ନୂଆଦିଲ୍ଲୀ,୧୬/୧୧; ବିହାର ନିର୍ବାଚନରେ ଏନ୍‌ଡିଏକୁ ପ୍ରଚଣ୍ଡ ବହୁମତ ମିଳିବା ପରେ ପାଟନାରେ ରାଜନୈତିକ ହଲ୍ଚଲ ତୀବ୍ର ହୋଇଛି । ବିହାରରେ ସରକାର ଗଠନକୁ ନେଇ ଦିଲ୍ଲୀରେ ମନ୍ଥନ ହୋଇଛି । କିଏ ହେବ ବିହାର ମୁଖ୍ୟମନ୍ତ୍ରୀ ? ସରକାର ଗଠନ ନେଇ ଅଙ୍କକଷା ଜୋରଦାର ହୋଇଛି । ବିଧାନସଭା ନିର୍ବାଚନରେ ଏନଡିଏକ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନାମକୁ ଚର୍ଚ୍ଚା ଚାଲିଛି । ସେପଟେ ଶପଥ ଗ୍ରହଣ ଉତ୍ସବ ତାରିଖ ଫାଇନାଲ୍ ହୋଇଛି । ପାଟନା ସ୍ଥିତ ଗାନ୍ଧୀ ମୈଦାନରେ ଆସନ୍ତା ୧୯ କିମ୍ବା ୨୦ ତାରିଖରେ ନୀତୀଶ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାରୋହରେ ସାମିଲ ହେବେ । ନୀତୀଶ କୁମାର ରିପିଟ୍ ନେଇ ଚର୍ଚ୍ଚା ହେଉଛି ।

​​​​​​​ବିହାରରେ ସରକାର ଗଠନ ପ୍ରକ୍ରିୟାକୁ ନେଇ ହଲଚଲ ବଢିଯାଇଛି । ବିଜେପି, ଜେଡିୟୁ ଏବଂ ଏଲଜେପିର ପୃଥକ ପୃଥକ ଆଲୋଚନା ଚାଲିଛି । ଆଗାମୀ ୪୮ ଘଣ୍ଟା ରାଜ୍ୟ ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ୧୮ତମ ବିଧାନସଭା ନିର୍ବାଚନରେ ସହିତ ଅଧିସୂଚନ ଆଜି ଜାରି ହୋଇଛି । ଏଥିରେ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ସଂହିତା ସମାପ୍ତ ହୋଇଛି । ଆସନ୍ତାକାଲି ନୀତୀଶ କୁମାର ତାଙ୍କର କ୍ୟାବିନେଟ ବୈଠକ କରିବେ । ଏଥିରେ ୧୭ ତମ ବିଧାନସଭା ଭଙ୍ଗ କରିବାକୁ ପ୍ରସ୍ତାବ ଦିଆଯିବ । ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପ୍ରଦାନ କରିବେ । ଏହି ଇସ୍ତଫା ନୂଆ ସରକାରର ରାସ୍ତା ସଫା କରିବ । ଶୀଘ୍ର ବିଧାୟକ ଦଳ ବୈଠକ ବସିପାରେ । ନୀତୀଶ ହିଁ ପୁଣି ରାଜ୍ୟ ମୁଖିଆ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ବିଜେପି କୋଟାରୁ ୧୫ରୁ ୧୬ ମନ୍ତ୍ରୀ ରହିବେ । ବିହାରରେ ନୂଆମନ୍ତ୍ରୀମଣ୍ଡଳ ଗଠନର ଫର୍ମୁଲା ଏକପ୍ରକାର ଫାଇନାଲ ହୋଇଥିବା ସୁତ୍ରରୁ ଜଣାପଡିଛି । ୩ ରୁ୪ ଦିନ ମଧ୍ୟରେ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । 

ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ସସ୍‌ପେନ୍ସ ରହିଛି । ପାଟନାସ୍ଥିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସାମ୍ନାରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଉପେନ୍ଦ୍ର କୁଶୱାହ କହିଛନ୍ତି, କିଛି ଅସୁବିଧା ନାହିଁ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହିଁ ହେବେ । ଏହା ପ୍ରଥମକୁ କ୍ଲିୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଥିଲେ ଆଗକୁ ବି ରହିବେ । ସେହିପରି ଫୁଲୱାରୀ ଆସନରୁ ଜିତିଥିବା ଜେଡିୟୁର ଶ୍ୟାମ ରଜକ କହିଛନ୍ତି, ବିହାରରେ ନେତୃତ୍ୱର ଜଣେ ହିଁ ଭରସାଯୋଗ୍ୟ ଚେହେରା ଅଛି । ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ତାଙ୍କର କେହି ବିକଳ୍ପ ନାହାନ୍ତି ।

କହି ରଖୁଛି କି, ବିହାରରେ ଏନଡିଏ ୨୪୩ରୁ ୨୦୨ ସିଟ୍  ହାତେଇଛି । ତିନି ଚତୁର୍ଥାଶଂ ବହୁମତ ପାଇଛି । ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଛି ବିଜେପି । ଦଖଲ କରିଛି ୮୯ ଆସନ । ମହାମେଣ୍ଟ ମୂଳପୋଛ ହୋଇଛି ଖାତାକୁ  ମାତ୍ର ୩୫ଟି ଆସନ ଯାଇଛି ।