ମୁମ୍ବାଇ,୨୮/୦୬: ଆଉ ନାହାନ୍ତି ଶେଫାଳି ଜରିୱାଲା । ବିଗ୍‌ ବସ୍‌ ପ୍ରତିଯୋଗୀ, ଅଭିନେତ୍ରୀ ତଥା ମଡେଲ ଶେଫାଳି ଜରିୱାଲାଙ୍କର ଗତକାଲି (ଶୁକ୍ରବାର) ୪୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶେଫାଳିଙ୍କ ନିଧନରେ ଫ୍ୟାନ୍ସ ଏବଂ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ, ଶେଫାଳି ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ତାଙ୍କ ସ୍ୱାମୀ ତଥା ଅଭିନେତା ପରାଗ ତ୍ୟାଗୀ ଓ ଅନ୍ୟ ୩ ଜଣ ଅପରାହ୍ନରେ ବେଲିଭ୍ୟୁ ମଲ୍ଟିସ୍ପେଶାଲିଟି ହସ୍ପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁର କାରଣ ହୃଦଘାତଜନିତ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି । ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କୁପର ହସ୍ପିଟାଲକୁ ପଠାଯାଥିଲା । ରିପୋର୍ଟରେ ମୃତ୍ୟୁର କାରଣ ହୃଦଘାତ ବୋଲି ଦର୍ଶାଯାଇଛି । 

ସେ ଶାରୀରିକ ଭାବେ ଫିଟ୍ ଥିଲେ । ହେଲେ ହଠାତ୍‌ ତାଙ୍କ ବିୟୋଗକୁ ପ୍ରଶଂସକ ଓ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ୨୦୦୨ରେ ମ୍ୟୁଜିକ ଭିଡିଓ 'କାଣ୍ଟା ଲଗା' ଗୀତ ପାଇଁ ସେ ରାତାରାତି ଷ୍ଟାର ପାଲଟି ଯାଇଥିଲେ ଶେଫାଳି । କାଣ୍ଟା ଲଗା ଗାର୍ଲ ଭାବେ ସେ ଘରେ ଘରେ ପରିଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ କେତେକ ଟେଲିଭିଜନ ସିରିଏଲ ଏବଂ ବିଗ୍‌ ବସ୍‌ ଓ ନାଚ୍‌ ବଲିୟେ ସମେତ କେତେକ ରିୟଲିଟି ଶୋରେ ଭାଗ ନେଇଥିଲେ । ବିଗ୍‌ ବସ୍ ସିଜିନ୍‌ ୧୩ରେ ଭାଗ ନେଇଥିଲେ ଶେଫାଳି । ୨୦୦୪ରେ ସାଲମାନ ଖାନ୍‌, ଅକ୍ଷୟ କୁମାର ଓ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ 'ମୁଝସେ ସାଜି କରୋଗେ' ଫିଲ୍ମରେ ନଜର ଆସିଥିଲେ ।

ସୂଚନାଯୋଗ୍ୟ ଯେ ୨୦୦୪ରେ ସେ ହର୍ମିତ ସିଂହଙ୍କୁ ବିବାହ କରିଥିଲେ । ଉଭୟଙ୍କ ସମ୍ପର୍କ ୨୦୦୯ ପର୍ଯ୍ୟନ୍ତ ତିଷ୍ଠିଥିଲା । ୨୦୧୫ରେ ଶେଫାଳି ପରାଗ ତ୍ୟାଗିଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଶେଫାଳିଙ୍କ ବିୟୋଗରେ ସ୍ୱାମୀ ପରାଗ ତ୍ୟାଗି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।