ଭୁବନେଶ୍ୱର,୧୬।୧: ବିହାରର ବନ୍ଧୁକ, ଭୁବନେଶ୍ବରରେ ବିକ୍ରି । ବିହାରରୁ ଓଡ଼ିଶା ଚାଲିଥିଲା ହତିଆର ବିକ୍ରି ନେଟଓ୍ବର୍କ । ରାଜ୍ୟ ବାହାରୁ ଆଣି ରାଜଧାନୀରେ ବିକ୍ରି କରୁଥିଲେ ମାରଣାସ୍ତ୍ର ମାଫିଆ । ମାତ୍ର ଡିଲ୍ ବେଳେ ମାଡ଼ି ବସିଲା କମିଶନରେଟ୍ ପୁଲିସର ସ୍ପେଶାଲ ୟୁନିଟ୍ । ଚଢ଼ାଉ ସମୟରେ ଜଣେ ବେପାରି ଗିରଫ ହୋଇଥିବା ବେଳେ ତା’ ଠାରୁ ୬ଟି ବନ୍ଧୁକ ଜବତ ହୋଇଛି ।
ପୁଲିସ କମିଶନରଙ୍କ ସୂଚନା ମୁତାବକ, ରାଜଧାନୀରେ ବନ୍ଧୁକ କାରବାର ନେଇ ପୂର୍ବରୁ ସୁରକ ଥିଲା । କିଛି ବେପାରୀ ଏବଂ ଗ୍ରାହକ ସ୍କାନରରେ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବେପାରି ବିହାରରୁ ବନ୍ଧୁକ ଆଣି ଭୁବନେଶ୍ବରରେ ବିକ୍ରି କରିବା ନେଇ ଯୋଜନା ଚଳାଇଥିଲା । ଏନେଇ ଖବର ପାଇ କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଚଢ଼ାଉ କରି ବେପାରୀକୁ ଧରିବାରେ ସଫଳ ହୋଇଥିଲା । ତେବେ ଗିରଫ ଅଭିଯୁକ୍ତ ଯାଜପୁରର ମନୋଜ କୁମାର ମଲ୍ଲିକ ଓରଫ ପପୁ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ନିକଟରୁ ୬ଟି ସେମି ଅଟୋମେଟିକ୍ ପିସ୍ତଲ, ୧୦ଟି ଅଫୁଟା ଗୁଳି, ଗୋଟିଏ ମୋବାଇଲ୍, ଦୁଇଟି ବାଇକ୍ ଏବଂ ନଗଦ ୫ଶହ ଟଙ୍କା ଜବତ କରିଛି ସ୍ପେଶାଲ ୟୁନିଟ୍ । ବେପାରୀ ଜଣକ ଭୁବନେଶ୍ୱର ସମେତ ଅନ୍ୟ କେଉଁ ଅଞ୍ଚଳରେ କାରବାର କରୁଥିଲେ ସେ ନେଇ ପୁଲିସ ତାକୁ ପଚରାଉଚରା କରୁଥିବା ଜଣାପଡିଛି।