ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ବିଳାସପୁରର ଝଣ୍ଡୁତା ବିଧାନସଭା ନିର୍ବାଚନ ମଣ୍ଡଳୀର ବରଠିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଭଲୁ ସେତୁ ନିକଟରେ ଏକ ପାହାଡ଼ରୁ ହଠାତ୍ ପ୍ରବଳ ପଥର ଏବଂ ମାଟି ଅତଡା ଖସି ଏକ ବସ୍କୁ ଧକ୍କା ଦେଇଛି । ଦୁର୍ଘଟଣାରେ ଘଟଣାସ୍ଥଳେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଗୋଟିଏ ପିଲାକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି।
ରିପୋର୍ଟ ଅନୁଯାୟୀ,ବସ୍ଟି ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତ ମାନଙ୍କୁ ଘୁମାରୱିନ୍,ଏବଂ ଝଣ୍ଡୁତା ହସ୍ପିଟାଲକୁ ପଠାଯାଉଛି। ସୂଚନା ପାଇବା ପରେ,ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ ଲଗାଣ ବର୍ଷା ପାହାଡ଼ୀ ଅଞ୍ଚଳର ଢାଲକୁ ଦୁର୍ବଳ କରିଦେଇଛି, ଯାହା ଫଳରେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି।
ପ୍ରଶାସନ ପକ୍ଷରୁ ମୃତକଙ୍କ ପରିଚୟ ଏବଂ ସଠିକ୍ ସଂଖ୍ୟା ଧିରେ ଧିରେ ନିଶ୍ଚିତ କରାଯାଉଛି। ଘଟଣାସ୍ଥଳରେ ବିଶୃଙ୍ଖଳା ଜାରି ରହିଛି । ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହାୟତା କରୁଛନ୍ତି ।
ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଘଟଣା ଉପରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି ଏବଂ ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଯେ ଏହି କଷ୍ଟକର ସମୟରେ ରାଜ୍ୟ ସରକାର ପ୍ରଭାବିତ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି ଏବଂ ସେମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କୁ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।