ଭୁବନେଶ୍ୱର : କଥା ଦେଇଥିଲୁ, କଥା ରଖିଲୁ । ୨୧ ପ୍ରତିଶ୍ରୁତିରୁ ୧୧ ପୂରଣ କରିଛୁ । ଆଗାମୀ ଦିନରେ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସବୁ ସଂକଳ୍ପ ପୂରଣ କରିବୁ । ଆମ ସରକାରର ଲକ୍ଷ୍ୟ, ଦେଶରେ ଓଡ଼ିଶା ହେବ ଶ୍ରେଷ୍ଠ ରାଜ୍ୟ । ୨୦୩୬ ସୁଦ୍ଧା ଏ ଲକ୍ଷ୍ୟ ପୂରଣ ପାଇଁ ବେଶ ମଜଭୂତ  ମୂଳଦୁଆ ପକାଇଛୁ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ‘ପ୍ରମେୟ’କୁ ସ୍ୱତନ୍ତ୍ର ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ କହିଲେ, ସରକାର ଚଳାଇବାର ଅଭିଜ୍ଞତା ଆମର ନଥିଲା । ନୂଆ ଟିମ୍‌, ନୂଆ ଉତ୍ସାହରେ ନିଷ୍ଠାର ସହ  କିନ୍ତୁ କାମ କରିଛୁ । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆମେ ରୋଡ୍‌ ମ୍ୟାପ୍‌ ତିଆରି କରିଛୁ । ଆମ ସରକାର ଲକ୍ଷ୍ୟ ସ୍ଥିର କରି କାମ  କରୁଛି । ସଫଳତା ମଧ୍ୟ ପାଇଛି । ସାଧାରଣ ଗରିବ ଲୋକଙ୍କ ସମସ୍ୟାର ସମାଧାନକୁ ସରକାର ଶୀର୍ଷରେ  ରଖିଛନ୍ତି । ଗରିବ, ମହିଳା, ଚାଷୀ ଓ ଯୁବକମାନଙ୍କୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବାକୁ  ନୂଆ ଯୋଜନା ହାତକୁ ନେଇଛନ୍ତି । ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ  ସବ୍‌କା ପ୍ରୟାସ’ ମନ୍ତ୍ରକୁ ପାଥେୟ କରି ନୂଆ ସରକାର ନିରନ୍ତର କାର୍ଯ୍ୟ କରି ଚାଲିଛି । ଗତ  ବର୍ଷକ ମଧ୍ୟରେ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଆଗରେ କ’ଣ ଥିଲା ବଡ଼ ଆହ୍ୱାନ? ଆଗାମୀ  ଦିନରେ ରାଜ୍ୟର ବିକାଶ ପାଇଁ କ’ଣ ରହିଛି ରଣନୀତି? ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ  ଖୋଲା ଆଲୋଚନା କରିଥିଲେ ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର ।

ସରକାରକୁ ବର୍ଷେ ପୂରିଛି । ମୁଖ୍ୟମନ୍ତ୍ରୀ ଭାବେ ଅନୁଭୂତି  କ’ଣ? 

କେତେ ଆହ୍ୱାନପୂର୍ଣ୍ଣ ଥିଲା ପ୍ରଥମ ବର୍ଷ? ଅନେକ ଆହ୍ୱାନ ଥିଲା । ମନ୍ତ୍ରିମଣ୍ଡଳରେ କେବଳ ଜଣଙ୍କୁ  ଛାଡ଼ିଦେଲେ କାହାର ମନ୍ତ୍ରୀ ହେବାର ଅଭିଜ୍ଞତା ନଥିଲା । ମୁଁ  ବି ନିଜେ କେବେ ମନ୍ତ୍ରୀ ହୋଇନଥିଲି । ଆମେ ସରକାର  ଚଳାଇ ପାରିବୁ କି ନାହିଁ? ଯଦି ସରକାର ଚଳାଇବୁ ତାହା କେତେଦୂର ସଫଳ ହେବୁ । ଏହାକୁ ନେଇ ମନରେ ଶଙ୍କା  ଓ ଆହ୍ୱାନ ଥିଲା । କିନ୍ତୁ ମୁଁ ଦୃଢ଼ତାର ସହ କହିବାକୁ ଚାହେଁ,  ବର୍ଷକ ଭିତରେ ଆମ ସରକାର ଯାହା କରିଛି, ତାହା ଗତ  ୨୪ ବର୍ଷର ସରକାର କରିବାକୁ ସକ୍ଷମ ହୋଇନଥିଲା । 

 ‘କଥା ଦେଇ କଥା ରଖିଲେ ଲୋକଙ୍କ ସରକାର’ । ବାସ୍ତବରେ ସରକାର ଲୋକଙ୍କ ସହ କେତେ ଯୋଡ଼ି  ହୋଇଛନ୍ତି?

