ନୂଆଦିଲ୍ଲୀ ୦୪/୦୬: ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ନିଜ ସମ୍ପତ୍ତିର ଖୁବ୍‌ କମ୍‌ ଭାଗ ସେ ନିଜ ପିଲାମାନଙ୍କୁ ଦେବେ । ଅଧିକାଂଶ ଭାଗକୁ ସେ ଆଫ୍ରିକାରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ଉନ୍ନତ କରିବା ଦିଗରେ ବ୍ୟୟ କରିବେ । ଏହି କାର୍ଯ୍ୟ ଆଗାମୀ ୨୦ ବର୍ଷରେ କରାଯିବ । ଇଥିଓପିଆର ଅଦୀସ ଅବାବାରେ ଆଫ୍ରିକୀୟ ସଂଘ ମୁଖ୍ୟାଳୟଠାରେ ଉଦ୍‌ବୋଧନ ଦେଇ ଗେଟ୍‌ସ ଏହା କହିଛନ୍ତି । 

ସେ କହିଛନ୍ତି ଯେ, ତାଙ୍କର ଏହି ଉଦ୍ୟମ ଆଫ୍ରିକାର ଲୋକଙ୍କ ପ୍ରଗତିରେ ସହାୟକ ହେବ ଏବଂ ସମସ୍ତ ଲୋକଙ୍କ ସମୃଦ୍ଧି ଏହାଦ୍ୱାରା ସମ୍ଭବ ହେବ । ବ୍ଲୁମ୍‌ବର୍ଗ ଅରବପତି ସୂଚକାଙ୍କ ଅନୁସାରେ, ବିଲ୍‌ ଗେଟ୍‌ସଙ୍କ ନେଟ୍‌ ସମ୍ପତ୍ତି ଏବେ ୧୭୫ ବିଲିୟନ ଡଲାର ରହିଛି । ସେ ବିଶ୍ୱର ପଞ୍ଚମ ବୃହତ୍‌ ଧନୀ ବ୍ୟକ୍ତି । ଅନୁମାନ କରାଯାଉଛି ଯେ, ଆଗାମୀ ୨୦ ବର୍ଷ ଅର୍ଥାତ୍‌ ୨୦୪୫ ସୁଦ୍ଧା ତାଙ୍କର ନେଟ୍‌ ସମ୍ପତ୍ତି ୨୦୦ ବିଲିୟନ ଡଲାର ହୋଇଯିବ । ଏଭଳି କ୍ଷେତ୍ରରେ ସେ ନିଷ୍ପତ୍ତି ନେଇଛନ୍ତି ଯେ, ନିଜ ପିଲାମାନଙ୍କୁ ସେ ଏହାର ୧% ଅଂଶ ହିଁ ଦେବେ । ଅବଶିଷ୍ଟ ୯୯%କୁ ଦାନ କରିଦେବେ । ଅର୍ଥାତ୍‌ ବିଲ୍‌ ଗେଟ୍‌ସ ଆଗାମୀ ୨୦ ବର୍ଷରେ ଆଫ୍ରିକାକୁ ୧୯୮ ବିଲିୟନ ଡଲାର ଦାନ କରିବା ପାଇଁ ଯୋଜନା କରିଛନ୍ତି ।

ଗେଟ୍‌ସ ଆଫ୍ରିକୀୟ ସଂଘ ମୁଖ୍ୟାଳୟରେ ଉପସ୍ଥିତ ୧୨,୦୦୦ ଅଧିକାରୀ, ରାଜନେତା ଏବଂ ଯୁବପିଢ଼ିଙ୍କୁ କହିଲେ, ନିକଟରେ ମୁଁ ନିଷ୍ପତ୍ତି ନେଇଛି ଯେ, ମୋ ସମ୍ପତ୍ତିର ଅଧିକାଂଶ ଭାଗ ଆଗାମୀ ୨୦ ବର୍ଷରେ ଦାନ କରିଦେବି । ଏହି ଅର୍ଥରାଶିର ବୃହତ୍‌ ଭାଗ ଆଫ୍ରିକାରେ ଆସିବାକୁ ଥିବା ଅଧିକାଂଶ ସମସ୍ୟାର ସମାଧାନ କରିବାରେ ବ୍ୟୟ ହେବ । ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ବିକାଶର ସ୍ତମ୍ଭଗୁଡ଼ିକୁ ନେଇ ଗେଟ୍‌ସ ଉଦ୍‌ବୋଧନ ଦେଇଥିଲେ । ସେ କହିଲେ ଯେ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଜରିଆରେ ଲୋକଙ୍କ କ୍ଷମତା ବଢ଼ାଇ ଆଫ୍ରିକାର ପ୍ରତ୍ୟେକ ଦେଶ ବିକାଶ ଦିଗରେ ବଢ଼ିପାରିବ । ଏହି ରାସ୍ତାର ଏକ ଅଂଶ ହେବା ମୋ ପାଇଁ ରୋମାଞ୍ଚକ । ଗେଟ୍‌ସଙ୍କ ସଂସ୍ଥା ବିଲ୍‌ ଆଣ୍ଡ୍‌ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେସନ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଉପରେ ଧ୍ୟାନ ଦେବ । ବିଶେଷ ଭାବେ ମା’ ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟରେ ସୁଧାର ଉପରେ ଏହା ଧ୍ୟାନକେନ୍ଦ୍ରିତ କରିବ ।