ମାଲକାନଗିରି, ୧୬/୨ : ଜାଗର ଯାତ୍ରା ହେଲା ଶେଷ ଯାତ୍ରା। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍। ଦୁର୍ଘଟଣାରେ ଭଣଜା ମୃତ ମାମୁଁ ଗୁରୁତର। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଲାକାଗୁଡା ଠାରେ ଏହି ଦୁର୍ଘଟଣା ଘଟିଛି।
ସୂଚନାନୁଯାୟୀ, ରବିବାର ମହାଶିବରାତ୍ରି ଥିଲା। ମାଥିଲି ଥାନା କର୍ତ୍ତନପାଲି ଗ୍ରାମର ଧନ ଭୁମିୟା (୩୫ ବର୍ଷ) କାଳିଆଗୁଡା ଗ୍ରାମର ଭଣଜା ଦମୁ ନାୟକକୁ ସାଥିରେ ଧରି ବାଇକ ଯୋଗେ ସାଲିମ ଶିବ ମନ୍ଦିରକୁ ଜାଗର ଯାତ୍ରା ଦେଖିବାକୁ ଯାଇଥିଲେ। ମଧ୍ୟରାତ୍ରିରେ ମହାଦୀପ ଦର୍ଶନ ସାରି ଘରକୁ ଫେରୁଥିବା ସମୟରେ ଲାକାଗୁଡା ଠାରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲେ। ଦୁର୍ଘଟଣାରେ ମାମୁଁ-ଭଣଜା ଦୂରକୁ ଛିଟି ହୋଇ ଗୁରୁତର ଆହତ ହୋଇଥିଲେ। ସେହି ରସ୍ତାରେ ଆସୁଥିବା ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସାଲିମ ଚିକିତ୍ସାଳୟକୁ ପଠାଇ ଥିଲେ। ସେଠାରେ ଭଣଜା ଡମୁ ନାୟକର ମୃତ୍ୟୁ ଘଟିଥିବା ବେଳେ, ମାମୁ ଧନ ଭୂମିୟାର ଅବସ୍ଥା ଗୁରୁତର ରହିଛି। ତାଙ୍କୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ଆଜି ସକାଳେ ମାଥିଲି ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତ କରାଯିବ ବୋଲି ମାଥିଲି ଥାନା ଆଇଆଇସି ଦୀପାଞ୍ଜଳି ପ୍ରଧାନ ସୂଚନା ଦେଇଛନ୍ତି।
ଏହି ଖବରଟିକୁ ପଢନ୍ତୁ- ଶୋଇଥିବା ବେଳେ ହୋଟେଲ ମାଲିକଙ୍କୁ ହତ୍ୟା ସନ୍ଦେହ: କିଏ ଏବଂ କାହିଁକି ମାରିଲା ତାହା ଅସ୍ପଷ୍ଟ ?