 ବର୍ଷକ ଭିତରେ ଆମ ସରକାର ଲୋକଙ୍କ ସହିତ ତଳସ୍ତର  ପର୍ଯ୍ୟନ୍ତ ଯୋଡ଼ି ହୋଇଛି । ଗତ ସରକାର ଅମଳରେ  ମୁଖ୍ୟମନ୍ତ୍ରୀଙ୍କ ଦେଖା ମିଳିବା କଷ୍ଟକର ଥିଲା । ହେଲେ  ଏଇ ବର୍ଷକ ଭିତରେ ପ୍ରାୟ ସବୁ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଓ  ମନ୍ତ୍ରୀମାନେ ପହଞ୍ଚିଛନ୍ତି । ଲୋକଙ୍କ ଭଲମନ୍ଦ ଶୁଣିଛନ୍ତି ।  ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ ଆଉ ଅପହଞ୍ଚ ନାହାନ୍ତି । ଶପଥ  ନେବାର ଘଣ୍ଟାଏ ଭିତରେ ଆମେ ଦେଇଥିବା ୪ଟି ମୁଖ୍ୟ  ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାର ନିଷ୍ପତ୍ତି ନେଇଛୁ । ‘ସୁଭଦ୍ରା’  ଯୋଜନା, ଚାଷୀଙ୍କୁ ଧାନରେ ସବ୍‌ସିଡି, ଶ୍ରୀମନ୍ଦିର ଚାରିଦ୍ୱାର  ଖୋଲିବା, ଶ୍ରୀମନ୍ଦିର ପାଇଁ କର୍ପସ୍‌ ପାଣ୍ଠି ଗଠନ ଭଳି  ଐତିହାସିକ ନିଷ୍ପତ୍ତି କାର୍ଯ୍ୟକାରୀ କରିଛୁ ।  

ଲୋକଙ୍କ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସରକାର । ଆପଣ  ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି, ସମସ୍ୟାର  ସମାଧାନ କରୁଛନ୍ତି । ଆଗକୁ ଏ ପ୍ରକ୍ରିୟା ଆହୁରି ଲୋକଙ୍କ  ନିକଟତର ହେବ?  

୧୬ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ  ମୁଖ୍ୟମନ୍ତ୍ରୀଙ୍କ ପାଦ ପଡ଼ିନଥିଲା । ଅନେକ ଲୋକ ସୁଦୂର  ମାଲକାନଗିରି, କୋରାପୁଟରୁ ଆସି ନିରାଶ ହେଉଥିଲେ ।  ଥରେ କି ଦୁଇ ଥର ନୁହେଁ, ଦଶ-ବାର ଥର ଆସି ମଧ୍ୟ  ମୁଖ୍ୟମନ୍ତ୍ରୀଙ୍କ ଦେଖା ନପାଇ ଫେରିଯାଇଛନ୍ତି । ଆଜି ଚିତ୍ର  ବଦଳିଛି । ସାଧାରଣ ଲୋକଟିଏ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ  ପ୍ରକୋଷ୍ଠରେ ପହଞ୍ଚି ଅଭିଯୋଗ କରୁଛି ଏବଂ ତା’ର  ତତ୍‌କ୍ଷଣାତ ସମାଧାନ କରାଯାଉଛି । କେବଳ ରାଜଧାନୀ  ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିଯୋଗ  ଶୁଣୁଛନ୍ତି । ଆଗକୁ ପ୍ରତ୍ୟେକ ଜିଲ୍ଲାକୁ ମୁଁ ନିଜେ ଗସ୍ତ କରିବି  ଏବଂ ଲୋକ ମାନଙ୍କ ଅଭାବ, ଅସୁବିଧା ବୁଝିବି ବୋଲି ନିଷ୍ପତ୍ତି  ନେଇଛି । ଜନତା-ସରକାର ଭିତରେ କୌଣସି ବ୍ୟବଧାନ  ରହିବ ନାହିଁ ।  

ନିର୍ବାଚନ ବେଳେ ‘ଓଡ଼ିଆ ଅସ୍ମିତା’ ବଡ଼ ପ୍ରସଙ୍ଗ ଥିଲା । ସେ  ବାବଦରେ ସରକାର କିଛି ପଦକ୍ଷେପ ନେଇଛନ୍ତି । ବର୍ଷେ  ଭିତରେ ଯାହା କରାଯାଇଛି ତାହା ଉଲ୍ଲେଖନୀୟ ବୋଲି କ’ଣ  କହିବା?

