ପାଟନା,୧୪/୧୧; କାହା ଦଖଲକୁ ଯିବ ବିହାର ଗଡ଼ ? କାହା ସପକ୍ଷରେ ଆସିବ ଜନାଦେଶ ? ପୁଣି ନୀତିଶ ନା ଫେରିବେ ତେଜସ୍ୱୀ ? କିଏ ହେବ ବିହାର ବାଜିଗର ? ନା ଏକଜାଟ ହେବ ଏକଜିଟ୍ ପୋଲ୍ । ପୁଣି ଏନଡିଏ ସରକାର ନା ମହାମେଣ୍ଟ ପିନ୍ଧିବେ ବିଜୟ ମୁକୁଟ । ଆଜି ଆସିବ ବିହାର ଜନାଦେଶ । ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ସାଢେ ୮ଟାରୁ ଇଭିଏମ୍ କାଉଣ୍ଟିଂ ଆରମ୍ଭ ହେବ । ବ୍ୟାପକ ସୁରକ୍ଷା ବ୍ୟବସ୍ଥାରେ ଚାଲିଛି ଭୋଟ୍ ଗଣତି । ୩୮ଟି ଜିଲ୍ଲାର ୪୬ଟି ସେଣ୍ଟରରେ ଭୋଟ ଗଣତି ଜାରି ରହିଛି । ଭୋଟ୍ ଗଣତି କେନ୍ଦ୍ରଗୁଡ଼ିକରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ତେବେ NDA କ୍ଷମତା ବଜାୟ ରଖିବା ନେଇ ସବୁ ଏକଜିଟ୍ ପୋଲ୍ ଆକଳନ କରିଛନ୍ତି । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ମ୍ୟାଜିକ ନମ୍ବର ହେଉଛି ୧୨୨ । ବିହାରରେ ରେକର୍ଡ ଭୋଟିଂ ହୋଇଛି ଯାହା ୧୯୫୧ ମସିହା ପରଠାରୁ ହୋଇନଥିଲା । ବିହାରରେ ନୀତିଶ ନା ତେଜସ୍ୱୀ ତାହା ଆଜି ହି ସ୍ପଷ୍ଟ ହେବ । ୨୬୧୬ ପ୍ରାର୍ଥୀଙ୍କ ଭାଗ୍ୟଫଳ ନିର୍ଣ୍ଣୟ ହେବ ।
ଗଣତି ପୂର୍ବରୁ ଲଖିସରାଇ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଆଶୋକଧାମ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ପାଟନାର ଏ.ଏନ୍ କଲେଜରେ କରାଯାଇଥିବା କାଉଣ୍ଟିଂ ସେଣ୍ଟରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଏଥର ବମ୍ପର ୬୬.୯୧ ପ୍ରତିଶତ ଭୋଟିଂ ମଧ୍ୟ ହୋଇଛି । ଯହାକି ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ପ୍ରଥମ ପର୍ଯ୍ୟାୟରେ ୬୫.୦୮ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୬୮.୭୬ ପ୍ରତିଶତ ମତଦାନ ହୋଇଛି । ୧୯୫୧ରେ ଦେଶରେ ଅନୁଷ୍ଠିତ ପ୍ରଥମ ନିର୍ବାଚନ ପରେ ବିହାରରେ ଏହା ସର୍ବାଧିକ ଭୋଟ ହାର । ଭୋଟ ଗଣତି ପୂର୍ବରୁ ଆସିଥିବା ଏକ୍ଜିଟ ପୋଲରେ ରାଜ୍ୟରେ ପୁଣି ଏନ୍ଡିଏ ସରକାର କ୍ଷମତାସୀନ ହେବ ବୋଲି ଆକଳନ କରାଯାଇଛି । ଯାହାକୁ ନେଇ ଏନ୍ଡିଏ ଶିବିରରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଏକ୍ଜିଟ ପୋଲକୁ ମହାମେଣ୍ଟ ଖଣ୍ଡନ କରିବା ସହ ଏହି ମେଣ୍ଟ ନିଜେ ସରକାର ଗଠନ କରିବ ବୋଲି ଏହାର ନେତାମାନେ ଦାବି କରିଛନ୍ତି । ଭାରତର ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ୩୮ଟି ଜିଲ୍ଲାର ୪୬ଟି ସେଣ୍ଟରରେ ଭୋଟ ଗଣତି ଚାଲିଛି । ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । କିନ୍ତୁ ମଧ୍ୟାହ୍ନ ସୁଦ୍ଧା ଚୂଡ଼ାନ୍ତ ଟ୍ରେଣ୍ଡ ସାମ୍ନାକୁ ଆସିବ ।