ଭୁବନେଶ୍ବର ୧୬/୦୮: ରାଜଧାନୀରେ ହିଟ ଆଣ୍ଡ ରନ୍ କେସ୍। ଥାର୍ ଗାଡ଼ି ସହ ‌ରେସିଂ କରୁଥିବା ସ୍କର୍ପିଓ ଡ୍ରାଇଭରକୁ ଧରିଲା ପୁଲିସ। ୨୨ ବର୍ଷୀୟ ଡ୍ରାଇଭର ଅଙ୍କିତଙ୍କୁ ଗିରଫ। ତାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ଅଭିଯୋଗରେ ୪୨ ବର୍ଷୀୟ କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୁଲିସ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାରବିଭାଗୀ ଜେଲକୁ ପଠାଯାଇଛି। କିନ୍ତୁ ଏବେ ଯାଏ ଥାର୍ ଗାଡ଼ି ମାଲିକ ଧରାପଡ଼ିନାହିଁ। 

ସୂଚନା ମୁତାବକ, ରାକ୍ଷୀପୂର୍ଣ୍ଣିମା ଦିନ ଅର୍ଥାତ ୯ ତାରିଖରେ ସକାଳେ ରେବତୀ ତାଙ୍କ ଝିଅ  ରେଶ୍‌ମା ଓ  ପୁଅ ମାହିଙ୍କୁ ସାଙ୍ଗରେ ଧରି ଫୁଲେଶ୍ୱର ବସ୍ତିରୁ ପଟିଆ ଅଭିମୁଖେ ବାହାରିଲେ । ସେଠାରେ  ଆର୍‌ଆଇ ଥିବା ତାଙ୍କ ଭାଇ ଦିଲ୍ଲୀପଙ୍କୁ  ଭେଟିଥିଲେ । ଭାଇଙ୍କ ହାତରେ ରାଖୀ ବାନ୍ଧିବା  ପରେ ଘରେ ଖାଇଥିଲେ । ସନ୍ଧ୍ୟାରେ ସମସ୍ତେ ଆମ  ବସ୍‌ରେ ଚଢ଼ି ଘରକୁ ଫେରିଥିଲେ । ସେମାନେ  ପାତ୍ରପଡ଼ାସ୍ଥିତ ସପିଂ ମଲ୍‌ ସାମ୍ନାରେ ସନ୍ଧ୍ୟା ୬ଟା  ୨୭ ମିନିଟ୍‌ରେ ବସ୍‌ରୁ ଓହ୍ଲାଇଲେ । ରେବତୀ ଗୋଟିଏ  ହାତରେ ମାହିକୁ କାଖେଇଥିଲେ । ଅନ୍ୟ ହାତରେ  ରେଶ୍‌ମା ହାତକୁ ଧରି ଫୁଲେଶ୍ୱର ବସ୍ତିକୁ ଯିବା ପାଇଁ ଚାଲି ଚାଲି ଜାତୀୟ ରାଜପଥ ପାର୍‌ ହେଉଥିଲେ ।  ଏତିକିବେଳେ ଖଣ୍ଡଗିରି ଆଡୁ ଦ୍ରୁତଗତିରେ  ଆସୁଥିବା ଏକ ଥାର୍‌ ଗାଡି ସେମାନଙ୍କୁ ଧକ୍କା  ଦେଇଥିଲା । ରେବତୀ ଓ ରେଶ୍‌ମା ରାସ୍ତାରେ ଛିଟ୍‌କି  ପଡିଥିଲେ । ରେଶ୍‌ମାର ମୁଣ୍ଡରେ ଶକ୍ତ ଆଘାତ  ଲାଗିବାରୁ ସେଠାରେ ମୃତ୍ୟୁ ଘଟିଥିଲା । ଗାଡି ଧକ୍କା ଦେବା ସତ୍ତେ୍ୱ ରେବତୀ କୁନି ପୁଅ ମାହିକୁ କାଖେଇକି  ରଖିଥିବାରୁ ସେତେଟା ଆଘାତ ହୋଇନଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ଆହତମାନଙ୍କୁ ଏମ୍‌ସକୁ ନେଇଯାଇଥିଲେ । ଦୁଇ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ରେବତୀଙ୍କ ମୃତ୍ୟୁ ଘଟିଥିଲା।  

ଏହି ଘଟଣା ୨୪ ଘଣ୍ଟା ମଧ୍ୟରେ ଥାର୍‌ ଗାଡ଼ିକୁ ଜବତ କରିଥିଲା ଖଣ୍ଡିଗିରି ପୁଲିସ। ତେବେ ବର୍ତ୍ତମାନ ଯାଏ କିଲ୍ ଥାର୍ ଗାଡ଼ି ମାଲିକ ସୋମନାଥ ବେହେରାଙ୍କ ପତ୍ତା ମିଳିପାରିନାହିଁ। ସେ ଏବେ ବି ଫେରାର ଅଛନ୍ତି। ତେବେ ଏହି ଘଟଣାରେ ଥାର୍ ଗାଡ଼ି ସହ ରେସିଂ କରୁଥିବା ସ୍କର୍ପିଓ ଡ୍ରାଇଭର ଅଙ୍କିତଙ୍କୁ ବାନ୍ଧିଛି ଖଣ୍ଡଗିରି ପୁଲିସ। ତାଙ୍କୁ ଫେରାର ହେବାରେ ସହଯୋଗ କରୁଥିବା କୃଷ୍ଣ ଚନ୍ଦ୍ର ମଧ୍ୟ ଧରାପଡ଼ିଛନ୍ତି।