 ନିଶ୍ଚିତ ଭାବରେ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି । ‘ଓଡ଼ିଆ  ଅସ୍ମିତା’ କହିଲେ, ମଧୁବାବୁଙ୍କୁ ହିଁ ବୁଝାଏ । ସ୍ୱତନ୍ତ୍ର ଓଡ଼ିଶା  ପ୍ରଦେଶ ଗଠନରେ ସେ ହିଁ ଥିଲେ ମୁଖ୍ୟ ବିନ୍ଧାଣି । ଆମ  ସରକାର ତାଙ୍କରି ଜନ୍ମମାଟିରୁ ଏଥର ଓଡ଼ିଶା ଦିବସ ପାଳନ  କରିଥିଲା । ତାଙ୍କ ଜନ୍ମପୀଠର ଉନ୍ନତୀକରଣ ପାଇଁ ଯୋଜନା  କରାଯାଇଛି । ଖାଲି ସେତିକି ନୁହେଁ, ଗୀତଗୋବିନ୍ଦର  ରଚୟିତା ଜୟଦେବଙ୍କ ଜନ୍ମପୀଠ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ  ବିପ୍ଲବୀ ଧରଣୀଧର ଭୂୟାଁଙ୍କ ଜନ୍ମପୀଠର ବିକାଶ ପାଇଁ ନିର୍ଦ୍ଦିଷ୍ଟ  ଯୋଜନା କରାଯାଇଛି । ଓଡ଼ିଆ ଭାଷା, ସାହିତ୍ୟର ସଂରକ୍ଷଣ, ଉନ୍ନତୀକରଣ, ବିଶେଷକରି ଓଡ଼ିଆ ବିଶ୍ୱବିଦ୍ୟାଳୟର  ରୂପରେଖ ବଦଳାଇବା ଭଳି କାର୍ଯ୍ୟ ଆମେ ହାତକୁ ନେଇଛୁ ।  ସରକାରୀ ଫାଇଲ୍‌ ଚାଷ ସବୁ ଓଡ଼ିଆରେ ଆରମ୍ଭ ହୋଇଛି ।  ମୁଁ ନିଜେ ଓ ଆମ ମନ୍ତ୍ରୀମାନେ ଓଡ଼ିଆରେ ହିଁ ଫାଇଲ୍‌ କାମ  କରୁଛନ୍ତି । ଓଡ଼ିଆ ଭାଷାକୁ ଅଧିକ ଆଦୃତ ପାଇଁ ଜ୍ଞାନ  କୌଶଳର ପ୍ରୟୋଗ ଉପରେ ଗୁରୁତ୍ୱ ଦିଆଯାଇଛି ।  

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ଓ ରତ୍ନ ଅଳଙ୍କାର ସୁରକ୍ଷିତ କି  ନାହିଁ? କିନ୍ତୁ ଏଯାଏ ଚାବି ରହସ୍ୟ ଉପରୁ ପରଦା ହଟିଲା  ନାହିଁ । କେତେ ରତ୍ନ ଅଳଙ୍କାର ଅଛି ତା’ର ତାଲିକା ମଧ୍ୟ  ଆଗକୁ ଆସିଲାନି? 

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ।  ତାଙ୍କର ରତ୍ନ ଭଣ୍ଡାରର ଚାବି ହଜିଗଲା । ଡୁପ୍ଲିକେଟ୍‌ ଚାବି  ବାହାରିଲା । ଏହା ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟକୁ ବାଧିଥିଲା ।  ଆମେ ପ୍ରତିଶ୍ରୁତି ଦେଇଥିଲୁ, ଯାହା ବି ହେଉ ରତ୍ନ ଭଣ୍ଡାର  ଖୋଲିବୁ ଏବଂ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ସୁରକ୍ଷା କରିବୁ ।  ରତ୍ନ ଭଣ୍ଡାରର ଅବସ୍ଥା ମଧ୍ୟ ଶୋଚନୀୟ ଥିଲା । ହାଇକୋର୍ଟ  ଜଜ୍‌ଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି କରାଯାଇ ରତ୍ନ  ଭଣ୍ଡାର ଖୋଲାଗଲା । ଏଏସ୍‌ଆଇର ବିଶେଷଜ୍ଞ ମାନଙ୍କ ଦ୍ୱାରା  ତା’ର ମରାମତି ଚାଲିଛି । ଆଗାମୀ ଦିନରେ ମରାମତି ସରିବା  ପରେ ଗୋଟି ଗୋଟି ରତ୍ନ ଅଳଙ୍କାରର ଗଣତି ମଣତି ହେବ  ଏବଂ ରତ୍ନ ଭଣ୍ଡାରରେ ପୁନଃସ୍ଥାପିତ କରାଯିବ । ଏଥିରେ  ଶହେକୁ ଶହେ ସ୍ୱଚ୍ଛତା ରହିବ ବୋଲି ମୁଁ ପ୍ରତିଶ୍ରୁତି ଦେଉଛି ।  

୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କଥା କହୁଛନ୍ତି ।  ସରକାରଙ୍କ ରୋଡ୍‌ମ୍ୟାପରେ କ’ଣ ଅଛି? ଦେଶ ବିକାଶର  ଇଞ୍ଜିନ୍‌ ଓଡ଼ିଶା ହେବ? 

ନିଶ୍ଚିତ ଭାବରେ ଓଡ଼ିଶା ଦେଶ ବିକାଶର ଇଞ୍ଜିନ୍‌ ହେବ । ଏହା  କେବଳ ଆମ ସରକାରଙ୍କର ସ୍ୱପ୍ନ ନୁହେଁ, ଏହା ଭାରତର  ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସ୍ୱପ୍ନ । ବିଭିନ୍ନ କାର୍ଯ୍ୟକ୍ରମରେ  ମୋଦିଜୀ ଏକଥା ବାରମ୍ବାର ଦୋହରାଇଛନ୍ତି । ଓଡ଼ିଶାର  ଅର୍ଥନୀତିକୁ ପାଞ୍ଚଶହ ବିଲିୟନ୍‌ ଡଲାରରେ ପହଞ୍ଚାଯିବ ।  ଖାଲି କୁହାଯାଉ ନାହିଁ, ୨୦୩୬ ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶକୁ  ୧୦୦ ବର୍ଷ ପୂରିବ । ତାହାକୁ ଟାର୍ଗେଟ୍‌ରେ ରଖି ଆମେ  କାର୍ଯ୍ୟକ୍ରମର ଭିତ୍ତିଭୂମି ଆରମ୍ଭ କରିଛୁ । ବିକଶିତ ଓଡ଼ିଶା  ଗଠନ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଯୋଜନା ହାତକୁ ନିଆଯାଇଛି ।  ଏଥିପାଇଁ କେନ୍ଦ୍ର ସରକାରଙ୍କର ମଧ୍ୟ ବଡ଼ ସହଯୋଗ ରହିଛି ।  ଓଡ଼ିଶା ଦେଶରେ ହେବ ନମ୍ବର ୱାନ୍‌ ।

