ଭୁବନେଶ୍ୱର,୧୨/୧୧: ରାଜଧାନୀରେ  ଅସାମାଜିକଙ୍କ ଆତଙ୍କରାଜ ଥମିବାର ନାଁ ନେଉନି । ନବୀନ ନିବାସ ନିକଟରେ ସମାଜସେବୀ ଶିବ ଶ୍ରୀଚନ୍ଦନଙ୍କୁ ହାଣିବା ଘଟଣା ମନରୁ ଲିଭିନି ।  ସୋମବାର ରାତିରେ ବଡ଼ଗଡ଼ ଅଞ୍ଚଳରେ ଜଣେ  ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଦୁର୍ବୃତ୍ତ ଗୋଡ଼ାଇ ହାଣିଛନ୍ତି । ବ୍ୟବସାୟୀ ହେଲେ, ବଡ଼ଗଡ଼ ଗାଁର ଦୀପକ ପ୍ରଧାନ । ସେ ଚର୍ତୁଭୁଜ ପ୍ଲେ ସ୍କୁଲ ମାଲିକ । ଏହାସହ ତାଙ୍କର  ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଅଛି । ୨ ଦୁର୍ବୃତ୍ତ  ତାଙ୍କୁ ଏକ ସର୍ଜିକାଲ ବ୍ଲେଡ୍‌ରେ ହାଣି ଦରମଲା  କରିଛନ୍ତି । 

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ,  ଦୀପକ ରାତି ସାଢ଼େ ୧୦ଟାରେ ବଡ଼ଗଡ଼ ବ୍ରିଟ୍‌  କଲୋନିରୁ ଏକ ସ୍କୁଟି ଯୋଗେ ବଡ଼ଗଡ଼ ଗାଁସ୍ଥିତ  ଘରକୁ ଫେରୁଥିଲେ । ମୁଖା ପିନ୍ଧିଥିବା ୨ ଦୁର୍ବୃତ୍ତ ଏକ  ପଲସର ବାଇକ୍‌ ଯୋଗେ ତାଙ୍କୁ ପିଛା କରିଥିଲେ ।  ବାଇକ୍‌ ପଛରେ ବସିଥିବା ଜଣେ ଦୁର୍ବୃତ୍ତ ହରପ୍ରିୟା  ରିସର୍ଟ୍ଟ ସାମ୍ନାରେ ପ୍ରଥମେ ଦୀପକଙ୍କ ସ୍କୁଟିକୁ ଲକ୍ଷ୍ୟ  କରି ଗୋଇଠା ମାରିଲା । ଦୀପକ ଭାରସାମ୍ୟ ହରାଇ  ରାସ୍ତାରେ ପଡି଼ଗଲେ। ତା’ପରେ ୨ଜଣ ଦୁର୍ବୃତ୍ତ ତାଙ୍କୁ  ଘେରିଯାଇ ସର୍ଜିକାଲ ବ୍ଲେଡ୍‌ରେ ହାଣି ପକାଇଥିଲେ ।  ଆକ୍ରମଣରେ ତାଙ୍କ ପିଠି, ହାତ ଓ ମୁହଁରେ ଗଭୀର  ଆଘାତ ଲାଗିଥିଲା । ଦୀପକଙ୍କ ଚିତ୍କାର ଶୁଣି  ଆଖପାଖ ବାସିନ୍ଦାମାନେ ସେଠାକୁ ଧାଇଁ ଆସିଥିଲେ ।  ଏହା ଦେଖି ୨ ଦୁର୍ବୃତ୍ତ ବାଇକ୍‌ରେ ଘଟଣାସ୍ଥଳରୁ  ଅନ୍ତର୍ଦ୍ଧାନ ହୋଇଗଲେ ।   

ଦୀପକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ  ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଏକ  ଘରୋଇ ହସ୍ପିଟାଲକୁ ପଠାଯାଇଛି । ବଡ଼ଗଡ଼  ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା  ଆରମ୍ଭ କରିଛି । ଆଖପାଖ ସିସି କ୍ୟାମେରାର  ଫୁଟେଜ୍‌ ଯାଞ୍ଚ ଚଳାଇଛି । ତେବେ ଘଟଣାସ୍ଥଳ ଅନ୍ଧାରିଆ ହୋଇଥିବାରୁ ଦୁର୍ବୃତ୍ତ କିମ୍ବା ବାଇକ୍‌କୁ  ଠିକ୍‌ ଭାବେ ଚିହ୍ନଟ କରାଯାଇ ପାରୁନି ।  ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।