ଭୁବନେଶ୍ୱର ୧୮/୦୩:  ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ଆସିଲା ନୂଆ ଅପ୍‌ଡେଟ୍। ବଦଳିବ ପୂର୍ବ ସରକାର ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର୍। ଆହୁରି ବଢ଼ିବ ମେଟ୍ରୋ କରିଡର । ଏଣିକି ତ୍ରିଶୁଳିଆ ନୁହେଁ କଟକ ପର୍ଯ୍ୟନ୍ତ ଗଡିବ ମେଟ୍ରୋ । ୧୯ରୁ ଅଧିକ ମେଟ୍ରୋ ଷ୍ଟେସନ୍ ନିର୍ମାଣ କରାଯିବ । ଏଲିଭେଟେଡ କରିଡରରେ ସହର ଉପରେ ଯିବ ସମ୍ପୂର୍ଣ୍ଣ ମେଟ୍ରୋ ରେଳପଥ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ।

ପୂର୍ବ ସରକାର ଯେଉଁ ମେଟ୍ରୋର ପରିକଳ୍ପନା କରିଥିଲେ ତ୍ରିଶୁଳିଆ ପର୍ଯ୍ୟନ୍ତ କରାଯାଇଥିଲା । ଏବେ ମେଟ୍ରୋ କରିଡରକୁ କଟକ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ତେଣୁ ଡିପିଆର୍ ପରିବର୍ତ୍ତନ କରିବା ପାଇଁ ଟେକ୍ନିକାଲ ଲୋକଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । କେଉଁଠୁ କେଉଁ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ସେ ନେଇ କମିଟି ତର୍ଜମା କରିବେ । 

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନେଇ ଖୁବଶୀଘ୍ର ନୂଆ ଡିପିଆର୍ ପ୍ରସ୍ତୁତ କରାଯିବ । ମେଟ୍ରୋ ପ୍ରକଳ୍ପ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ପୂର୍ବ ଡିପିଆର୍‌କୁ ସଂଶୋଧନ କରିବା ପାଇଁ ତର୍ଜମା କରୁଛନ୍ତି ଉଚ୍ଚ ସ୍ତରୀୟ କମିଟି । ତିନି ଥାକିଆ ଏଲିଭେଟେଡ କରିଡର କରିବା ପାଇଁ ଯୋଜନା ଚାଲିଛି । 

ମନ୍ତ୍ରୀ ଆହୁରି କହିଛନ୍ତି, ''ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପୂର୍ବରୁ ମେଟ୍ରୋ ଯିବା ନେଇ ପ୍ଲାନ କରାଯାଇଥିଲା । ହେଲେ ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କ'ଣ କରିବେ ? କଟକ ପର୍ଯ୍ୟନ୍ତ ଯିବାର ଆବଶ୍ୟକତା ରହିଛି । ସେହିଭଳି ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ଯିବାର ଆବଶ୍ୟକତା ରହିଛି । କମିଟି ଅନୁଧ୍ୟାନ କରୁଛି ଏବଂ ଏହାର ପରିଧିକୁ ବିସ୍ତୃତ କରାଯିବ ।  ପ୍ରକଳ୍ପକୁ ବାତିଲ କରାଯିବ ନାହିଁ । ଇଏ ଲୋକଙ୍କ ସରକାର । ଲୋକଙ୍କର ଯାହା ଆବଶ୍ୟକତା ତାହା କରାଯିବ ।''

ସୂଚନା ଅନୁଯାଇ ,ପୂର୍ବ ସରକାରରେ ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୧୯ଟି ମେଟ୍ରୋ ଷ୍ଟେସନ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ମଧ୍ୟରେ ପିଲର ନିର୍ମାଣ ପାଇଁ ମାଟି ପରୀକ୍ଷା ମଧ୍ୟ ସରିଥିଲା ।