ଦୁର୍ନୀତି ବିରୋଧରେ ଶୂନ ସହନଶୀଳତା କଥା କହୁଛନ୍ତି ।  ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି  ବିଜେପିର ସବୁ ବଡ଼ ନେତା ଗୋଟିଏ କଥା କହୁଥିଲେ,  ବିଜେଡି ସରକାରରେ ଯେଉଁ ନେତା, ମନ୍ତ୍ରୀ, ଅଫିସର୍‌ ଦୁର୍ନୀତି  କରିଛନ୍ତି ବିଜେପି କ୍ଷମତାକୁ ଆସିଲେ ସେମାନଙ୍କ ବିରୋଧରେ  ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ସେମିତି କିଛି ତ ହେଲାନି ? 

ନାଁ, ସେମିତି କିଛି ହେଲାନାହିଁ କହିବା ଠିକ୍‌ ହେବନାହିଁ ।  ପୂର୍ବ ସରକାରରେ ମୀନ, ମହୁରାଳି ମାଛ ଭଳି ପିଅନ,  କିରାଣିଙ୍କୁ ଧରି ଦୁର୍ନୀତି ହଟାଇବାର ନାରା ଦେଉଥିଲେ । ଆମ  ସରକାରରେ ମାତ୍ର ବର୍ଷକ ଭିତରେ ଆମେ ଅନେକ ବଡ଼  ମାଛ ଧରିଛୁ । ମୁଖ୍ୟ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଆଇଏଏସ୍‌  ଅଫିସର୍‌ଙ୍କୁ ମଧ୍ୟ ଜେଲ୍‌ରେ ଠୁଙ୍କିଛୁ । ଆମର ଗୋଟିଏ  ବାର୍ତ୍ତା, ଦୁର୍ନୀତିର ଏକମାତ୍ର ବିକଳ୍ପ ଜେଲ୍‌ । ହଁ, ଆପଣଙ୍କ  ଭାଷାରେ ଅନେକ ଅଫିସର୍‌ ଏଠି ବଦଳି ହୋଇ କେନ୍ଦ୍ରକୁ  ଯାଇଛନ୍ତି । କିନ୍ତୁ କେନ୍ଦ୍ରରେ କେଉଁ ସରକାର ଅଛି, ସେଠି  ବି ବିଜେପି ସରକାର ଅଛି । ଯେଉଁଠି କି ଗଲେ ବି ନିସ୍ତାର  ନାହିଁ । ଦୁର୍ନୀତିଗ୍ରସ୍ତ ବାବୁ କାବୁ ହେବା ନିଶ୍ଚିତ । 

 ରାଜ୍ୟରେ ଖଣି ମାଫିଆ, ବାଲି ମାଫିଆ ସକ୍ରିୟ ଅଛନ୍ତି ।  ସରକାରକୁ ସେମାନଙ୍କର ଡର ଭୟ ନାହିଁ । ସରକାରୀ  କର୍ମଚାରୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରୁଛନ୍ତି ।  ମୁଖ୍ୟମନ୍ତ୍ରୀ କ’ଣ ପଦକ୍ଷେପ ନେବେ? 

ଅନେକ ସ୍ଥାନରେ ଖଣି ଓ ବାଲି ଦୁର୍ନୀତି ଜୋରଦାର୍‌  ଧରପଗଡ଼ ହେବା ଯୋଗୁ ଅନେକ ଜାଗାରେ ହତୋତ୍ସାହ  ହୋଇ ଅପରାଧୀମାନେ ପୁଲିସ୍‌ ଏବଂ ସରକାରୀ  କର୍ମଚାରୀଙ୍କ ଉପରକୁ ଆକ୍ରମଣ କରୁଥିବା  ନଜରକୁ ଆସିଛି । କିନ୍ତୁ ଏମିତି କରି ସେ  ସରକାରଙ୍କୁ ଡରାଇ ପାରିବେ ନାହିଁ । ସେମାନଙ୍କ  ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉଛି । ଆଗାମୀ  ଦିନରେ ଆହୁରି କଠୋର ପଦକ୍ଷେପ ନିଆଯିବ ।  ଏକଥା ସତ, ମୁଁ ସରଳ । ଆଦିବାସୀ ପରିବାରରୁ  ଆସିଛି । କିନ୍ତୁ ଦୁର୍ବଳ ନୁହେଁ । କିଏ ଡରାଇ,  ଧମକାଇ ଦୁର୍ନୀତି କରିପାରିବନି । ଦୁର୍ନୀତି ପାଇଁ ଆମ ସରକାର  ସବୁବେଳେ ଶୂନ ସହନଶୀଳତା ନୀତି ଧରିବ । 

 ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଢେର ରାଜନୀତି  ହୋଇଛି । ପାଣି ପାଇଁ ରାଜ୍ୟବାସୀ ଛଟପଟ । ଏବେ  କେନ୍ଦ୍ରରେ, ଛତିଶଗଡ଼ରେ ଏବଂ ଓଡ଼ିଶାରେ ବିଜେପି  ସରକାର । ସମସ୍ୟା ସମାଧାନର ବାଟ ବାହାରିବ?  

