ରାଜନଗର,୦୮/୦୧: କୁମ୍ଭୀର ଗଣନା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ  ଆଜିଠାରୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏଥିପାଇଁ ଡାଙ୍ଗମାଳ କାର୍ଯ୍ୟାଳୟ ପରିସରରେ ସହକାରୀ ବନ ସଂରକ୍ଷକ ମାନସ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର, ଆଇଏଫ୍‌ଏସ୍‌ ବିବେକ କୁମାର, ଗବେଷକ ଗତିକୃଷ୍ଣ ପରିଡ଼ା, ପ୍ରାଣୀ ବିଜ୍ଞାନୀ ଡ. ଶିବ ପ୍ରସାଦ ପରିଡ଼ା ଯୋଗ ଦେଇ ରେଞ୍ଜ ଅଫିସର, ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ବନ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଦିନ ଓ ରାତିରେ କୁମ୍ଭୀର ଗଣନା କରାଯିବ । 

ରାଜନଗର ବନଖଣ୍ଡରେ ଏ ନେଇ ୨୩ଟି ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୬ ଜଣ ଲେଖାଏଁ ସାମିଲ୍‌ ହେବେ । କନିକା ରେଞ୍ଜରେ ୧୧ଟି ଟିମ୍‌, ରାଜନଗର ରେଞ୍ଜରେ ୭ଟି ଟିମ୍‌, ଗହୀରମଥା ଓ ମହାକାଳପଡ଼ା ରେଞ୍ଜରେ ଦୁଇଟି ଲେଖାଏଁ ଟିମ୍‌ କୁମ୍ଭୀର ଗଣନା କରିବେ । ପ୍ରଥମ ଥର ପାଇଁ କୁଜଙ୍ଗ ରେଞ୍ଜ୍‌ରେ ଗଣନା ପାଇଁ ଗୋଟିଏ ଟିମ୍‌ ଗଠନ କରାଯାଇଛି ।  ଭିତରକନିକା ଜାତୀୟ ଉଦ୍ୟାନ ପରିଧିର ପ୍ରାୟ ୫୧ଟି ସ୍ପଟରେ ତିନିଦିନ ଧରି କୁମ୍ଭୀର ଗଣନା କାର୍ଯ୍ୟ କରାଯିବ । ଏହି ସମୟ ମଧ୍ୟରେ ପର୍ଯ୍ୟଟକମାନେ ଭିତରକନିକା ନ ଆସିବା ପାଇଁ ବିଭାଗ ପକ୍ଷରୁ ବାରଣ କରାଯାଇଛି ।