ପାଟନା,୬।୧୧: ବିହାରରେ ବାଜିଲା ନିର୍ବାଚନୀ ବିଗୁଲ। ଲୋକତନ୍ତ୍ରର ମହାପର୍ବରେ ସାମିଲ ଦେଇଛନ୍ତି ରାଜ୍ୟବାସୀ। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କଠାରୁ ନେଇ ବିରୋଧି ଦଳ ନେତା ତେଜସ୍ବୀ ଯାଦବଙ୍କ ପର୍ଯ୍ୟନ୍ତ ଦେଇଛନ୍ତି ନିଜର ମତଦାନ। ଏନ୍ଡିଏ ଏବଂ ମହାମେଣ୍ଟ ଭିତରେ ଚାଲିଛି କଡା ଟକ୍କର। ସକାଳ ୧୨୧ଟି ଆସନ ପାଇଁ ହୋଇଛି ମତଦାନ। ପ୍ରଥମ ପର୍ଯ୍ୟାୟରେ ପାଟନା, ମଧେପୁର, ସହରସା, ଦରଭଙ୍ଗା, ମୁଜଫରପୁର ସମେତ ୧୮ଟି ଜିଲ୍ଲାର ସବୁ ଆସନରେ ଭୋଟ ଦେଉଛନ୍ତି ମତଦାତା। ୩ କୋଟି ୭୫ ଲକ୍ଷରୁ ଅଧିକ ଭୋଟର ୧,୩୧୪ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ କରିବେ । ଚଳିତ ନିର୍ବାଚନରେ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ଲାଲୁଙ୍କ ଦୁଇ ପୁଅ। ପ୍ରଥମ ଥର ତେଜପ୍ରତାପ ଆରଜେଡି ବିରୋଧରେ ନିର୍ବାଚନ ଲଢୁଛନ୍ତି। ସେପଟେ ତେଜସ୍ବୀ ଯାଦବ ଆରଜେଡିର ମୁଖ୍ୟମନ୍ତ୍ରୀ ଚେହେରା।
ସେପଟେ ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ପାର୍ଟି ମଧ୍ୟ ତୃତୀୟ ବିକଳ୍ପ ଭାବରେ ଉଭା ହୋଇଛି। ଏହି ପର୍ଯ୍ୟାୟରେ ବିରୋଧି ‘ଇଣ୍ଡିଆ’ ମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ପାଲଟିଛନ୍ତି ତେଜସ୍ବୀ ଯାଦବ। ବିଜେପି ପ୍ରାର୍ଥୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନାଙ୍କ ସହ ୧୬ ମନ୍ତ୍ରୀଙ୍କର ହେବ ଭାଗ୍ୟ ପରୀକ୍ଷା।ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟିଂ ସନ୍ଧ୍ୟା ୬ଟାରେ ଶେଷ ହେବ। ମଧ୍ୟାହ୍ନ ୧ଟା ସୁଦ୍ଧା ୪୨.୩୧ ପ୍ରତିଶତ ଭୋଟିଂ ହୋଇସାରିଥିଲା। ଭୋଟ ଦେବାକୁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଖୁବ୍ ଉତ୍ସାହ। କିଏ ନଦୀ ପାର କରି ଡଙ୍ଗାରେ ବସି ଭୋଟ ଦେବାକୁ ଆସିଥିଲେ, ତ ଆଉ କିଏ ମଇଁଷି ପିଠିରେ ବସି ପହଁଞ୍ଚିଥିଲେ ପୋଲିଂ ବୁଥ୍।
ବୈଶାଳୀ ଜିଲ୍ଲାର ଭଗବାନପୁର ବ୍ଲକର ସୈଦପୁର ଡୁମରି ପଞ୍ଚାୟତର ବୁଥ ନମ୍ବର ୩୨୩ରେ ନେତାଙ୍କ ଏକ ମଜାଳିଆ ଦୃଶ୍ୟ ଦେଖିବାକୁ ମିଳିଥିଲା। ସ୍ଥାନୀୟ ନେତା ଭାବେ ବେଶ ଲୋକପ୍ରିୟ ଥିବା କେଦାର ପ୍ରସାଦ ଯାଦବ ଭୋଟ ଦେବା ପାଇଁ ଏକ ମଇଁଷି ପିଠିରେ ବସି ଭୋଟଦାନ କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିଥିଲେ। ଏହି ସମୟରେ କିଛି ମହିଳାମାନେ ଗୀତ ଗାଇଗାଇ ନେତାଙ୍କ ସାଥୀରେ ଚାଲିଚାଲି ଆସିଥିଲେ।ଘଟଣାକୁ ନେଇ କେଦାର ପ୍ରସାଦ ଯାଦବ କହିଛନ୍ତି, ‘ନିର୍ବାଚନ ପାଇଁ ଅଞ୍ଚଳରେ ଯାନବାହାନ ଚଳଚଳ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ମୋର ବୁଥ ଦୁଇକିଲୋମିଟର ଦୂରରେ ଥିଲା। ତେଣୁ ମୁଁ କିଛି ଉପାୟ ନପାଇ ମୋ ମଇଁଷି ପିଠିରେ ବସି ଯାତ୍ରା କରିବାକୁ ସ୍ଥିର କରିଥିଲି। ସୁରକ୍ଷିତ ଭାବେ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ମୋତେ ପହଞ୍ଚାଇ ଦେଇଥିବାରୁ ମଇଁଷିକୁ ଧନ୍ୟବାଦ।’