ଏବେ ମହାନଦୀ ଜଳ ବିବାଦକୁ ନେଇ ଆମ ସରକାର ନିଶ୍ଚିତ  ଭାବରେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବ ।  ଏବେ ଟ୍ରିପଲ୍‌ ଇଞ୍ଜିନ୍‌ ସରକାର । ତେଣୁ ସମାଧାନର ରାସ୍ତା  ନିଶ୍ଚିତ ବାହାରିବ ବୋଲି ମୋର ଦୃଢ଼ ଆଶା । 

ଆପଣ ବିରୋଧୀ ଦଳରେ ଥିଲାବେଳେ କହୁଥିଲେ, ୧୬  ବର୍ଷ ଭିତରେ ଛତିଶଗଡ଼ ମହାନଦୀରେ ୧୬ଟା ଡ୍ୟାମ୍‌ କଲା,  ଓଡ଼ିଶା ସରକାର ଶୋଇଥିଲେ କାହିଁକି? ଏବେ ଆପଣ  ମୁଖ୍ୟମନ୍ତ୍ରୀ, ମହାନଦୀରେ ନୂଆ ଡ୍ୟାମ୍‌ କରିବେ କି?

 ମହାନଦୀରେ ନୂତନ ଡ୍ୟାମ୍‌ କରିବା ପାଇଁ ଏବେ ଅଦାଲତର  ଅନୁମତି ନାହିଁ । କିନ୍ତୁ ଆମେ ମହାନଦୀର ପାଣିକୁ ଅଯଥାରେ  ସମୁଦ୍ରକୁ ବୋହିଯିବାକୁ ଦେବୁ ନାହିଁ । ମହାନଦୀର ଶଯ୍ୟାରେ  ବନ୍ଧଟିଏ ନକରି ଶଯ୍ୟାକୁ ଖନନ କରି ଜଳଧାରଣ କ୍ଷମତା  ବଢ଼ାଇ ବିଶାଳ ଜଳାଶୟ ସୃଷ୍ଟି କରାଯିବ । ସେହି ଜଳକୁ  ଚାଷ ତଥା ଶିଳ୍ପକୁ ଯୋଗାଇ ଦିଆଯିବ ।  

ବିରୋଧୀ ଅଭିଯୋଗ କରୁଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା  ପରିସ୍ଥିତ ବିଗିଡ଼ି ଯାଇଛି । ହତ୍ୟା, ଚୋରି, ଡକାୟତି,  ବଳାତ୍କାର ଘଟଣା ବଢୁଛି । ଗୃହ ବିଭାଗ କିନ୍ତୁ ଆପଣଙ୍କ  ପାଖରେ । କ’ଣ ପଦକ୍ଷେପ ନେଇଛନ୍ତି?

 ଆମ ସମୟରେ ବିଗିଡ଼ି ଯାଇଛି? ବିଗତ ସରକାରରେ  ପରା କ୍ୟାବିନେଟ୍‌ ମନ୍ତ୍ରୀ ସୁରକ୍ଷିତ ନଥିଲେ, ତାଙ୍କୁ ଦିନ  ଦ୍ୱିପ୍ରହରରେ ହତ୍ୟା କରାଗଲା । ଖାଲି ସେତିକି ନୁହେଁ,  ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ହତ୍ୟା ଅଭିଯୋଗ ଆସିଲା ।  ସିରିଜ୍‌ ହତ୍ୟା ଅଭିଯୋଗ ବି ହେଲା । ବର୍ଷକ ଭିତରେ କ’ଣ  ଏମିତି ହୋଇଛି? ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ।  ନା ସରକାର କୌଣସି ଅପରାଧରେ ସମ୍ପୃକ୍ତ ହେଉଛନ୍ତି  ନା ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି । ଅପରାଧୀ ଯେତେ  ପ୍ରଭାବଶାଳୀ ହେଲେ ମଧ୍ୟ ଦଣ୍ଡିତ ହେବା ନିଶ୍ଚିତ । 

 ବାବୁ ବଡ଼ ନା ମନ୍ତ୍ରୀ ବଡ଼? ଭୋଟ୍‌ ବେଳେ ବିଜେପି ଏହାକୁ  ପ୍ରଚାରର ପ୍ରସଙ୍ଗ କରିଥିଲା । ବର୍ଷେ ଭିତରେ ‘ବାବୁରାଜ୍‌’ରେ  କିଛି ପରିବର୍ତ୍ତନ ହୋଇଛି? 

