ଭୁବନେଶ୍ୱର, ୨୩/୧୧: ମୁଣ୍ଡ ଉପରେ ସର୍ବଭାରତୀୟ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ସମ୍ମିଳନୀ ।  କିନ୍ତୁ ରାଜଧାନୀରେ ଆଇନଶୃଙ୍ଖଳା ବିଗିଡ଼ି ଗଲାଣି । ଲୁଟ୍‌,  ଛିନ୍‌ତାଇ, ହତ୍ୟା, ଗୋଷ୍ଠୀ ସଂଘର୍ଷରେ କମିଶନରେଟ ପୁଲିସର ପାରିବା ପଣିଆ ପଦାରେ ପଡିଛି । ଏନେଇ ଉପର ମହଲରୁ ତାଗିଦ୍‌ ପରେ ଚେତିଛି କମିଶନରେଟ୍‌ ପୁଲିସ । 

ଡିସିପି ପିନାକ ମିଶ୍ର ଭୁବନେଶ୍ୱର ୟୁପିଡିର ସବୁ ଥାନା ଅଧିକାରୀଙ୍କୁ ଫତୁଆ ଜାରି କରିଛନ୍ତି । ଚରମବାଣୀ ଶୁଣାଇଛନ୍ତି, ସାରା ରାତି ଉଜାଗର ରୁହ । ରାଜରାସ୍ତା ହେଉ  କି ଗଳିକନ୍ଦି । ଥରେ ନହେଲେ ୧୦ ଥର ଚକ୍କର କାଟ ।  କୁଖ୍ୟାତ ଅପରାଧୀ, ଅଭ୍ୟାସଗତ ଲୁଟେରା, ଚୋର, ପେସାଦାର ନିଶା ବେପାରୀ ମାଫିଆଙ୍କୁ ବାନ୍ଧ । ଆଉ ରାତିକ  ଭିତରେ ଶହେରୁ ଅଧିକ ଗିରଫଦାରି ଦେଖାଅ । ଡିସିପିଙ୍କ  ଏଭଳି ତାଗିଦ୍‌ ପରେ ସବୁ ଥାନା ଅଧିକାରୀ ଛାନିଆ ହୋଇଯାଇଛନ୍ତି । ପ୍ରତି ଥାନାର ପିଓପିଡି ଓ ଟିମ୍‌-୬୦ ତତ୍ପର  ହୋଇଉଠିଛି । କୁଣ୍ଡଳି ଓ ସନ୍ଧାନ ଆପ୍‌ରୁ ଅଭ୍ୟାସଗତ ଓ  କୁଖ୍ୟାତ ଅପରାଧୀଙ୍କ ଲମ୍ବା ତାଲିକା ପ୍ରସ୍ତୁତ ହୋଇଛି । ରାତିତମାମ ଜୋରଦାର ପାଟ୍ରୋଲିଂ କରିଛନ୍ତି।