ଜାମସେଦପୁର, ୨୬।୨ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡ ଜାମସେଦପୁର ଠାରେ ଶ୍ରୀ ଜଗନ୍ନାଥ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କେନ୍ଦ୍ରର ଭୂମି ପୂଜନ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିରର ଶିଳାନ୍ୟାସ ଗୁରୁବାର କରିଛନ୍ତି। ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଜାମସେଦପୁରରେ ମହାପ୍ରଭୁଙ୍କ ଏହି ଭବ୍ୟ ମନ୍ଦିର କେବଳ ଏକ ଆଧ୍ୟାତ୍ମିକ କେନ୍ଦ୍ର ହେବ ନାହିଁ, ବରଂ ଏହା ଝାଡ଼ଖଣ୍ଡର ସାଂସ୍କୃତିକ ପରିଚୟକୁ ଏକ ନୂତନ ଦିଶା ପ୍ରଦାନ କରିବ ।
ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ଜଗତର ନାଥ ଏବଂ ତାଙ୍କର ଉପାସନା ଆମକୁ କରୁଣା, ଓ ଲୋକମଙ୍ଗଳର ଶାଶ୍ୱତ ସନ୍ଦେଶ ଦେଇଥାଏ । ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଆୟୋଜିତ ଏହି ଉତ୍ସବ ଜଗନ୍ନାଥ ସଂସ୍କୃତିରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ଜଗନ୍ନାଥ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଚାରିଟେବୁଲ୍ ସେଣ୍ଟର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡର ରାଜ୍ୟପାଳ ସନ୍ତୋଷ କୁମାର ଗାଙ୍ଗୱାର , ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଉପସ୍ଥିତ ଥିଲେ।