‘ବାବୁରାଜ୍‌’ ଖତମ୍‌ ହୋଇଛି । ଆମ ସରକାର, ଯେଉଁଦିନ  ଶପଥ ନେଲା ସେହିଦିନଠାରୁ ‘ବାବୁରାଜ୍‌’ ଲୋପ ପାଇଛି ।  ପୂର୍ବ ସରକାରରେ ବାବୁ ମାନେ ବସି କ୍ୟାବିନେଟ୍‌ ବୈଠକରେ  ମାମଲତି କରୁଥିଲେ । ମନ୍ତ୍ରୀ ମାନଙ୍କ ପାଖକୁ କ୍ୟାବିନେଟ୍‌  ଏଜେଣ୍ଡା ବି ଆସୁନଥିଲା । ଏବେ ସଚିବ ମାନଙ୍କୁ କ୍ୟାବିନେଟ୍‌  ବୈଠକକୁ ପ୍ରବେଶ ଅନୁମତି ମିଳୁନି । କ୍ୟାବିନେଟ୍‌ ରୁମ୍‌  ବାହାରେ ସେମାନେ ଅପେକ୍ଷା କରୁଛନ୍ତି । ନିହାତି ଆବଶ୍ୟକ  ହେଲେ ତାଙ୍କୁ ଡକାଯାଉଛି । ମନ୍ତ୍ରୀଙ୍କୁ ବାବୁ ମାନେ ଦେଖା  କରିବାକୁ ଆସୁଛନ୍ତି । ସେହି ବାବୁ ମାନେ ବି ବୁଝି ସାରିଲେଣି  ଯେ, ସେମାନଙ୍କ କାମ କ’ଣ ଏବଂ କେଉଁଯାଏ ସୀମା । 

ପଡ଼ୋଶୀ ରାଜ୍ୟ ସହ ଥିବା ସୀମାକୁ ନେଇ ବହୁ ସ୍ଥାନରେ  ବହୁ ବର୍ଷ ହେବ ବିବାଦ ଲାଗି ରହିଛି । ହେଲେ ଏହାର  ସ୍ଥାୟୀ ସମାଧାନ ହୋଇପାରୁନି । କେଉଁଠି ଅସୁବିଧା?  ସରକାର ଇଛାଶକ୍ତି ଦେଖାଇବେ? 

କୋଟିଆ, ପଶ୍ଚିମବଙ୍ଗ ସୀମା ଅଞ୍ଚଳରେ ବିବାଦ ରହିଛି ।  ସେନେଇ ଉଚ୍ଚ ସ୍ତରରେ ଆଲୋଚନା ମଧ୍ୟ କରାଯାଇଛି ।  ସେ ଅଞ୍ଚଳର ବିକାଶକୁ ଅଗ୍ରାଧିକାର ଦିଆଯାଉଛି । ଯାହା  ଫଳରେ ସେଠିକାର ଓଡ଼ିଆ କେବେ ହେଲେ ପଡ଼ୋଶୀ  ରାଜ୍ୟର କାର୍ଯ୍ୟକ୍ରମକୁ ସମର୍ଥନ କରିବେ ନାହିଁ । ସୀମା  ବିବାଦ ତୁଟାଇବାକୁ ସରକାର ସଂକଳ୍ପବଦ୍ଧ । ମୋର ଆଶା,  ଏହି ସମସ୍ୟା ନିଶ୍ଚିତ ଭାବରେ ଦୂର ହୋଇପାରିବ ।  

ନିର୍ବାଚନୀ ପ୍ରତିଶ୍ରୁତିରେ ଚିଟ୍‌ଫଣ୍ଡ ଏକ ପ୍ରସଙ୍ଗ ଥିଲା ।  ବର୍ଷେ ହୋଇଗଲା କ୍ଷତିଗ୍ରସ୍ତ ଜମାକାରୀ ଅପେକ୍ଷାରେ, ଟଙ୍କା  କେବେ ଫେରିପାଇବେ? ସରକାର ଏ ପ୍ରତିଶ୍ରୁତି ଏଯାଏ  ପାଳନ କରିନାହାନ୍ତି । ଆଶା ଆଶାରେ ରହିବ ନା କ୍ଷତିଗ୍ରସ୍ତ  ଜମା ଟଙ୍କା ଫେରି ପାଇବେ? 

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଟଙ୍କା ଫେରି ପାଇବା ନିଶ୍ଚିତ ଭାବରେ  ଏକ ବଡ଼ ପ୍ରସଙ୍ଗ । ଏଥିରେ ଅନେକ ଆଇନ୍‌ଗତ ଲଢ଼େଇ  ଚାଲିଛି । ସାଧାରଣ ଲୋକ ଆଗାମୀ ଦିନରେ କେମିତି  ଠକାମୀର ଶିକାର ନହୁଏ ସେଥିପାଇଁ କାର୍ଯ୍ୟ କରାଯାଉଛି ।  ଏଥିସହିତ ଜମାକାରୀଙ୍କ ଅର୍ଥ କେମିତି ଫେରି ପାଇବେ  ତାହା ନେଇ ମଧ୍ୟ ବିଚାର, ଆଲୋଚନା ଚାଲିଛି । ଏନେଇ  ଉଚ୍ଚ ସ୍ତରରେ ସମୀକ୍ଷା କରାଯାଉଛି । ଜମାକାରୀଙ୍କ ଅର୍ଥ  ଫେରସ୍ତ ନେଇ ଖୁବ୍‌ଶୀଘ୍ର ରାସ୍ତା ବାହାରିବ ।  

କେନ୍ଦ୍ରରେ ଏନ୍‌ଡିଏ ସରକାରର ୧୧ ବର୍ଷ, ଓଡ଼ିଶାରେ  ବିଜେପି ସରକାର ବର୍ଷେ ପୂରଣ କରିଛି । ଡବଲ୍‌ ଇଞ୍ଜିନ୍‌  ସରକାର ଓଡ଼ିଶାବାସୀଙ୍କ ସ୍ୱପ୍ନକୁ କିଭଳି ପୂରଣ କରୁଛି? 

