ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେଉଁ ସରକାରୀ ଗାଡ଼ି ଚଢନ୍ତି, ସେ ଗାଡ଼ିର ପଲ୍ୟୁସନ ନଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ କାରର ପଲ୍ୟୁସନ ପ୍ରମାଣପତ୍ର ଅଗଷ୍ଟ ୩, ୨୦୨୪ରେ ସମାପ୍ତ ହୋଇଛି। ସୂଚନା ଅନୁଯାୟୀ, ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରୀ ଗାଡ଼ିର ଚାଲାଣ ମଧ୍ୟ କାଟିଛି ଟ୍ରାଫିକ ପୋଲିସ । ୨୩ ଫେବୃଆରୀ ୨୦୨୪ ରେ ଏହି ଚାଲାଣ କଟା ଯାଇଥିଲା । ତେବେ ସିଟ୍ ବେଲ୍ଟ ନ ପିନ୍ଧିବା କାରଣରୁ ଏହି ଚାଲାଣ କାଟି ଦିଆଯାଇଥିଲା । ଯଦିଏ ଏହି ଘଟଣା ଫେବୃଆରୀରୁ ହୋଇଛି କିନ୍ତୁ ବର୍ତ୍ତମାନ ଏହା ଗଣମାଧ୍ୟମ ସମ୍ମୁଖକୁ ଆସିଛି।
ସୂଚନାନୁସାରେ, ପଲ୍ୟୁସନ ପ୍ରମାଣପତ୍ର ନଥିବା ନେଇ ଏପର୍ଯ୍ୟନ୍ତ ଚାଲାଣ ଜାରି କରାଯାଇ ନାହିଁ । ଅନଲାଇନ୍ ଚେକ୍ କରିବା ସମୟରେ ପଲ୍ୟୁସନ ପ୍ରମାଣ ପତ୍ର ୩ ଅଗଷ୍ଟ ୨୦୨୪ ରେ ଶେଷ ହୋଇଯାଇଥିବା ଜଣାପଡିଛି । ସେବେଠାରୁ ଏହା ଆଉ ନବୀକରଣ ହୋଇନାହିଁ ।
ଟ୍ରାଫିକ ବିଭାଗ ଦ୍ବାରା ଜାରି କରାଯାଇଥିବା ଚାଲାଣ ଅନୁଯାୟୀ ସିଟ୍ ବେଲ୍ଟ ନ ପିନ୍ଧିବା କାରଣରୁ ୧୦୦୦ ଟଙ୍କା ଚାଲାଣ ଜାରି କରାଯାଇଛି । କୁହାଯାଉଛି ଯେ ଏହି ଚାଲାଣର ପରିମାଣ ମଧ୍ୟ ଜମା କରାଯାଇ ନାହିଁ । ତେବେ କାରରେ ବସିଥିବା ବ୍ୟକ୍ତି ସିଟ୍ ବେଲ୍ଟ ପିନ୍ଧି ନ ଥିବା ସ୍ପଷ୍ଟ ହୋଇନାହିଁ । ଟ୍ରାଫିକ ପୋଲିସ ପକ୍ଷରୁ ଅନଲାଇନରେ ଜାରି କରାଯାଇଥିବା ଚାଲାଣରେ ମୁଖ୍ୟମନ୍ତ୍ରୀ କାରର ଫଟୋ ମଧ୍ୟ ଦେଖାଯାଇଛି।
ତେବେ ଏସବୁ ଭିତରେ ଅଭିଯୋଗ ହୋଇଛି ଯେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଟ୍ରାଫିକ ନିୟମ ପାଳନ କରୁନାହାଁନ୍ତି। ଜନସାଧାରଣଙ୍କ ମଧ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ଯେ ରାଜ୍ୟ ମୁଖ୍ୟ ନୀତୀଶ କୁମାର ନିଜେ ଏହି ନିୟମ ପାଳନ କରୁନାହାଁନ୍ତି ।