ଫୁଲବାଣୀ, ୬/୨ : ମାଓମୁକ୍ତ କନ୍ଧମାଳ ଜିଲ୍ଲା ଲକ୍ଷ୍ୟ ହାସଲ ଦିଗରେ ପୁଲିସକୁ ମିଳିଛି ଆଉ ଏକ ସଫଳତା । ଚାରି ମାଓବାଦୀ ଶୁକ୍ରବାର କନ୍ଧମାଳ ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ମହିଳା କ୍ୟାଡର । ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ, ଛତିଶଗଡ଼ ସୁକମା ଜିଲ୍ଲା କୁନ୍ଦନପାଲ ପଞ୍ଚାୟତ ପାଣ୍ଡୁପଡା ଗ୍ରାମର ଗଙ୍ଗା କୁଞ୍ଜାମୀ ଓରଫ ଜିତେନ, ବାଟୁମଗାଁର ମୁଚାକି ମାସେ ଓରଫ ସସ୍ମିତା, ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା ମେଟାପାଲ ଗ୍ରାମର ଚୋମାଲି କୁଞ୍ଜମ ଓରଫ ସାନ୍ତିଲା ଏବଂ ଦାନ୍ତେଓ୍ବାଡା ଜିଲ୍ଲା ଆରନପୁର ଥାନା ପୋଟାଲୀ ଗ୍ରାମର ବାନ୍ଦି ମାଡଭୀ ଓରଫ ମାଳତୀ । ଏମାନେ ସମସ୍ତେ କେକେବିଏନ ଡିଭିଜନରେ ପାର୍ଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲେ।

ସ୍ଥାନୀୟ ପୁଲିସ ରିଜର୍ଭ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅସ୍ତ୍ରଶସ୍ତ୍ର ସହିତ ପୁଲିସ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି । ଏ ସମସ୍ତେ ୨୦୧୮ରେ ଲାଲବାହିନୀରେ ସାମିଲ ହୋଇ ପ୍ରଥମେ ଛତିଶଗଡ଼ରେ କାମ କରିବା ପରେ ପରବର୍ତ୍ତୀ ସମୟରେ କେକେବିଏନ ସଂଗଠନରେ ଯୋଗ ଦେଇଥିଲେ। ଏମାନଙ୍କ ନାମରେ ଗୋଚ୍ଛାପଡା, ବାଲିଗୁଡା, ତୁମୁଡିବନ୍ଧ ଥାନା ଅଞ୍ଚଳରେ ବିଭିନ୍ନ ମାଓ ଘଟଣାରେ ସାମିଲ ଥିବା ଅଭିଯୋଗ ରହିଛି। ଆତ୍ମସମର୍ପଣ ସମୟରେ ଏହି ମାଓବାଦୀ ମାନେ ଏସ ଏଲ ଆର ରାଇଫଲ,୩୦୩ ରାଇଫଲ, ୧୨ ବୋର ବନ୍ଧୁକ, ବହୁ ପରିମାଣର ଗୁଳି ସହିତ ଅନ୍ୟାନ୍ୟ ମାଓ ସାମଗ୍ରୀ ମଧ୍ୟ ପୁଲିସ ପାଖରେ ସମର୍ପଣ କରିଛନ୍ତି।

ରାଜ୍ୟ ପୁଲିସର ବାରମ୍ବାର ଅପିଲ ସାଙ୍ଗକୁ ମାଓ ସଙ୍ଗଠନର ଆଦର୍ଶ ପ୍ରତି ମୋହଭଙ୍ଗ ଏବଂ ନେତୃତ୍ୱ ହୀନତା ଆତ୍ମସମର୍ପଣ ପାଇଁ ପ୍ରେରିତ କରିଥିବା ପ୍ରକାଶ କରିଛନ୍ତି ଚାରି ମାଓବାଦୀ । ସରକାରଙ୍କ ଥଇଥାନ ଯୋଜନା ଅନୁଯାୟୀ ଏମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର। ଏ ଅବସରରେ ବୌଦ୍ଧ ଜିଲ୍ଲା ସମ୍ପୂର୍ଣ୍ଣ ମାଓମୁକ୍ତ ହୋଇଥିବା ଘୋଷଣା କରିଛନ୍ତି ଆଇଜି। କନ୍ଧମାଳ ଜିଲ୍ଲା ମଧ୍ୟ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି ଏବଂ ଖୁବଶୀଘ୍ର ଜିଲ୍ଲା ମାଓମୁକ୍ତ ଘୋଷିତ ହେବ ବୋଲି ପ୍ରକାଶ କରିଛନ୍ତି ନିତିଶେଖର । ଆୟୋଜିତ କାର୍ଯ୍ୟକ୍ରମରେ କନ୍ଧମାଳ ଏସପି ହରିଶ ବି ସି, ୧୩୬ ବିଏସଏଫ କମାଣ୍ଡାଣ୍ଟ ମାନସ ରଞ୍ଜନ ପଣ୍ଡା, ୧୨୭ ସିଆରପିଏଫ କମାଣ୍ଡାଣ୍ଟ ସଞ୍ଜୀବ ଟି ଏମ, ୧୧୬ ବିଏସଏଫ କମାଣ୍ଡାଣ୍ଟ ଅଜୟ କୁମାର, କନ୍ଧମାଳ ଅତିରିକ୍ତ ଏସପି ରମେନ୍ଦ୍ର ପ୍ରସାଦ ଏବଂ ପ୍ରୋବସନର ଆଇପିଏସ ଟି ଶ୍ରୀନିବାସୁଲୁ ।

ଏହାସହ ଦେଖନ୍ତୁ : ଟି-୨୦ ବିଶ୍ବକପ : ହର୍ଷିତଙ୍କ ସ୍ଥାନ ନେବେ କି ସିରାଜ ?