କେନ୍ଦ୍ରରେ ୧୧ ବର୍ଷର ସରକାରରେ ଯାହା ହୋଇଛି, ତାହା  ଆପଣମାନେ ଜାଣନ୍ତି । ୬୦ ବର୍ଷରେ ଯାହା ହୋଇନଥିଲା  ତାହା ଏହି ୧୧ ବର୍ଷରେ ହୋଇଛି । ୨୭ କୋଟି ଲୋକଙ୍କୁ  ଦାରିଦ୍ର‌୍ୟ ସୀମାରେଖା ତଳୁ ଉପରକୁ ଉଠାଯାଇଛି । ମହିଳା  ମାନଙ୍କୁ ସମ୍ମାନ ଦେବା ପାଇଁ ତିନ୍‌ ତଲାକ୍‌ ଆଇନ୍‌ର ଉଚ୍ଛେଦ  ହେଉ କି ଜାମ୍ମୁ-କାଶ୍ମୀର ପାଇଁ ୩୭୦ ଧାରା ଉଚ୍ଛେଦ ଭଳି  ଯୁଗାନ୍ତକାରୀ ପଦକ୍ଷେପ ନେଇଛୁ । ଗତ ୭ ମାସ ଭିତରେ  ପ୍ରଧାନମନ୍ତ୍ରୀ ୫ ଥର ଓଡ଼ିଶା ଆସିଛନ୍ତି । ପୁଣି ମଧ୍ୟ ଆଗାମୀ  ୨୦ ତାରିଖରେ ଆସୁଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି,  ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଭଲପାଇବା କେତେ । ଡବଲ୍‌  ଇଞ୍ଜିନ୍‌ ସରକାର ରହିଥିବାରୁ ଓଡ଼ିଶାବାସୀଙ୍କର ସ୍ୱପ୍ନ ନିଶ୍ଚିତ  ରୂପେ ସାକାର ହେବ ।  

ପ୍ରଧାନମନ୍ତ୍ରୀଙ୍କ ଫୋକସ୍‌ରେ ଓଡ଼ିଶା । ଏହା ପଛର ନିର୍ଦ୍ଦିଷ୍ଟ  କିଛି କାରଣ ଅଛି କି? ରାଜ୍ୟ କେତେ ଲାଭ ଉଠାଇବ?

 ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶାକୁ ସବୁବେଳେ ଗୁରୁତ୍ୱ  ଦେଇ ଆସିଛନ୍ତି । ପୂର୍ବୋଦୟରୁ ଭାରତର ଉଦୟ ନାରା  ଦେଇଛନ୍ତି । ଓଡ଼ିଶାର କୋଣାର୍କ ଚକ୍ରକୁ ଜି-୨୦ ସମ୍ମିଳନୀରେ  ସ୍ଥାନ ଦେଇ ବିଶ୍ୱ ଦରବାରରେ ଓଡ଼ିଶାର ଐତିହ୍ୟକୁ ଉଚ୍ଚା  କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭାଷାରେ ଓଡ଼ିଶା ସମେତ ପୂର୍ବ  ଭାରତର ବିକାଶ ହେଲେ ହିଁ ବିକଶିତ ଭାରତ ସମ୍ଭବ ।  ଓଡ଼ିଶା ହୋଇଯାଇଛି ପୂର୍ବ ଭାରତର ବିକାଶର କେନ୍ଦ୍ର ବିନ୍ଦୁ ।  ତେଣୁ ଓଡ଼ିଶା ନିଶ୍ଚିତ ଭାବରେ ସର୍ବାଧିକ ଲାଭବାନ ହେବ ।  ଏଥିରେ ସନ୍ଦେହ ନାହିଁ ।  

୨୦ ତାରିଖରେ ସରକାରର ବର୍ଷ ପୂର୍ତ୍ତି ମହାସମାବେଶ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବେ । ରାଜ୍ୟବାସୀଙ୍କୁ କ’ଣ  କହିବେ ପ୍ରଧାନମନ୍ତ୍ରୀ?

