାଇ ଦିଆଯାଇଥିଲା । ଏହି ଘଟଣା ସମଗ୍ର ଦେଶରେ ଚର୍ଚ୍ଚା ସୃଷ୍ଟି  କରିଥିଲା । ଏହାକୁ ନେଇ ହାଇକୋର୍ଟ ନିଜଆଡ଼ୁ ମାମଲା ରୁଜୁ କରିଛନ୍ତି। ମାମଲାରେ ହାଇକୋର୍ଟ ପ୍ରତ୍ୟେକ ଥାନାରେ  ସିସିଟିଭି କ୍ୟାମେରା ଲଗାଯିବା ଉପରେ  ଗୁରୁତ୍ୱ ଦେଇଥିଲେ । ଏଥିରେ ଅତିରିକ୍ତ  ଡିଜିପି ଦୟାଲ୍‌ ଗଙ୍ଗୱାର ସତ୍ୟପାଠ ଦାଖଲ  କରି ରାଜ୍ୟରେ ୬୪୫ଟି ଥାନା ମଧ୍ୟରୁ  ୯୬% ଥାନାରେ ସିସିଟିଭି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ  ରହିଛି ବୋଲି ସୂଚନା ଦେଇଥିଲେ ।  ବାକି ୪% ଥାନାରେ ଚଳିତମାସ ଶେଷ  ସୁଦ୍ଧା ସିସିଟିଭି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ  ହୋଇଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।