ଭୁବନେଶ୍ୱର ୦୫/୦୪: ଗତ ୫ ବର୍ଷରେ  ରାଜ୍ୟର କୃଷି କ୍ଷେତ୍ରରେ ନିୟୋଜିତ ଶ୍ରମ ଶକ୍ତିରେ ଆସିଛି ବଡ଼ ପରିବର୍ତ୍ତନ । ଏ କ୍ଷେତ୍ରରେ ମହିଳାଙ୍କ ଦବଦବା ବଢ଼ିଚାଲିଛି । ୨୦୧୯-୨୦ରୁ  ୨୦୨୩-୨୪ ଅବଧିରେ ରାଜ୍ୟର ମୋଟ କୃଷି  ଶ୍ରମ ଶକ୍ତି ୮୩.୫ ଲକ୍ଷରୁ ୧.୦୪ କୋଟିକୁ  ବଢ଼ିଛି । ଏ କ୍ଷେତ୍ରରେ ଅଭିବୃଦ୍ଧି ରହିଛି ୨୫%  । ତେବେ ଏହି ଅବଧିରେ ମହିଳାଙ୍କ ଯୋଗଦାନ  ୭୨% ବଢ଼ି ୩୩.୧ ଲକ୍ଷରୁ ୫୬.୯ ଲକ୍ଷ ଛୁଇଁଛି ।  ପୁରୁଷମାନେ ବିକଳ୍ପ କାମଧନ୍ଦା ଲାଗି ସହରାଞ୍ଚଳ  ମୁହାଁ ହେଉଥିବାରୁ କୃଷି କାର୍ଯ୍ୟରେ ଏବେ ଅଧିକ  ମହିଳା ନିୟୋଜିତ ହେଉଥିବା ପରିସଂଖ୍ୟାନ  ମନ୍ତ୍ରଣାଳୟର ପିରିୟଡିକ୍‌ ଶ୍ରମ ଶକ୍ତି ସର୍ଭେରୁ  ସୂଚନା ମିଳିଛି । 

କୃଷି ଉତ୍ପାଦନକାରୀ ଭାବେ ମହିଳାଙ୍କ  ଭୂମିକା ୨୬.୪ ଲକ୍ଷରୁ ୪୭.୭ ଲକ୍ଷ ଏବଂ କୃଷି  ଶ୍ରମିକ ଭାବେ ୬.୭ ଲକ୍ଷରୁ ୯.୨ ଲକ୍ଷକୁ ବଢ଼ିଛି । ଏହା କୃଷି କାର୍ଯ୍ୟରେ ମହିଳାଙ୍କ ମାଲିକାନା ଏବଂ  ଦାୟିତ୍ୱ ଗ୍ରହଣୀୟତାକୁ ଦର୍ଶାଉଛି । ଏଭଳି  ସ୍ଥିତିରେ କୃଷିରେ ପୁରୁଷ ଶ୍ରମଶକ୍ତି ୫୦.୪ ଲକ୍ଷରୁ ୪୭.୨ ଲକ୍ଷକୁ ହ୍ରାସ ହୋଇଛି । ଚାଷୀ  ଏବଂ ଶ୍ରମିକ ଭାବେ ପୁରୁଷଙ୍କ ସଂଖ୍ୟା ଯଥାକ୍ରମେ  ୪୪.୪ ଲକ୍ଷରୁ ୪୨.୮ ଲକ୍ଷ ଏବଂ ୬ ଲକ୍ଷରୁ ୪  ଲକ୍ଷକୁ ଖସିଛି । କୃଷିରେ ମହିଳା ନେତୃତ୍ୱ ଏବଂ  ଗ୍ରାମାଞ୍ଚଳ ଗୋଷ୍ଠୀ ବିକାଶକୁ ଏହା ସୂଚାଉଛି ।  ତେବେ ରାଜ୍ୟ କୃଷି ପରିବର୍ତ୍ତେ ଅଣକୃଷି କ୍ଷେତ୍ର  ଯଥା ଏମ୍‌ଏସ୍‌ଏମ୍‌ଇ, କୃଷି ଭିତ୍ତିକ ଶିଳ୍ପ ବିକାଶ  ଉପରେ ଧ୍ୟାନ ଦେବାକୁ କୁହାଯାଇଛି । ରାଜ୍ୟ  ଏବେ ଶ୍ରମିକ-କୈନ୍ଦ୍ରିକ ଶିଳ୍ପ ଯଥା ପୋଷାକ,  ଫୁଟୱେର, ଖାଦ୍ୟ ପ୍ରକ୍ରିୟାକରଣ ଏବଂ  ଅଟୋମୋବାଇଲ ଉପରେ ଧ୍ୟାନ ଦେଉଥିବାରୁ  ଏହାର ଲାଭ ମିଳିବ ବୋଲି ଆଶା କରାଯାଉଛି ।  

