ରାଉରକେଲା,୨୧/୦୮: ବୁଧବାର ମଧ୍ୟାହ୍ନ  ପ୍ରାୟ ସାଢେ ୧୨ଟା । ୧୪୩ ନଂ.ଜାତୀୟ  ରାଜପଥରେ ହଠାତ ଦେଖା ଯାଇଥିଲା ସ୍ପାଇଡରମ୍ୟାନ୍‌ । ଏକ ଦାମୀ ବାଇକ୍‌ ଧରି  ସ୍ପାଇଡରମ୍ୟାନ୍‌ ଏହି ରାଜପଥରେ ଦ୍ରୁତ ବେଗରେ ଯାଉଥିଲା । ପରେ ଏକ ସ୍କୁଲ  ସମ୍ମୁଖରେ ଷ୍ଟଣ୍ଟ ମାରିଥିଲା । ହେଲେ ସତସତିକିଆ ସ୍ପାଇଡରମ୍ୟାନ୍‌ ନଥିଲା, ଏହି  ବାଇକ୍‌ ଚାଳନା କରୁଥିଲେ ଜଣେ ଯୁବକ ।  ଅବିକଳ ସ୍ପାଇଡରମ୍ୟାନ୍‌ ଭଳି ପୋଷାକ  ପରିଧାନ କରିଥିଲେ । ସ୍ପାଇଡରମ୍ୟାନ୍‌ ଭଳି ବାଇକ୍‌ ଚାଳନା କରି ଯାଉଥିବା ବେଳେ  ପୁଲିସ୍‌ ପଞ୍ଝାରେ ପଡ଼ିଛନ୍ତି ।  

ସୂଚନା ଅନୁସାରେ, ଦକ୍ଷିଣ ରାଉରକେଲାର ଜଲଦା ଫାଣ୍ଡି ଅନ୍ତର୍ଗତ କାଟିନ୍‌  ଛକରେ ରୁହନ୍ତି ପ୍ରକାଶ ଭୂମିଜ୍‌ । ବୁଧବାର  ମଧ୍ୟାହ୍ନରେ ସ୍ପାଇଡରମ୍ୟାନ୍‌ ପୋଷାକ ପରିଧାନ  କରି ବାଇକ୍‌ ନଂ.ଓଡ଼ି୧୪ଏଇ-୮୦୮୦ ଧରି  ଘରୁ ବାହାରିଥିଲେ । ୧୪୩ ନଂ.ଜାତୀୟ  ରାଜପଥରେ ସ୍ପାଇଡରମ୍ୟାନ୍‌ ଭଳି ଘୂରି  ବୁଲୁଥିଲେ । ପରେ ମଧ୍ୟାହ୍ନରେ ସ୍ଥାନୀୟ  କାର୍ମେଲ ସ୍କୁଲ ସମ୍ମୁଖରେ ବାଇକ୍‌ ଧରି ଷ୍ଟଣ୍ଟ  ମାରିଥିଲେ । ସ୍କୁଲ୍‌ ଛୁଟି ସମୟ ହୋଇଥିବାରୁ  ସେଠାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ  ଅଭିଭାବକମାନେ ବାଇକ୍‌ର ବିକଟାଳ ଶବ୍ଦ  ଶୁଣି ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ ।  ଜଲଦା ଫାଣ୍ଡି ଅଧିକାରୀ ବିକାଶ କଲେତ  ତୁରନ୍ତ ଟିମ୍‌ ସହିତ ସେଠାରେ ପହଞ୍ଚି  ସ୍ପାଇଡରମ୍ୟାନ୍‌ ସାଜିଥିବା ଯୁବକଙ୍କୁ ଧରିବା  ସହିତ ବାଇକ୍‌କୁ ଜବତ କରିଥିଲେ ।

ପ୍ରକାଶଙ୍କୁ ପଚରାଉଚରା କରାଯିବାରୁ  ସ୍ପାଇଡରମ୍ୟାନ୍‌ ପୋଷାକ ସେ ଅନ୍‌ଲାଇନ୍‌  ଜରିଆରେ ସାଢେ ୩ହଜାର ଟଙ୍କା ଦେଇ  କିଣିଥିବା କହିଛନ୍ତି । ବାଇକ୍‌ର ମୂଲ୍ୟ ଲକ୍ଷାଧିକ । ସ୍କୁଲ ସମ୍ମୁଖରେ ବାଇକ୍‌ ଧରି  ଷ୍ଟଣ୍ଟ ମାରିବା ଏବଂ ଶବ୍ଦ ପ୍ରଦୂଷଣ କରିବା  ଯୋଗୁଁ ବାଇକ୍‌କୁ ପୁଲିସ୍‌ ଜବତ କରିଛି ।  ଜରିମାନା ଆଦାୟ କରାଯାଇନଥିବା ବେଳେ ଏ  ସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ  ଅବଗତ କରାଯାଇଛି । ପରିବହନ  କାର୍ଯ୍ୟାଳୟରୁ ଟିମ୍‌ ଫାଣ୍ଡିରେ ପହଞ୍ଚି ବାଇକ୍‌  ଯାଞ୍ଚ କରିବା ପରେ ଚାଲାନ୍‌ କଟାଯିବା ନେଇ ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।