ନୂଆଦିଲ୍ଲୀ ୦୫/୦୨: ଏପ୍ଷ୍ଟିନ୍ ଫାଇଲ୍ସ’ର ଗୋଟିଏ ପରେ ଗୋଟିଏ ରହସ୍ୟ ଫିଟୁଛି । ଅନେକ ଦେଶର ହାଇପ୍ରୋଫାଇଲ୍ ବ୍ୟକ୍ତିତ୍ୱଙ୍କ ନାଁ ସାମ୍ନାକୁ ଆସୁଛି । ଟ୍ରମ୍ପ୍, ବିଲ୍ ଗେଟ୍ସଙ୍କଠୁ ୟୁରୋପ, ମଧ୍ୟ ପ୍ରାଚ୍ୟ ଏପରିକି ଆଫ୍ରିକା ଓ ଏସିଆର ଅନେକ ଦେଶର ପ୍ରମୁଖ ରାଜନେତା, ଉଦ୍ୟୋଗୀ, କଳାକାର, ଏପରିକି ଶିକ୍ଷାବିତ୍ ଓ ବୈଜ୍ଞାନିକଙ୍କ ପାଖରେ ଏହା ପହଞ୍ଚିଛି । ଏହି ସମୟରେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ପୂର୍ବ ପତ୍ନୀ ମେଲିଣ୍ଡା ଗେଟ୍ସ ଜେଫରି ଏପ୍ଷ୍ଟିନ ଫାଇଲ୍ର ନୂଆ ଖୁଲାସା ବିଷୟରେ ଆଲୋଚନା କରିଛନ୍ତି । ଏକ ଏନ୍ପିଆର ପଡ୍କାଷ୍ଟରେ ମେଲିଣ୍ଡା କହିଛନ୍ତି, ଯୌନ ଅପରାଧୀ ଏପ୍ଷ୍ଟିନର ନୂଆ ଫାଇଲ୍ରେ ବିଲ୍ ଗେଟ୍ସଙ୍କ ନାଁ ସାମ୍ନାକୁ ଆସିବା ତାଙ୍କ ବିବାହର ଯନ୍ତ୍ରଣାପୂର୍ଣ୍ଣ ସମୟକୁ ପୁଣି ଥରେ ଉଜାଗର କରିଛି । ଏପ୍ଷ୍ଟିନ ସହ ବିଲ୍ ଗେଟ୍ସଙ୍କ ସମ୍ପର୍କ ତାଙ୍କର ୨୭ ବର୍ଷର ବୈବାହିକ ସମ୍ପର୍କ ଭାଙ୍ଗିବାର ବି କାରଣ ହୋଇଥାଇ ପାରିଥାଏ ।
ନୂଆ ଏପ୍ଷ୍ଟିନ ଫାଇଲ ଅନୁସାରେ, ବିଲ୍ ଗେଟ୍ସ ରୁଷ୍ର ଝିଅମାନଙ୍କଠୁ ଯୌନ ସଂକ୍ରମିତ ରୋଗର ଶିକାର ହୋଇଥିଲେ । ଏହା ପରେ ସେ ଆଣ୍ଟିବାୟୋଟିକ୍ ମଗାଇଥିଲେ, ଯାହାକୁ ଚୁପ୍ଚାପ୍ ମେଲିଣ୍ଡାଙ୍କୁ ଦେଇ ସଂକ୍ରମଣରୁ ବଞ୍ଚାଇ ପାରିବେ । ଏହି ଖୁଲାସାରୁ ମେଲିଣ୍ଡା ଗଭୀର ଭାବେ ମର୍ମାହତ ହୋଇଛନ୍ତି । ଏପ୍ଷ୍ଟିନ ଯେଉଁ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା, ସେମାନଙ୍କୁ ନ୍ୟାୟ ମିଳୁ ବୋଲି ମେଲିଣ୍ଡା କହିଛନ୍ତି ।
ଆହୁରି ପଢ଼ନ୍ତୁ...ଏପ୍ଷ୍ଟିନଙ୍କ କୁକର୍ମର ଦ୍ୱୀପ, ରେକର୍ଡରେ ନ ଥିଲା ବଡ଼ବଡ଼ିଆଙ୍କ ଉଡ଼ାଣ
ତେବେ ମେଲିଣ୍ଡା ଏବଂ ବିଲ୍ ଗେଟ୍ସ ୧୯୯୪ରେ ବିବାହ କରିଥିଲେ ଏବଂ ୨୦୨୧ରେ ଅଲଗା ହୋଇଥିଲେ । ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ଜାରି ଏହି ଫାଇଲ୍ ଉପରେ ବିଲ୍ ଗେଟ୍ସ ବି ମୁହଁ ଖୋଲିଛନ୍ତି । ଅଷ୍ଟ୍ରେଲିଆରେ ୯ନ୍ୟୁଜ୍ ସହିତ ସାକ୍ଷାତକାରରେ ସେ କହିଛନ୍ତି, ଏପ୍ଷ୍ଟିନଙ୍କ ସହ ତାଙ୍କ ସମ୍ପର୍କ କେବଳ ରାତ୍ରିଭୋଜନ ମଧ୍ୟରେ ସୀମିତ ଥିଲା । ସେ ଏପ୍ଷ୍ଟିନ୍ ଦ୍ୱୀପକୁ ଯାଇନଥିଲେ ।