ଶସ୍ୟ ଉତ୍ପାଦନରେ ୭୩.୭% କୃଷି ଶ୍ରମିକ  କାର୍ଯ୍ୟ କରୁଛନ୍ତି । ଏ କ୍ଷେତ୍ରରେ ବିଶେଷ କରି  ପାରମ୍ପରିକ କୃଷି ପଦ୍ଧତି ବ୍ୟବହାର ହେଉଛି । ସେହିଭଳି ପଶୁପାଳନ କ୍ଷେତ୍ରରେ ୧୧.୧%  ଶ୍ରମଶକ୍ତି ନିୟୋଜିତ ରହୁଛନ୍ତି । ଉଭୟ ଶସ୍ୟ  ଉତ୍ପାଦନ ଏବଂ ପଶୁପାଳନରେ ୭.୭% ଶ୍ରମଶକ୍ତି  ରହିଛନ୍ତି । ମତ୍ସ୍ୟ ଚାଷ ସହ ଅନ୍ୟ ଆନୁଷଙ୍ଗିକ  କ୍ଷେତ୍ରରେ ମାତ୍ର ୧.୩% ଲୋକ ନିୟୋଜିତ  ରହିଛନ୍ତି । ଏହାବାଦ ଅମଳ ପରବର୍ତ୍ତୀ କାର୍ଯ୍ୟକ୍ରମ  ଏବଂ ଜଙ୍ଗଲ ପରିଚାଳନାରେ ଯଥାକ୍ରମେ ୩.୭%  ଓ ୨.୪% ଲୋକ ନିୟୋଜିତ ଅଛନ୍ତି । ରାଜ୍ୟ କୃଷି  ନିର୍ଦ୍ଦେଶାଳୟ ଡାଟା ମୁତାବକ, ୨୦୨୪-୨୫ରେ  ରାଜ୍ୟର କୃଷି କ୍ଷେତ୍ର ୩.୩% ବଢ଼ିଛି । 

ସେହିଭଳି  ପ୍ରାଣୀପାଳନ ୬.୨% ଏବଂ ମତ୍ସ୍ୟ ଓ ଜଙ୍ଗଲ କ୍ଷେତ୍ର  ଅଭିବୃଦ୍ଧି ୬.୭% । ୨୦୧୩-୧୪ରୁ ୨୦୨୪-୨୫  ଅବଧିରେ କୃଷି କ୍ଷେତ୍ର ୫.୧% ହାରରେ ବଢ଼ିଛି ।  ମତ୍ସ୍ୟ ଏବଂ ଆକ୍ୱାକଲଚର ଅଭିବୃଦ୍ଧି ୧୦.୧% । ସେହିଭଳି ପ୍ରାଣୀପାଳନ ୫.୬%, ଜଙ୍ଗଲ  ୫.୧% ଏବଂ ଶସ୍ୟ ଉତ୍ପାଦନ ଏହି ଅବଧିରେ  ୪.୭% ବଢ଼ିଛି । ଏହା ରାଜ୍ୟର କୃଷି କ୍ଷେତ୍ର  ବିବିଧତାକୁ ଦର୍ଶାଉଛି । ଏହା ଦ୍ୱାରା କୃଷି ଶ୍ରମିକ  କେବଳ ଗୋଟିଏ ନିର୍ଦ୍ଧିଷ୍ଟ କାର୍ଯ୍ୟରେ ନିୟୋଜିତ  ନ ହୋଇ ଅନ୍ୟ କ୍ଷେତ୍ରରେ ମଧ୍ୟ ରୋଜଗାର  ଅବସର ପାଉଛନ୍ତି ।