ଓଡ଼ିଶାବାସୀଙ୍କୁ ଓ ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଭଲପାଇବା  ତାଙ୍କୁ ବାରମ୍ବାର ଓଡ଼ିଶାକୁ ଟାଣି ଆଣୁଛି । ବର୍ଷ ପୂର୍ତ୍ତି  ଉପଲକ୍ଷେ ସେ କେବଳ ସରକାରଙ୍କୁ ନୁହେଁ, ରାଜ୍ୟବାସୀଙ୍କୁ  ଧନ୍ୟବାଦ ଜଣାଇବାକୁ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ସେଦିନ  ମଧ୍ୟ ରାଜ୍ୟବାସୀଙ୍କ ପାଇଁ କିଛି ବିକାଶର ବାର୍ତ୍ତା ଦେବେ  ବୋଲି ମୁଁ ଦୃଢ଼ ଆଶାବାଦୀ । ଓଡ଼ିଶାର ବିକାଶ ପାଇଁ ସମ୍ପୂର୍ଣ୍ଣ  ସହଯୋଗ ଯୋଗାଇ ଦେବାକୁ ଆମେ କହିବୁ ।  

ପ୍ରଥମ ବର୍ଷରେ ଆପଣଙ୍କ ସରକାର ଯୁଗାନ୍ତକାରୀ ପ୍ରତିଶ୍ରୁତି  ପାଳନ କରିଛି । ଦ୍ୱିତୀୟ ବର୍ଷ ପାଇଁ କ’ଣ ରହିଛି ଲକ୍ଷ୍ୟ? 

ସତ କଥା କହିବାକୁ ଗଲେ ୨୦ ତାରିଖରେ ପ୍ରଧାନମନ୍ତ୍ରୀ  ଆସିବେ ଏବଂ ଗତବର୍ଷର ରିପୋର୍ଟ କାର୍ଡ ଦେଖିବେ ।  ସେହିଦିନ ହିଁ ଆପଣମାନେ ଦ୍ୱିତୀୟ ବର୍ଷ ପାଇଁ ଆମ  ସରକାରର ଲକ୍ଷ୍ୟ କ’ଣ ଜାଣିପାରିବେ । ଆୟୁଷ୍ମାନ ଭାରତ  ଭଳି ଯୋଜନାକୁ ଆମେ କାର୍ଯ୍ୟକାରୀ କରିଛୁ । ସାଢ଼େ ୩  କୋଟି ଲୋକ ଯୋଡ଼ି ହୋଇଥିଲା ବେଳେ ସ୍ୱାସ୍ଥ୍ୟସେବା ଆହୁରି ଗୁଣାତ୍ମକ ହୋଇଛି । ରାଜ୍ୟ ବାହାରେ ଅଧିକ ହସପିଟାଲରେ  ମାଗଣାରେ ସ୍ୱାସ୍ଥ୍ୟସେବା ଉପଲବ୍ଧ ହୋଇଛି । ସେହିଭଳି  ଆବାସ ଯୋଜନାରୁ ବାଦ୍‌ ପଡ଼ୁଥିବା ଗରିବ ପରିବାରକୁ ଘର  ଦେବାକୁ ଅନ୍ତ୍ୟୋଦୟ ଗୃହ ଯୋଜନା ଆରମ୍ଭ କରିଛୁ । ଆସନ୍ତା  ୩ ବର୍ଷରେ ୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ଘର  ମିଳିବ । ଏଭଳି ବହୁ ଯୁଗାନ୍ତକାରୀ ନିଷ୍ପତ୍ତି ଆମେ ନେଇଛୁ । 

�ଆପଣ ସବୁ ଜିଲ୍ଲାରେ ମେଡିକାଲ୍‌ କଲେଜ ଖୋଲିବେ  କହୁଛନ୍ତି, ଏତେ ଡାକ୍ତର ଆଣିବେ କେଉଁଠୁ? ଭିତ୍ତିଭୂମି  ଏତେ ଶୀଘ୍ର ହୋଇଯିବା କ’ଣ ସମ୍ଭବ?  

ବର୍ତ୍ତମାନ ରାଜ୍ୟରେ ଯେତିକି ମେଡିକାଲ୍‌ କଲେଜ ଅଛି  ସେଥିରୁ ଯେଉଁ ଡାକ୍ତର ପ୍ରତିବର୍ଷ ବାହାରୁଛନ୍ତି ସେମାନଙ୍କ  ପାଇଁ ଏକ ବିରାଟ କ୍ଷେତ୍ର ପ୍ରସ୍ତୁତ ହେଉଛି । ତାହା ହେଲା  ନୂଆ ମେଡିକାଲ୍‌ କଲେଜ । ଭିତ୍ତିଭୂମି ତିଆରିରେ ଯେତିକି ଦିନ  ଲାଗିବ ତା’ ଭିତରେ ଡାକ୍ତର ଅଭାବ ପୂରଣ ହୋଇଯିବ ।  

ମୁଖ୍ୟମନ୍ତ୍ରୀ ପଦବିରେ ରହିବା ପରେ ଆପଣ ୧୮ରୁ ୨୦  ଘଣ୍ଟା କାମ କରୁଛନ୍ତି । ଏହାଦ୍ୱାରା ପରିବାରକୁ ଅବହେଳା  କରୁନାହାନ୍ତି କି? ପରିବାର ପାଇଁ କେତେ ସମୟ ଦେଉଛନ୍ତି?

ହଁ, ଏକଥା ସତ । ମୁଖ୍ୟମନ୍ତ୍ରୀ ହେବା ପରେ ପରିବାର  ପାଇଁ ସମୟ ପାଉନାହିଁ । ବର୍ଷକ ଭିତରେ ଅନେକ କଥା  ବ୍ୟବସ୍ଥିତ ହୋଇଗଲାଣି । ଆଗାମୀ ଦିନରେ ମୁଁ ପରିବାର  ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ପାଇବି ବୋଲି ଭାବିଛି ।