ଭୁବନେଶ୍ୱର ୦୯/୧୧: ଭରତପୁର ଥାନାରେ ପୋଲିସ ଏବଂ ସେନା କର୍ମଚାରୀଙ୍କ ମଧ୍ୟରେ ବିବାଦ ମାମଲା। ଗୁଜରାଟ ଗାନ୍ଧୀନଗର ଫରେନସିକ ଲ୍ୟାବରୁ ଆସିଲା ପଲିଗ୍ରାଫ୍‌ ରିପୋର୍ଟ। କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ବ୍ରେନ୍‌ ମ୍ୟାପିଂ ଓ ନାର୍କୋ ଟେଷ୍ଟ ରିପୋର୍ଟ। ମିଛଧରା ପରୀକ୍ଷା ରିପୋର୍ଟ ଯାଞ୍ଚ ପରେ ପ୍ରକୃତ ଘଟଣା ଉପରୁ ଉଠିବ ପରଦା। ଅନ୍ୟପଟେ ସବ୍‌ଇନ୍ସପେକ୍ଟର ବୈଶାଳିନୀ ନାୟକ, ଏଏସ୍‌ଆଇ ସଳୀଳମୟୀ ସାହୁ, ଏଏସ୍‌ଆଇ ସାଗରିକା ନାଥ ଓ ଏସ୍‌ଆଇ  ପ୍ରଶାନ୍ତ ମହାରଣା ପଲିଗ୍ରାଫ ଟେଷ୍ଟ ରିପୋର୍ଟ ମଧ୍ୟ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଥିବା ଜଣାପଡିଛି।

ସୂଚନା ଥାଉକି,  ଆର୍ମି ମେଜର  ଓ ତାଙ୍କ ବାନ୍ଧବୀ ୧୪ ତାରିଖ ରାତିରେ ପଟିଆରୁ ଭରତପୁରକୁ  ରାତିରେ ଆସୁଥିଲେ । ରାସ୍ତାରେ ୨ଟି କାର୍‌କୁ ସେ ଓଭରଟେକ୍‌ କରିଥିଲେ । କାର୍‌ରେ ଥିବା ଯୁବକମାନେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଅଟକାଇ ଦୁର୍ବ୍ୟବହାର ସହ ଆକ୍ରମଣ  କରିଥିଲେ। ଏନେଇ ରାତିରେ  ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ ମେଜର  ଓ ତାଙ୍କ ବାନ୍ଧବୀ । ତେବେ ସେଠାରେ ପୋଲିସ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। ଏହା ପରେ  ଉଭୟଙ୍କୁ ପୁଲିସ ନିର୍ଯାତନା ଦେଇଥିଲା। ଏପରିକି ମେଜରଙ୍କ ବାନ୍ଧବୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।  ଥାନାରେ ଅଭିଯୋଗ କରିବାକୁ ଆସି ପୋଲିସ ଠାରୁ ମାଡ ଖାଇବା ଓ ନିର୍ଯାତନା ଦିଆଯିବା ଅଭି‌ଯୋଗ ହେବା  ପରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଡିଜିପି ୱାଇବି ଖୁରାନିଆ । ଏଥିସହ ୫ ପୋଲିସ ଅଫିସରଙ୍କୁ ଡିଜିପି ନିଲମ୍ଵିତ କରିଥିଲେ। ଏହି ମାମଲା ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତା ତଦନ୍ତ ଚାଲିଛି। ବର୍ତ୍ତମାନ ସୁଦ୍ଧା ଆର୍ମି ମେଜର ଓ ତାଙ୍କ ବାନ୍ଧବୀ ସତ୍ୟପାଠ ଦାଖଲ କରିଥିବା ବେଳେ ୧୦୦ ଅଧିକ ସାଧାରଣ ଲୋକ ମଧ୍ୟ ସତ୍ୟପାଠ କରିଥିବା ସୂଚନା ମିଳିଛି।