ଭୁବନେଶ୍ୱର ୧୫/୦୫: ଏଣିକି ଜଣେ ଲୋକ କିଣିଥିବା ନିଜ ଆପାର୍ଟମେଣ୍ଟକୁ ଆଇନ ମୁତାବକ ଅନ୍ୟ ଜଣକୁ ବିକ୍ରି କରିପାରିବ । ବିକ୍ରି ପାଇଁ ପ୍ରଥମେ ଆବଶ୍ୟକ ଆପାର୍ଟମେଣ୍ଟର କମନ ଏରିଆ ବା ସର୍ବସାଧାରଣ ଅଞ୍ଚଳର ପଞ୍ଜୀକରଣ ପାଇଁ ବାଟ ଫିଟିଛି । ୫୦ହଜାର ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦେଇ ଆସୋସିଏସନ୍ ଅଫ ଆଲଟି ନାଁରେ ପ୍ରଥମେ ଏହି କମନ ଏରିଆକୁ ପଞ୍ଜୀକରଣ କରିହେବ । ଏ ସମ୍ପର୍କିତ ଅଧ୍ୟାଦେଶର ଗେଜେଟ୍ ବିଜ୍ଞପ୍ତି ଗୁରୁବାର ପ୍ରକାଶ ପାଇଛି । ସରକାରଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।
ସବୁ ଆପାର୍ଟମେଣ୍ଟର କମନ ଏରିଆ ପଞ୍ଜୀକରଣ ହୋଇପାରିବ ବୋଲି ରେରା ଆଇନରେ ଉଲ୍ଲେଖ ଅଛି । କିନ୍ତୁ ଓଡ଼ିଶାରେ ଏହା ଲାଗୁ ହୋଇନଥିଲା । ଆସୋସିଏସନ୍ ଅଫ ଆଲଟି ଗଠନ ନେଇ ସ୍ପଷ୍ଟ ନିୟମ ନଥିବାରୁ ଏହା ଝୁଲି ରହିଥିଲା । ୨୦୨୩ରେ ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା) ଆଇନ ଲାଗୁ ହୋଇଥିଲା । ଆସୋସିଏସନ୍ କେମିତି ଗଢ଼ା ହେବ ଏହାର ପ୍ରକ୍ରିୟା କ’ଣ, ତାର ସମ୍ପୂର୍ଣ୍ଣ ବ୍ୟବସ୍ଥା ଏହି ଆଇନରେ ଉଲ୍ଲେଖ ରହିଥିଲା । ଆଇନ ଅନୁସାରେ ଆପାର୍ଟମେଣ୍ଟରେ ଫ୍ଲାଟ୍ କିଣିଥିବା ଲୋକେ ମିଶି ଆସୋସିଏସନ୍ ଅଫ ଆଲଟି ଗଠନ କଲେ । କିନ୍ତୁ କମନ ଏରିଆର ପଞ୍ଜୀକରଣ ଆରମ୍ଭ ହୋଇପାରୁନଥିଲା । ନିକଟରେ ସରକାର ଏ ନେଇ ଅଧ୍ୟାଦେଶ ଆଣିଥିଲେ । ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଅଧିକ ପଢ଼ନ୍ତୁ :- Heat Wave Alert : ଆଜିଠୁ ବଢ଼ିବ ତାତିର ପ୍ରକୋପ, ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ପାରଦ, ୬ ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ
କମନ ଏରିଆର ପଞ୍ଜୀକରଣ କରିବାକୁ ହେଲେ ପ୍ରଥମେ ଆସୋସିଏସନ୍ ଅଫ ଆଲର୍ଟି ପଞ୍ଜୀକରଣ କରିବାକୁ ହେବ । ପୁଣି ବିଲ୍ଡର୍ସଙ୍କ ପାଖରୁ ଅକ୍ୟୁପାନ୍ସି ସାର୍ଟିଫିକେଟ୍ ପାଇଥିବା ଜରୁରୀ । ଆପାର୍ଟମେଣ୍ଟର ଫ୍ଲାଟ୍ ମାଲିକଙ୍କ ଭିତରେ କମନ ଏରିଆ ବଣ୍ଟାଯିବାକୁ ନେଇ ବିଲ୍ଡର୍ସ ଏକ ଘୋଷଣାନାମା ଦେବେ । ଏହା ପରେ ଆସୋସିଏସନ୍ ଅଫ ଆଲଟି ନାଁରେ କମନ ଏରିଆ ପଞ୍ଜୀକରଣ ହୋଇପାରିବ । ରିଅଲ ଇଷ୍ଟେଟ୍ ବିଶେଷଜ୍ଞ ବିମଳେନ୍ଦୁ ପ୍ରଧାନ କହିଛନ୍ତି, କମନ ଏରିଆ ପଞ୍ଜୀକରଣ ପାଇଁ ଏବେ ସବ୍ରେଜିଷ୍ଟ୍ରାରଙ୍କ ପାଖକୁ ଯିବା ଦରକାର ନାହିଁ । ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ପାଖରେ ନିୟମ ଅନୁସାରେ ଏଥିପାଇଁ ଆବେଦନ କରିବାକୁ ହେବ । ବିଏମ୍ସି ଅଞ୍ଚଳରେ ଡେପୁଟି କମିଶନର, ବିଡିଏ ଅଧୀନରେ ଥିଲେ ବିଡିଏ ସଚିବ ଓ ଅନ୍ୟ ଜିଲ୍ଲାରେ ହୋଇଥିଲେ ଉପଜିଲ୍ଲାପାଳଙ୍କ ପାଖରେ ଏଥିପାଇଁ ଆବେଦନ କରିବାକୁ ପଡ଼ିବ । କମନ ଏରିଆ ପଞ୍ଜୀକରଣ ହେଲେ ଆଗକୁ ଆପାର୍ଟମେଣ୍ଟର ବିକ୍ରି ପାଇଁ ବାଟ ଫିଟିବ ।
ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ଆସୋସିଏସନ ଅଫ୍ ଆଲଟି ସପକ୍ଷରେ କମନ ଏରିଆ ହସ୍ତାନ୍ତର କରିବା ବାଧ୍ୟତାମୂଳକ । ପୂର୍ବରୁ ଦଲିଲ୍ ପଞ୍ଜୀକରଣ ନିମନ୍ତେ ୫% ଷ୍ଟାମ୍ପ ଦେୟ ଦେବାକୁ ପଡୁଥିଲା । ଏବେ ମାତ୍ର ୫୦,୦୦୦ଟଙ୍କାର ଷ୍ଟାମ୍ପ ଦେୟ ଦେବେ । ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ ବିକ୍ରୟ ସମୟରେ ଆପାର୍ଟମେଣ୍ଟ ୟୁନିଟ୍ ସହ ସାଧାରଣ କ୍ଷେତ୍ର ଓ ସୁବିଧାର ଅବିଭକ୍ତ ଅଂଶ ଉପରେ ୫% ଷ୍ଟାମ୍ପ ଡ୍ୟୁଟି ଆଦାୟ ହେବ । ଆପାର୍ଟମେଣ୍ଟର ମୂଲ୍ୟ ଅନୁସାରେ ୩ଟି ସ୍ଲାବ୍ ଯଥା ୩%, ୪%, ଓ ୫% ବଦଳରେ କେବଳ ୫% ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ।