ଭୁବନେଶ୍ୱର,୦୪/୦୭(ଅମନ ଆୟୁଷ୍ମାନ ଦାସ): ଉନ୍ନତମାନର ସଙ୍କରଜାତୀୟ ପଣସ ମଞ୍ଜି ପାଇଁ ଆମକୁ ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବନି । ରାଜଧାନୀ ଭୁବନେଶ୍ୱରରେ ହିଁ ଏହି ମଞ୍ଜି ଓ ଚାରା ମିଳିବ । ଏଥିପାଇଁ ଯୋଜନା ପ୍ରସ୍ତୁତ କରିଛି ରାଜ୍ୟ ଉଦ୍ୟାନ କୃଷି ବିଭାଗ । ଭୁବନେଶ୍ୱରକୁ ପଣସର ମୁଖ୍ୟ ପେଣ୍ଠସ୍ଥଳ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏଥିପାଇଁ ରାଜଧାନୀ ଉପକଣ୍ଠ ଡେରାସ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମୋଟ ୫ ହେକ୍ଟର ଜମିରେ ୨ ହଜାର ଉନ୍ନତମାନର ପାଲୁର-୧ ପ୍ରଜାତିର ପଣସ ଗଛ ଲାଗିଛି । ସେହିପରି ଖଣ୍ଡଗିରି ଓ ଏକାମ୍ର ଉଦ୍ୟାନରେ ମଧ୍ୟ ୫୦ଟି ଲେଖାଏଁ ସଙ୍କର ଓ ସିଦ୍ଦୁ ଜାତୀୟ ପଣସ ଗଛ ଲାଗିଛି । ଏବର୍ଷ ଏହି ସବୁ ସ୍ଥାନରେ ପଣସ ଫଳିଛି । ଏବେ ରାଜ୍ୟରେ ଉନ୍ନତମାନର ପଣସ ଚାଷ ପାଇଁ ତାମିଲନାଡ଼ୁ ଓ ବେଙ୍ଗାଲୁରୁରୁ ଚାରା ଆସୁଛି। ହେଲେ ଆଗକୁ ଡେରାସ, ଖଣ୍ଡଗିରି ଓ ଏକାମ୍ର ଉଦ୍ୟାନରୁ ହିଁ ଉନ୍ନତ ମାନର ଚାରା ଉତ୍ପାଦନ ହେବ । ଯଦ୍ୱାରା ଚାଷୀ ପଣସ ଚାଷ କରି ସ୍ୱାବଲମ୍ବୀ ହେବେ ।
ଉନ୍ନତ ମାନର ପଣସ ଚାଷ ପାଇଁ ୨୦୨୨ ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ପଣସ (ଜ୍ୟାକଫ୍ରୁଟ୍) ମିଶନ୍। ଏହି ମିଶନ ଆଧାରରେ ରାଜ୍ୟର ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଜପତି, ସୁନ୍ଦରଗଡ଼ ଓ ଅନୁଗୁଳ ଭଳି ୯ଟି ଜିଲ୍ଲାରେ ପାଇଲଟ୍ ପ୍ରକଳ୍ପ ଭାବରେ ପଣସ ଚାଷ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ସେହି ଅନୁସାରେ, ୨୦୨୩-୨୪ରେ ଏହି ୯ଟି ଜିଲ୍ଲାର ୫୦ଟି ବ୍ଲକରେ ଥିବା ମୋଟ ୨୦୦ ହେକ୍ଟର ଜମିରେ ନୂଆ ପଣସ ଗଛ ଲଗାଯାଇଥିଲା । ସେହିପରି ୨୦୨୪- ୨୫ରେ ମୋଟ ୩୦୦ ହେକ୍ଟର ଜମିରେ ଗଛ ଲଗାଯାଇଥିବା ବେଳେ ୨୦୨୫- ୨୬ରେ ପୁଣି ୩୦୦ ହେକ୍ଟର ଜମିରେ ଗଛ ଲାଗିବ ବୋଲି ଜଣାପଡ଼ିଛି । ଏବେ ପଣସ ମିଶନ୍ରେ ପାଲୁର-୧, ସଙ୍କର, ସିଦ୍ଦୁ ପ୍ରଜାତିର ପଣସ ଚାରା ଆସୁଛି । ପାଲୁର-୧ ହେଉଛି ଏକପ୍ରକାର କଲମୀ ପଣସ । ଯାହା ବର୍ଷକୁ ଦୁଇଥର ଫଳ ଦିଏ । ଏସବୁ ଜିଲ୍ଲାରେ ପଣସ ଚାଷ ପାଇଁ ୩୦ ହଜାର ଚାରା ଆବଶ୍ୟକ ।
ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ତାମିଲନାଡ଼ୁରୁ ପାଲୁର-୧ ପ୍ରଜାତିର ୧୪ ହଜାର ଚାରା ଆସିବ ବୋଲି ସେଠିକାର ଉଦ୍ୟାନ କୃଷି ବିଭାଗ ସହିତ ଆଲୋଚନା ହୋଇଛି । ବାକି ଗଛ ମଧ୍ୟ ପର୍ଯ୍ୟାୟ କ୍ରମେ ଅଣାଯିବ । ଏଥିସହ ବେଙ୍ଗାଲୁରୁରୁ ମଧ୍ୟ ଶଙ୍କର ଓ ସିଦ୍ଦୁ ପ୍ରଜାତିର ଗଛ ଆସି ପଣସ ଚାଷୀଙ୍କୁ ବଣ୍ଟନ କରାଯିବ । ଏବେ ଓଡ଼ିଶାର ସବୁ ଜିଲ୍ଲାରେ ୧୩ ହଜାର ୮୪୯ ହେକ୍ଟର ଜମିରେ ପଣସ ଗଛ ଥିବା ବେଳେ ୧୨ ହଜାର ୭୫୦ ହେକ୍ଟରରେ ଫଳ ଉତ୍ପାଦନ ହେଉଛି । ବାର୍ଷିକ ୩ ଲକ୍ଷ ୧୯ ହଜାର ୧୯୩ ଟନ୍ ପଣସ ଉତ୍ପାଦନ ହେଉଥିବା ବେଳେ ହେକ୍ଟର ପିଛା ୨୫ ଟନ୍ ପଣସ ଉତ୍ପାଦନ କରାଯାଉଛି ।
ଅସଲ କଥା ହେଉଛି ପଣସ ପ୍ରକ୍ରିୟାକରଣ ୟୁନିଟ୍ ଓ ମାର୍କେଟିଂ ସୁବିଧା । ବର୍ତ୍ତମାନ ସୁଦ୍ଧା କେନ୍ଦୁଝର, କୋରାପୁଟ ଓ କେନ୍ଦୁଝରରେ ଟେକ୍ନୋ ଇନକ୍ୟୁବେସନ ସେଣ୍ଟର(ଟିଆଇସି) ରହିଛି । ଯେଉଁଠି ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ପଣସକୁ ପ୍ରକ୍ରିୟାକରଣ କରାଯାଉଛି । ପଣସରୁ ଚିପ୍ସ, କଠା ତରକାରୀ, ଜାମ୍, ଆଚାର, ପାମ୍ପଡ, ମିଠା, ପିଠା ଭଳି ୪୦ ପ୍ରକାରର ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ କରାଯାଉଛି । ଏଥିରେ ବହୁ ମହିଳା, ପୁରୁଷ କାମ କରି ରୋଜଗାରକ୍ଷମ ହେଉଛନ୍ତି । ମାତ୍ର ଏହାର ବଜାର ସୁବିଧା ବିଶେଷ ନାହିଁ । କେବଳ ମେଳା ମହୋତ୍ସବ ହେଲେ ଏସବୁ ଲୋକଙ୍କ ପାଖରେ ପହଞ୍ଚୁଛି । ନଚେତ୍ ବାହାର ରାଜ୍ୟକୁ ଚାଲି ଯାଉଛି । ଯଦି ଅନଲାଇନ୍ ଯୋଗେ ଓ ମିଶନ ଶକ୍ତି ବଜାରରେ ପଣସ ପ୍ରସ୍ତୁତ ଖାଦ୍ୟଦ୍ରବ୍ୟ ରହିବ ତେବେ ବିକ୍ରି ବଢ଼ନ୍ତା ବୋଲି ବେପାରୀମାନେ କହିଛନ୍ତି । ସେହିପରି ଅନ୍ୟ ଜିଲ୍ଲାରେ ମଧ୍ୟ ଟିଆଇସି ଆବଶ୍ୟକ ହେଉଛି ।
କୃଷି ବିଶେଷଜ୍ଞ ନଟବର ଖୁଣ୍ଟିଆ କହିଛନ୍ତି, ଓଡ଼ିଶା ପଣସ ଉତ୍ପାଦନରେ ଦ୍ୱିତୀୟ । ହେଲେ ଆମେ ପଣସର ସଠିକ ଉପଯୋଗ କରୁନୁ । କର୍ଣ୍ଣାଟକରେ ମହିଳା ଏସ୍ଏଚ୍ଜିମାନେ ସ୍ୱତନ୍ତ୍ର ଭାବେ ତାଲିମ ନେଇ ପଣସରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ କମ୍ ଖର୍ଚ୍ଚ ହେଉଛି । ସେଠାରେ ପ୍ରତି ଘରେ ପଣସ ପ୍ରସ୍ତୁତ ଖାଦ୍ୟ ମିଳିବ । ହେଲେ ଓଡ଼ିଶାରେ ଯଥେଷ୍ଟ ପଣସ ଥାଇ ବି ବଜାର ସୁବିଧା ମିଳୁନି । କେବଳ ୯ଟି ଜିଲ୍ଲା କାହିଁକି ପ୍ରତ୍ୟେକ ଜିଲ୍ଲାରେ ପଣସ ମିଶନ କାର୍ଯ୍ୟକାରୀ ହେଉ । ଆଦିବାସୀଙ୍କୁ ପଣସ ମିଶନରେ ସାମିଲ କରାଯାଇ ସ୍ୱାବଲମ୍ବୀ କରାଯାଉ । ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ(ଏକାମ୍ର କାନନ) କହିଛନ୍ତି, ପଣସ ମିଶନ ଆଗକୁ ଅନ୍ୟ ଜିଲ୍ଲାରେ କାର୍ଯ୍ୟକାରୀ କରାଯିବାକୁ ଆଲୋଚନା ଚାଲିଛି । ବର୍ତ୍ତମାନ ଆମେ ଉତ୍ପାଦନ ବଢ଼ାଇବାକୁ ଉଦ୍ୟମ କରୁଛୁ । ରାଜଧାନରେ ହିଁ ପଣସର ମୁଖ୍ୟ ପେଣ୍ଠସ୍ଥଳ କରିବାକୁ ଲକ୍ଷ୍ୟ ରଖିଛୁ ।