ନୂଆଦିଲ୍ଲୀ,୨୮।୫: ଗୁଜରାଟ ଯାଉଥିବା ବିହାର ଏସ୍‌ଟିଏଫ୍‌ର ଗାଡି ମଧ୍ୟ ପ୍ରଦେଶର ରତଲାମ୍‌ରେ ଦୁର୍ଘଟଣାର ଶିକାର । ଏହି ଦୁର୍ଘଟଣାରେ ଦୁଇ ଯବାନଙ୍କ ମୃତ୍ୟୁ ହୋଇଛି। ସେଭଳି ୪ ଜଣ ଆହତ ହୋଇଛନ୍ତି। ଘଟଣା ରତଲାମ୍‌ର ଦିଲ୍ଲୀ-ମୁମ୍ବାଇ ୮ ଲେନ୍‌ ଥିବା ଏକ୍ସପ୍ରେସ୍‌ ଓ୍ବେରେ ଘଟିଛି। ଘଟଣାର ସୂଚନା ମିଳିବା ପରେ ଆହତଙ୍କୁ ହସ୍ପିଟାଲ ଅଣାଯାଇଛି। ରତଲାମ୍‌ ହସ୍ପିଟାଲରେ ଆହତ ଯବାନଙ୍କ ଚିକିତ୍ସା ଚାଲିଛି, ବାକି ଆଉ ଜଣଙ୍କ ସ୍ଥିତି ଗମ୍ଭୀର ଅଛି ବୋଲି କୁହାଯାଉଛି। ଯାହାଙ୍କୁ ଇନ୍ଦୋର ରେଫର କରାଯାଇଛି। 

ରତଲାମ୍‌ ଏସପି ଅମିତ କୁମାର କହିଛନ୍ତି, ବିହାର ଏସଟିଏଫ୍‌ର ଯବାନ ରେଡ୍‌ କରିବା ପାଇଁ ଯାଉଥିଲେ। ସବୁ ଲୋକ ବିହାରର ଗୟାରୁ ସ୍କର୍ପିଓ ଜରିଆରେ ଗାନ୍ଧିଧାମ ଯାଉଥିଲେ, କିନ୍ତୁ ମଝିରେ  ସେ ଦୁର୍ଘଟଣାର ଶିକାର ହୋଇଥିଲେ।  ସିକ୍ରେଟ ମିଶନ୍‌ରେ ଗାନ୍ଧୀଧାମ ଯାଉଥିବା ଏସଟିଏଫ୍ ଗାଡି ହଠାତ ସନ୍ତୁଳନ ହରାଇ ବସିଥିଲା ଓ ଦୁର୍ଘଟଣାର ଶିକାର ହୋଇଥିଲା। ଆହତ କର୍ମୀଙ୍କ କହିବା ଅନୁସାରେ, ଦୁର୍ଘଟଣା ପରେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଗାଡି ଘୋଷାରି ହୋଇ ଚାଲିଯାଇଥିଲା। 

ଦୁର୍ଘଟଣାରେ ଜୀବନ ହରାଇଥିବା ଯବାନଙ୍କ ନାଁ ସବ ଇନ୍ସପେକ୍ଟର ମୁକୁନ୍ଦ ମୁରାରୀ, କନଷ୍ଟେବଳ ବିକାଶ କୁମାର। ସେଭଳି ଆହତମାନେ  ହେଉଛନ୍ତି ସବ ଇନ୍ସପେକ୍ଟର ସନ୍ତୋଷ କୁମାର, କନଷ୍ଟେବଳ ଜୀବଧାରୀ କୁମାର, କନଷ୍ଟେବଳ ମିଥିଳେଶ ପାସଓ୍ବାନ ଓ କନଷ୍ଟେବଳ ରଞ୍ଜନ କୁମାର। ଜିଲ୍ଲା ପୋଲିସ ଅଧୀକ୍ଷକ ଅମିତ କୁମାର କହିଛନ୍ତି, ଆହତଙ୍କୁ ରତଲାମ୍‌ର ସରକାରୀ ମେଡିକାଲ କଲେଜ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଭିତରୁ ଜଣକୁ ଇନ୍ଦୋର ପଠାଯାଇଛି। କାରଣ ତାଙ୍କର ସ୍ଥିତି ଗୁରୁତର ରହିଛି।